ବିଲରେ ଚାଷ ହୋଇଛି ହଳଦିଆ ରଙ୍ଗର ତରଭୁଜ, ନାଲିଠୁ ରହିଛି ଅଧିକ ମିଠା

ସମସ୍ତଙ୍କ ପ୍ରିୟ ହୋଇଥାଏ ତରଭୁଜ । ଖରାଦିନେ ଲୋକେ ତରଭୁଜ ଖାଇବାକୁ ପସନ୍ଦ କରିଥାନ୍ତି । ଶରୀରର ଜଳୀୟ ଅଂଶକୁ ସ୍ଥିର ରଖିବାରେ ତରଭୁଜର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବଜାରରେ ଗାଢ ହଳଦିଆ ରଙ୍ଗର ତରଭୁଜ ମିଳୁଛି । ନାଲି ତରଭୁଜ ଅପେକ୍ଷା ଏହା ଅଧିକ ମିଠା ଥିବାରୁ ବଜାରରେ ଏହାର ବେଶ ଚାହିଦା ରହିଛି ।

କେନ୍ୟୁଜ୍‌(ବ୍ୟୁରୋ): ତରଭୁଜ କାହାର ବା ପସନ୍ଦ ନୁହେଁ । ପ୍ରାୟ ସମସ୍ତଙ୍କ ପ୍ରିୟ ହୋଇଥାଏ ତରଭୁଜ । ବିଶେଷକରି ଖରାଦିନେ ଲୋକେ ତରଭୁଜ ଖାଇବାକୁ ପସନ୍ଦ କରିଥାନ୍ତି । ଖରା ଦାଉରୁ ରକ୍ଷା କରିବା ସହ ଶରୀରର ଜଳୀୟ ଅଂଶକୁ ସ୍ଥିର ରଖିବାରେ ତରଭୁଜର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହାସହ ଏଥିରେ ବିଭିନ୍ନ ଭିଟାମିନ ରହିଥାଏ । ସାଧାରଣଭାବେ ଆପଣ ନାଲି ରଙ୍ଗର ତରଭୁଜ ଦେଖିଥିବେ । ହେଲେ ଗାଢ ହଳଦିଆ ରଙ୍ଗର ତରଭୁଜ ଦେଖି ନଥିବେ । ଏବେ ବଜାରରେ କିନ୍ତୁ ଗାଢ ହଳଦିଆ ରଙ୍ଗର ତରଭୁଜ ମିଳୁଛି । ନାଲି ତରଭୁଜ ଅପେକ୍ଷା ଏହା ଅଧିକ ମିଠା ଥିବାରୁ ବଜାରରେ ଏହାର ବେଶ ଚାହିଦା ରହିଛି । ନୂଆପଡ଼ା ଜିଲ୍ଲାର ବିଭିନ୍ନ ବଜାରରେ ବିକ୍ରି ହେଉଛି ଏପରି ହଳଦିଆ ତରଭୁଜ ।

ଖରାଦିନେ ବଜାରରେ ତରଭୁଜର ବେଶ ଚାହିଦା ରହିଥାଏ । ଲୋକେ ନାଲି ଟହ ଟହ ତରଭୁଜ ଦେଖି ଖାଇଥାନ୍ତି । ନୂଆପଡ଼ା ଜିଲ୍ଲାରେ କିନ୍ତୁ ନାଲି ବଦଲରେ ହଳଦିଆ ରଙ୍ଗର ତରଭୁଜର ବେଶ ଚାହିଦା ରହିଛି । ଚଳିତ ବର୍ଷ ପ୍ରଥମକରି ପରୀକ୍ଷାମୂଳକ ଭାବେ ହଳଦିଆ ରଙ୍ଗର ତରଭୁଜକୁ ଚାଷ କରିଛନ୍ତି ନୂଆପଡ଼ା ଜିଲ୍ଲାର ଚାଷୀ । ଆରୋହୀ ଭେରାଇଟି କୁହାଯାଉଥିବା ଏହି ହଳଦିଆ ରଙ୍ଗର ତରଭୁଜର ବଜାରରେ ବେଶ ଅଧିକ ଚାହିଦା ରହିଛି । କେବଳଯେ ରଙ୍ଗରେ ଭିନ୍ନତା ଦେଖା ଦେଇଛି ତା ନୁହେଁ । ସ୍ୱାଦରେ ବି ଭିନ୍ନତା ବେଶ ସ୍ପଷ୍ଟ ଭାବେ ବାରିହୋଇ ପଡ଼ୁଛି । ନାଲି ରଙ୍ଗର ତରଭୁଜଠୁ ହଳଦିଆ ରଙ୍ଗର ତରଭୁଜ ଅଧିକ ମିଠା ରହିଛି ।

ଜିଲ୍ଲାର ଭେରା, ଭାଳେଶ୍ୱର, ଆମୋଦି, ଦର୍ଲିମୁଣ୍ଡା, ଝଗ୍ରାହୀ ଓ ମଣ୍ଡୋସିଲ ଗାଁରେ ପ୍ରଥମକରି ଏହି ହଳଦିଆ ରଙ୍ଗର ତରଭୁଜ ଚାଷ କରାଯାଇଛି । ୮ ଜଣ ଚାଷୀ ୩ ଏକର ଜମିରେ ଏହି ଆରୋହୀ ଭେରାଇଟିର ତରଭୁଜ ଚାଷ କରିଛନ୍ତି । ତରଭୁଜ ଭଲ ଫଳିଥିବା ବେଳେ ବଜାରରେ ବିକ୍ରି ମଧ୍ୟ ହେଉଛି । କେହି କେହି ତ ଚାଷୀର ବିଲକୁ ଆସି ତରଭୁଜ କିଣି ନେଇ ଯାଉଛନ୍ତି । ଚାଷୀଠୁ ବ୍ୟବସାୟୀ ଏହି ତରଭୁଜ ଚାଷରେ ବେଶ ଖୁସି ଅଛନ୍ତି । ଏହି ତରଭୁଜ ପ୍ରତି ଲୋକଙ୍କ ଆଗ୍ରହ ଦେଖି ଆଗାମୀ ବର୍ଷରେ ମଧ୍ୟ ଏହି ତରଭୁଜ ଚାଷ କରିବାକୁ ଚାଷୀ ଆଶା ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.