ରଣଜୀ ଲଢ଼େଇ : ଓଡ଼ିଶା ବୋଲର୍‌ଙ୍କ କମାଲ, ଜମ୍ମୁ କଶ୍ମୀର ୧୨୭ରେ ଅଲ୍‌ଆଉଟ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ହାଡ଼ଥରା ଶୀତରେ ଜମ୍ମୁଠାରେ ଆଜି ଜମ୍ମୁ କଶ୍ମୀର ସହିତ ଆରମ୍ଭ ହୋଇଛି ଓଡ଼ିଶାର ରଣଜୀ ମ୍ୟାଚ୍‌ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ମାତ୍ର ୧୨ ରନ୍‌ କରି ଅଲ୍‌ଆଉଟ୍‌ ହୋଇଛି । ଓ୍ଵଇସ ଶାହା ସର୍ବାଧିକ ୪୪ ରନ୍‌ କରିଥିଲେ । ଓଡ଼ିଶା ପକ୍ଷରୁ ବସନ୍ତ ମହାନ୍ତି ୨୪ ରନ୍‌ରେ ୩ ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ ୨୭ ରନ୍‌ରେ ୪ଟି ଏବଂ ସ୍ପିନର ଧୀରାଜ ସିଂହ ୯ ରନ୍‌ରେ ୨ଟି ଓ୍ଵିକେଟ୍‌ ଦଖଲ କରିଥିଲେ ।
ପରେ ଓଡ଼ିଶା ପ୍ରଥମ ଇନିଂସ୍‌ ଆରମ୍ଭ କରି ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଗୋଟିଏ ଓ୍ଵିକେଟ୍‌ ହରାଇ ୯୧ ରନ୍‌ କରିଛି । ଏହା ସହିତ ପ୍ରଥମ ଇନିଂସ୍‌ରେ ଅଗ୍ରଣୀ ନେବାର ରାସ୍ତା ସଫା କରିଛି । ଆଜିର ଖେଳ ଶେଷ ବେଳକୁ ଓପ୍ନର ଅନୁରାଗ ଷଡ଼ଙ୍ଗୀ ୫୬ (୧୦୫ ବଲ୍‌, ୧୧ ଚୌକା) ଏବଂ ଦେବାଶିଷ ସାମନ୍ତରାୟ ୨୦ ରନ୍‌ କରି ଖେଳୁଥିଲେ । ଅନ୍ୟତମ ଓପ୍ନର ଶାନ୍ତନୁ ମିଶ୍ର ୫ ରନ୍‌ କରି ଇରଫାନ୍‌ ପଠାନ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଛନ୍ତି ।
ଜମ୍ମୁର ଗାନ୍ଧୀ ମେମୋରିଆଲ ସାଇନ୍ସ କଲେଜ ଗ୍ରାଉଣ୍ଡରେ ଏହି ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌-ସି’ର ଏହି ମ୍ୟାଚ୍‌ ଚାଲିଛି । ଗ୍ରୁପ୍‌ରେ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ ଖେଳି ୨ଟି ବିଜୟ, ୩ଟି ପରାଜୟ ଓ ଗୋଟିଏ ମ୍ୟାଚ୍‌ ଡ୍ର ରଖି ୧୩ ପଏଣ୍ଟରେ ରହିଛି ଓଡ଼ିଶା ଦଳ ।
ସ୍କୋର : ଜମ୍ମୁ କଶ୍ମୀର ପ୍ରଥମ ଇନିଂସ୍‌-୧୨୭, ୫୩.୩ ଓଭର (ଓ୍ଵଇସ ଶାହା ୪୪, ବସନ୍ତ ମହାନ୍ତି ୧୬-୮-୨୪-୩, ସୂର୍ଯ୍ୟକାନ୍ତ ପ୍ରଧାନ ୧୫-୬-୨୭-୪, ଧୀରାଜ ସିଂହ ୮.୩-୩-୯-୨ । ଓଡ଼ିଶା ପ୍ରଥମ ଇନିଂସ୍‌-୯୧/୧ (ଅନୁରାଗ ଷଡ଼ଙ୍ଗୀ ଅପରାଜିତ ୫୬, ଦେବାଶିଷ ସାମନ୍ତରାୟ ଅପରାଜିତ ୨୦) ।

 

Leave A Reply

Your email address will not be published.