ଚାକିରି ଆଶାରେ ଫସିଲେ ଯୁବତୀ, ବନ୍ଦ ଘରୁ ଉଦ୍ଧାର କଲେ ଗାଁ ଲୋକେ

ଦୀର୍ଘ ୬ ମାସ ଧରି ଯୁବତୀମାନଙ୍କୁ ବିଭିନ୍ନ ସ୍ଥାନକୁ ନିଆଯିବା ସହ ଏଠାରେ ଆଣି ରଖାଯାଇଥିବା କହିଛନ୍ତି ଯୁବତୀମାନେ । ଏପରିକି ଦରମା ଦିଆଯାଉନଥିବା ବେଳେ ଘରକୁ ଯିବାକୁ ଚାହିଁଲେ ମଧ୍ୟ ସେମାନଙ୍କୁ ଘରକୁ ଯିବାକୁ ଦିଆ ଯାଉନଥିଲା ।

ବାରିପଦା(କେନ୍ୟୁଜ): ଚାକିରି ନାଁରେ ଯୁବକ ଓ ଯୁବତୀଙ୍କ ସହ ଖେଳାଯାଉଛି ଖେଳ । ବର୍ତ୍ତମାନର ଯୁବପିଢ଼ି ଚାକିରି ଆଶାରେ ଠକାମିର ଶିକାର ହେଉଛନ୍ତି । କିନ୍ତୁ ଏହି ଠକାମିର ଶିକାର ଯୁବତୀମାନେ ଅଧିକ ହୁଅନ୍ତି । ଆମେ ଏଭଳି କହିବାର କାରଣ ହେଉଛି ନିକଟରେ ହିଁ କିଛି ଯୁବତୀ ଚାକିରି ଆଶାରେ ନିଜ ଘର ଛାଡ଼ି ବାହାରକୁ ଚାଲି ଆସିଥିଲେ । କିନ୍ତୁ ପରେ ଠକାମିର ଶିକାର ହୋଇ ଫସି ଯାଇଥିଲେ । ଘରକୁ ଯିବାକୁ ଚାହିଁଲେ ବି ଘରକୁ ତାଙ୍କୁ ଛଡ଼ା ଯାଉନଥିଲା । ସେମାନଙ୍କୁ ଗୋଟିଏ ଘରେ ବନ୍ଦ ରଖାଯାଇଥିଲା । ଏମିତି ଅନେକ ଦିନ ଧରି ଯୁବତୀମାନଙ୍କୁ ଏକ ଭଡ଼ା ଘରେ ବନ୍ଦ ରଖାଯାଇଥିଲା । ତେବେ ଗାଁ ଲୋକଙ୍କ ସନ୍ଦେହ ହେବାରୁ ସେମାନେ ପେଲିସକୁ ଘଟଣାସ୍ଥଳକୁ ଡକାଇଥିଲେ । ଆଉ ଯାହା ଦେଖିଥିଲେ ସେମାନେ ନିଜ ଆଖିକୁ ବିଶ୍ୱାସ କରି ପାରି ନଥିଲେ । କାରଣ ବନ୍ଦ ଘରୁ ଗୋଟାଏ ପରେ ଗୋଟାଏ ମୋଟ ୧୩ ଜଣ ଯୁବତୀ ବାହାରିବାକୁ ଲାଗିଲେ ।

ତେବେ ବନ୍ଦ ଘରୁ ୧୩ ଜଣ ଯୁବତୀ ଉଦ୍ଧାର ହୋଇଛନ୍ତି । ମୋଟା ଅଙ୍କର ବେତନ ସହ ଚାକିରି ଦେବା ନାମରେ ଯୁବତୀଙ୍କୁ ଆଣି ବନ୍ଦ ଘରେ ଅଟକ ରଖାଯାଇଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ବାରିପଦା ଭଞ୍ଜପୁର ଥାନା ଅଧିନ ବିଜୟ ରାମଚନ୍ଦ୍ରପୁର ସ୍ଥିତ ଏକ ଭଡା ଘରୁ । ସ୍ଥାନୀୟ ଲୋକଙ୍କ ସନ୍ଦେହ ହେବାରୁ ପୋଲିସ ସହାୟତାରେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା ।

