ବଙ୍ଗୋପସାଗରରେ ଲଘୁଚାପ, ୧୦ ଓ ୧୧ରେ ଓଡିଶା ଉପକୂଳରେ ପ୍ରବଳ ବର୍ଷିବ

ସମଗ୍ର ବିଶ୍ୱ କରୋନା ଭାଇରସ ସହିତ ଲଢୁଥିବା ବେଳେ ଭାରତରେ ଲଗାତାର ବାତ୍ୟା ବିପର୍ଯ୍ୟୟ ଦେଖିବାକୁ ମିଳୁଛି। ଗୋଟେ ପରେ ଗୋଟ ବାତ୍ୟା ମାଡିଆସୁଛି। ଏବେ ପାଣିପାଗ ବିଭାଗ(ଆଇଏମଡି) ପୁଣି ଥରେ ଚେତାବନୀ ଜାରି କରିଛି। ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଓଡିଶା ଉପକୂଳରେ ୧୦ ଓ ୧୧ ତାରିଖରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ରହିଛି।
ପାଣିପାଗ ବିଭାଗର ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବାନୁୟାୟୀ, ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୪୮ଘଣ୍ଟାରେ ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ଓଡିଶା ପ୍ରବଳ ବର୍ଷା ହେବ । ୧୦ ତାରିଖରୁ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୧୧ ତାରିଖରେ ମଧ୍ୟ ୧୦ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମୌସୁମୀ ଆସିବାକୁ ଏହି ବର୍ଷା ସୁହାଇବ ବୋଲି ବିଭାଗ କହିଛି ।
୧୧ ତାରିଖ ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ତେବେ ଉପକୂଳ ଓଡ଼ିଶାର ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁରରେ ମଧ୍ୟ ପ୍ରବଳ ବର୍ଷା ହେବ । ଘୂର୍ଣ୍ଣିବଳୟ ଆସନ୍ତା ଦୁଇ ଦିନ ପରେ ଲଘୁଚାପରେ ପରିଣତ ହେବା ପରେ ତାର ପ୍ରଭାବ ଦେଖାଇବ । ୮ ଓ ୯ ତାରିଖ ମଧ୍ୟ ରାଜ୍ୟର ଉପକୂଳ ଓଡ଼ିଶା, ଉତ୍ତର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ । ସୂଚନାଯୋଗ୍ୟ, ଅମ୍ଫାନ ପ୍ରଭାବରେ ପାଖାପାଖି ୮୦ ଲୋକ ମୃତ୍ୟୁବରଣ କରିଥିଲେ। ବାତ୍ୟା ଅମ୍ଫାନ ଏବଂ ନିସର୍ଗ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଥିଲା। କିନ୍ତୁ ଏହି ସବୁ ବାତ୍ୟାର ସମ୍ମୁଖୀନ କରିବା ପାଇଁ ଓଡିଶା ସରକାର ସବୁବେଳେ ପ୍ରସ୍ତୁତ ରହିଥିଲେ ଏବଂ ରହିଛନ୍ତି ମଧ୍ୟ।