ଋତୁଚକ୍ର ପରିବର୍ତ୍ତନ ସମୟରେ ସାଧାରଣ ଥଣ୍ଡାକାଶ, ମିଳିମିଳା, ହାଡଫୁଟି ପରି ରୋଗ ହେବା କାରଣରୁ ଶରୀରର ରୋଗପ୍ରତିରୋଧକ ଶକ୍ତି ଧୀରେ ଧୀରେ କମି ଯାଇଥାଏ । ଆଉ ଏହି ସମୟରେ ଅନ୍ୟ ସଂକ୍ରମିତ ରୋଗ ସମେତ ନିମୋନିଆ ହେବାର ଆଶଙ୍କା ମଧ୍ୟ ଅଧିକ ଥାଏ । ଖାଲି ସେତିକି ନୁହେଁ ଆସ୍ଥମା, ମଧୁମେହ, ଟିବି, କ୍ୟାନ୍ସର, ହୃଦରୋଗ ଆଦିରେ ପୀଡିତ ରୋଗୀ, ବୟସ୍କ ଲୋକଙ୍କୁ ମଧ୍ୟ ନିମୋନିଆ ସଂକ୍ରମଣର ଆଶଙ୍କା ଅଧିକ ଥାଏ । ଅର୍ଥାତ ଦୁର୍ବଳ ଲୋକଙ୍କୁ ନିମୋନିଆ ଶୀଘ୍ର ନିଜ କବଳକୁ ନେଇଥାଏ । ଖାଲି ଯେ ଏକ ଦୁର୍ବଳ ଶରୀର ଶୀଘ୍ର ନିମୋନିଆ ସଂକ୍ରମିତ ହୋଇଥାଏ ତାହା ନୁହେଁ, ଏକ ସୁସ୍ଥ ଶରୀରକୁ ମଧ୍ୟ ନିମୋନିଆ ଆକ୍ରାନ୍ତ କରିପାରେ । ଆଉ ପରିବେଶ ପ୍ରଦୂଷଣ ନିମୋନିଆ ସଂଖ୍ୟା ବୃଦ୍ଧିର ଅନ୍ୟତମ ପ୍ରମୁଖ କାରଣ । ତେଣୁ ସୁସ୍ଥ ହୁଅନ୍ତୁ ବା ଅସୁସ୍ଥ ସମସ୍ତେ ନିମୋନିଆ ପ୍ରତି ଆଗୁଆ ସଚେତନ ରହିବା ନିହାତି ଆବଶ୍ୟକ ।
କହିରଖିବା ଉଚିତ ହେବକି ପ୍ରତିବର୍ଷ ନଭେମ୍ବର ମାସ ୧୨ ତାରିଖକୁ “ବିଶ୍ୱ ନିମୋନିଆ ଦିବସ” ରୂପେ ପାଳନ କରାଯାଇଥାଏ । ଏହି ଜୀବନ ନାଶକାରୀ ରୋଗ ପ୍ରତି ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ । ଆଉ ଚଳିତ ବର୍ଷ ଏହି ଦିନର ଥିମ “Stop Pnemonia, Every breath count” । ତେବେ ଆସନ୍ତୁ ଜାଣିବା ନିମୋନିଆ ରୋଗର ଲକ୍ଷଣ କଣ ଓ ଏହା ପ୍ରତି କେମିତି ସଚେତନ ରହିବା । ଆଉ ଏବେର କରୋନା କାଳରେ ତ ସ୍ୱାସ୍ଥ୍ୟ ସଚେତନ ରହିବା ନିହାତି ଆବଶ୍ୟକ । ବିଶେସଜ୍ଞଙ୍କ ଅନୁଯାୟୀ, ନିଶ୍ୱାସ ପ୍ରଶ୍ୱାସ ମାଧ୍ୟମରେ ଅନେକ ସଂଖ୍ୟାରେ ବ୍ୟାକ୍ଟେରିଆ, ଫଙ୍ଗସ ତଥା ଭାଇରସ ଫୁସଫୁସ ମଧ୍ୟକୁ ଯାଇଥାଏ ।
ନିମୋନିଆ ଲକ୍ଷଣ:
ଦୀର୍ଘ ସମୟ ଯାଏଁ ଜର ଲାଗି ରହିବା, କାଶ ସହ କଫ ବାହାରିବା, କଫରେ ରକ୍ତ ପଡିବା, ଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା, ହୃଦସ୍ପନ୍ଦନର ଗତି ବଢିବା, ଖାଦ୍ୟ ନାଁରୁଚିବା, ଓଠ ନୀଳ ପଡିବା, ଦୁର୍ବଳ ଅନୁଭବ କରିବା ଆଦି ନିମୋନିଆର ଲକ୍ଷଣ । ରୋଗ ଗମ୍ଭୀର ସ୍ଥିତିରେ ରହିଲେ ରୋଗୀ ବେହୋସ ମଧ୍ୟ ହୋଇ ଯାଇପାରନ୍ତି । ପରୀକ୍ଷଣ ପରେ ନିମୋନିଆ ସଂକ୍ରମିତ ବୋଲି ଜଣାଯିବା ପରେ ରୋଗୀଙ୍କୁ ଆଣ୍ଟି ବାୟୋଟିକ ଔଷଧ ଦିଆଯାଇଥାଏ । ସାଧାରଣ ବ୍ୟାକ୍ଟେରିଆ କାରଣରୁ ହେଉଥିବା ରୋଗ ୧୫ ଦିନ ମଧ୍ୟରେ ଠିକ ହେଇଯାଉଥିବା ବେଳେ ନିମୋନିଆ ପୀଡିତ ସୁସ୍ଥ ହେବା ପାଇଁ ଅଧିକ ସମୟ ନେଇଥାଏ ।
ଏହି ରୋଗରୁ ମୁକ୍ତି ନିମନ୍ତେ ୨ ବର୍ଷରୁ କମ ବୟସର ଶିଶୁ ତଥା ୬୫ ବର୍ଷରୁ ଅଧିକ ବୟସ୍କଙ୍କୁ PCV -15 ନାମକ ଏକ ଟୀକା ଦିଆଯାଏ । ଏହା ବାଦ ଯେଉଁମାନଙ୍କର ଇମ୍ୟୁନୋ ସିଷ୍ଟମ ଦୁର୍ବଳ ସେମାନଙ୍କୁ ମଧ୍ୟ ଡାକ୍ତରଙ୍କ ପରାମର୍ଶରେ ଟୀକା ଦିଆ ଯାଇଥାଏ ।