‘ଜୀବିତ ଅଛନ୍ତି ସରବଜିତ୍ ସିଂଙ୍କ ହତ୍ୟାକାରୀ ସରଫରାଜ’, ପାକିସ୍ତାନର ବରିଷ୍ଠ ପୋଲିସ ଅଧିକାରୀଙ୍କ ଦାବି
ପାକିସ୍ତାନରେ ଅଣ୍ଡରୱାର୍ଲ୍ଡ ଡନ୍ ଅମିର ସରଫରାଜ ତାମ୍ବାଙ୍କ ହତ୍ୟା ମାମଲା ଏକ ନୂଆ ମୋଡ଼ ନେଇଛି । ପାକିସ୍ତାନର ବରିଷ୍ଠ ପୋଲିସ ଅଧିକାରୀ ଦାବି କରିଛନ୍ତି ଯେ ସରଫରାଜ ଏବେ ବି ଜୀବିତ ଅଛନ୍ତି ।

ପାକିସ୍ତାନରେ ଅଣ୍ଡରୱାର୍ଲ୍ଡ ଡନ୍ ଅମିର ସରଫରାଜ ତାମ୍ବାଙ୍କ ହତ୍ୟା ମାମଲା ଏକ ନୂଆ ମୋଡ଼ ନେଇଛି । ପାକିସ୍ତାନର ବରିଷ୍ଠ ପୋଲିସ ଅଧିକାରୀ ଦାବି କରିଛନ୍ତି ଯେ ସରଫରାଜ ଏବେ ବି ଜୀବିତ ଅଛନ୍ତି ଏବଂ ସେ ଗୁରୁତର ଆହତ ହୋଇଛନ୍ତି । ସେପଟେ ପାକିସ୍ତାନ ସରକାରର ଜଣେ ମନ୍ତ୍ରୀ ଭାରତ ଉପରେ ଅଭିଯୋଗ ଆଣିଛନ୍ତି ।
କହି ରଖୁଛୁ, ୨୦୧୩ରେ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ ସରବଜିତ ସିଂଙ୍କୁ ହତ୍ୟା କରାଯାଇଥିଲା । ପାକିସ୍ତାନର କୋଟ ଲଖପତ ଜେଲରେ ହାଫିଜ ସଇଦଙ୍କ ଘନିଷ୍ଠ ସହଯୋଗୀ ଅମିର ସରଫରାଜ ତାମ୍ବା ସରବଜିତଙ୍କୁ ପଲିଥିନରେ ଗଳା ଚିପି ପିଟିପିଟି ହତ୍ୟା କରିଥିଲେ ।
ପାକିସ୍ତାନରେ ଅଜଣା ଆକ୍ରମଣକାରୀ ରବିବାର ତାମ୍ବାଙ୍କୁ ଗୁଳି କରି ମାରିଥିଲେ । ବର୍ତ୍ତମାନ ପାକିସ୍ତାନ ପଞ୍ଜାବ ପ୍ରଦେଶର ଜଣେ ପୋଲିସ ଅଧିକାରୀ ଦାବି କରିଛନ୍ତି ଯେ ସରଫରାଜ ତାମ୍ବା ଜୀବିତ ଅଛନ୍ତି । ଲସ୍କର-ଏ-ତାଇବା (ଏଲ୍ଇଟି)ର ସଂସ୍ଥାପକ ହାଫିଜ ସଇଦଙ୍କ ଘନିଷ୍ଠ ସହଯୋଗୀ ତାମ୍ବାଙ୍କୁ ସନ୍ତତ ନଗରସ୍ଥିତ ତାଙ୍କ ଘରେ ଆକ୍ରମଣକାରୀ ମୋଟରସାଇକେଲରେ ଆସି ଆକ୍ରମଣ କରିଥିଲେ । ତାମ୍ବାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା, ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।
କିନ୍ତୁ ଏପଟେ ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) ଅପରେସନ୍ସ ଲାହୋର ସୟଦ ଅଲି ରଜା ଗଣମାଧ୍ୟମକୁ କହିଛନ୍ତି ଯେ ତାମ୍ବା ଜୀବିତ ଅଛନ୍ତି । ସେ ଗୁରୁତର ଆହତ ହୋଇଛନ୍ତି । ତେବେ ସେ କେଉଁଠାରେ ଚିକିତ୍ସିତ ହେଉଛନ୍ତି, ତାହା ଏସ୍ଏସ୍ପି କହିନାହାନ୍ତି ।
ଏହି ପୂରା ଘଟଣାକ୍ରମ ଭିତରେ ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକବି ସରଫରାଜ ତାମ୍ବାଙ୍କ ହତ୍ୟା ପଛରେ ଭାରତର ହାତ ଥିବା ଆଶଙ୍କା କରିଛନ୍ତି । ସୂଚନାଯୋଗ୍ୟ, ଗତ ରବିବାର ଅପରାହ୍ନରେ ପୁରୁଣା ଲାହୋରର ସନ୍ତତ ନଗରରେ ଦୁଇଜଣ ଅଜ୍ଞାତ ଆକ୍ରମଣକାରୀ ତାମ୍ବାଙ୍କ ଉପରକୁ ଗୁଳି ଚଳାଇଥିଲେ । ତାମ୍ବାଙ୍କ ସାନଭାଇ ଜୁନୈଦ ସରଫରାଜଙ୍କ ଅଭିଯୋଗ କ୍ରମେ ପୋଲିସ ସେମାନଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ କରିଛି ।