ଘଟଣାସ୍ଥଳରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡୀ ପହଞ୍ଚି ଜିଲ୍ଲାପାଳ ଓ ଆଇଜିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବାରିପଦା ଭଞ୍ଜପୁର ଥାନା ପୋଲିସ ପହଞ୍ଚିବା ପରେ ଯୁବତୀମାନଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ଏ ଯୁବତୀଙ୍କ ଦାୟିତ୍ୱ ନେଇ ରହୁଥିବା ଜଣେ ଯୁବକକୁ ମଧ୍ୟ ଅଟକ ରଖି ପଚରା ଉଚରା ଜାରି ରହିଛି । ଉଦ୍ଧାର ହୋଇଥିବା ସମସ୍ତ ଯୁବତୀ ଗଜପତି, ଗଞ୍ଜାମ, ବ୍ରହ୍ମପୁର ଅଞ୍ଚଳର ବୋଲି ଜଣା ପଡିଛି ।

ଦୀର୍ଘ ୬ ମାସ ଧରି ଯୁବତୀମାନଙ୍କୁ ବିଭିନ୍ନ ସ୍ଥାନକୁ ନିଆଯିବା ସହ ଏଠାରେ ଆଣି ରଖାଯାଇଥିବା କହିଛନ୍ତି ଯୁବତୀମାନେ । ଏପରିକି ଦରମା ଦିଆଯାଉନଥିବା ବେଳେ ଘରକୁ ଯିବାକୁ ଚାହିଁଲେ ମଧ୍ୟ ସେମାନଙ୍କୁ ଘରକୁ ଯିବାକୁ ଦିଆ ଯାଉନଥିଲା । ତେବେ ମାର୍କେଟିଂ ପାଇଁ ଯୁବତୀମାନଙ୍କୁ ତାଲିମ ଦିଆଯାଉଥିବା କହିଛନ୍ତି ଅଟକ ଯୁବକ ।

କେଉଁ ପରିସ୍ଥିତିରେ ଯୁବତୀମାନଙ୍କୁ ଏଭଳି ରଖାଯାଇଛି ତାର ତଦନ୍ତ କରାଯିବା ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିବା କହିଛନ୍ତି ରାଜସ୍ଵ ମନ୍ତ୍ରୀ ସୁଦାମ ମାର୍ଣ୍ଡୀ । ଯୁବତୀମାନଙ୍କ ମଧ୍ୟରେ କିଛି ଜଣ ୧୮ ବର୍ଷରୁ କମ୍‌ ଥିବା ମଧ୍ୟ ସନ୍ଦେହ କରାଯାଉଛି । ତେବେ ଏ ଯୁବତୀମାନଙ୍କୁ ନେଇ ଏଠାରେ କାହିଁକି ବନ୍ଦୀ କରି ରଖାଯାଇଥିଲା ତାହା ତ ତଦନ୍ତ ପରେ ଜଣା ପଡ଼ିବ । ଏମିତି ଅନେକ ଘଟଣା ପ୍ରତ୍ୟେକ ଦିନ ଘଟୁଛି । ଯଦି ଆପଣମାନେ ଏମିତି କିଛି ଚାକିରିର ସୁଯୋଗ ପାଉଛନ୍ତି ତେବେ ସାବଧାନ ରୁହନ୍ତୁ । ଚାକିରି କରିବା ପୂର୍ବରୁ ସ୍ଥାନ ଲୋକଙ୍କ ବିଷୟରେ ଭଲ ଭାବେ ଯାଞ୍ଚ କରନ୍ତୁ । ଏଭଳି କରିବା ଦ୍ୱାରା ଆପଣ ଠକାମିର ଶିକାର ହେବେ ନାହିଁ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.