ଏହା ହେଉଛି ଦୁନିଆର ସବୁଠାରୁ ବଡ ଗୁମ୍ଫା, ଯାହା ଭିତରକୁ ଯିବାକୁ ହେଲେ ନେବାକୁ ପଡେ ଟ୍ରେନିଂ
![09](https://knewsodisha.com/wp-content/uploads/2019/09/09-2.jpg)
ଆପଣମାନେ କେବେ ନା କେବେ ଗୁମ୍ଫା ନିଶ୍ଚିତ ଭାବେ ଦେଖିଥିବେ, କିନ୍ତୁ ଭିଏତନାମାରେ ଏକ ଗୁମ୍ଫା ରହିଛି, ଯାହା ବିଷୟରେ ଆପଣ ଶୁଣି ଚକିତ ହୋଇପଡିବେ। ଭିଏତନାମାରେ ଦୁନିଆର ସବୁଠାରୁ ବଡ ଗୁମ୍ଫା ରହିଛି, ଯାହା ଭିତରେ ଏକ ଭିନ୍ନ ଦୁନିଆ ରହିଛି। ଏହି ଗୁମ୍ଫା ମଧ୍ୟରୁ ଏପରି ଅଦ୍ଭୁତ ଏବଂ ଭୟାନକ ଶବ୍ଦ ଶୁଣାଯାଏ, ଯାହାକୁ ଶୁଣି ଲୋକେ ଥରି ଉଠନ୍ତି। ନଅ କିଲୋମିଟର ଲମ୍ବା ଏବଂ ୨୦୦ ମିଟର ଚଉଡା, ୧୫୦ ମିଟର ଉଚ୍ଚତା ବିଶ୍ୱିଷ୍ଟ ଏହି ଗୁମ୍ଫାର ନାମ ହେଙ୍ଗ ସନ ଡୁଙ୍ଗ। ଏହି ଗୁମ୍ଫା ମଧ୍ୟରେ ଗଛ ପତ୍ର ଠାରୁ ଆରମ୍ଭ କରି ଜଙ୍ଗଲ, ବାଦଲ ଏବଂ ନଦୀ ସବୁକିଛି ରହିଛି। ଲକ୍ଷ ବର୍ଷ ପୁରୁଣା ଏହି ଗୁମ୍ଫାକୁ ପ୍ରଥମ ଥର ପାଇଁ ୨୦୧୩ ମସିହାରେ ଖୋଲାଯାଇଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ପ୍ରତିବର୍ଷ ଏଠାକୁ ମାତ୍ର ୨୫୦- ୩୦୦ ଲୋକଙ୍କୁ ଯିବାକୁ ଅନୁମତି ମିଳିଥାଏ।
ଏହି ଗୁମ୍ଫାର ସନ୍ଧାନ ୧୯୯୧ରେ ‘ହୋ ଖାନହ’ ନାମକ ସ୍ଥାନୀୟ ବ୍ୟକ୍ତି କରିଥିଲେ। କିନ୍ତୁ ସେତେବେଳେ ଗୁମ୍ଫା ମଧ୍ୟରୁ ଆସୁଥିବା ପାଣିର ଗର୍ଜନ ଏବଂ ଘୋର ଅନ୍ଧକାର ଯୋଗୁଁ ଏହା ମଧ୍ୟକୁ ଯିବାକୁ କେହି ବି ସାହସ କରିପାରିନଥିଲେ। ଅନ୍ତରାଷ୍ଟ୍ରୀୟ ଭାବେ ଏହି ଗୁମ୍ଫାକୁ ୨୦୦୯ରେ ମାନ୍ୟତା ମିଳିଲା। ଏକ ବ୍ରିଟିଶ ରିସର୍ଚ୍ଚ ଆସୋସିଏସନ ପ୍ରଥମ ଥର ପାଇଁ ଏହି ଗୁମ୍ଫାର ଝଲକ ଦୁନିଆକୁ ଦେଖାଇଥିଲା। ପରେ ୨୦୧୦ରେ ବୈଜ୍ଞାନିକମାନେ ୨୦୦ ମିଟର ଉଚ୍ଚ କାନ୍ଥ ‘ଭିଏତନାମା କାନ୍ଥ’କୁ ପାର କରି ଗୁମ୍ଫା ମଧ୍ୟକୁ ଯାଇଥିଲେ।
ପ୍ରତିବର୍ଷ ଅଗଷ୍ଟ ମାସରେ ଏହି ଗୁମ୍ଫାକୁ ପର୍ଯ୍ୟଟକଙ୍କୁ ଯିବାକୁ ଅନୁମତି ମିଳିଥାଏ। ଏହା ପରେ ଗୁମ୍ଫା ମଧ୍ୟରେ ପାଣିର ସ୍ତର ବଢିଯାଏ ତେଣୁ କରି ଏଠାକୁ ଯିବାକୁ ବାରଣ କରାଯାଏ। ଗୁମ୍ଫା ମଧ୍ୟକୁ ଯିବାକୁ ଟିକେଟ କରିବାକୁ ପଡିଥାଏ।
ଯାହାର ମୂଲ୍ୟ ପାଖାପାଖି ୨ ଲକ୍ଷ ଟଙ୍କା ରହିଥାଏ। ଗୁମ୍ଫା ମଧ୍ୟକୁ ଯାଉଥିବା ପର୍ଯ୍ୟଟକମାନଙ୍କୁ ପ୍ରଥମେ ଛଅ ମାସ ପର୍ଯ୍ୟନ୍ତ ତାଲିମ ଦିଆଯାଏ। ଏହି ତାଲିମରେ କିଭଳି ୧୦ କିମି ଚାଲିବା , ଛଅ ଥର ପାହାଡ ଚଢିବା ଭଳି ପ୍ରଶିକ୍ଷଣ ଦିଆଯାଏ । ଏହା ପରେ ସେମାନଙ୍କୁ ଗୁମ୍ଫା ମଧ୍ୟକୁ ଯିବାକୁ ଅନୁମତି ମିଳିଥାଏ।