Below header

ପ୍ରଭୁ ହନୁମାନ! ଆପଣ ଆପଣଙ୍କ ଜାତିଗତ ପ୍ରମାଣପତ୍ର ସହ ହାଜର ହୁଅନ୍ତୁ, ନହେଲେ…

ରାମାୟଣରେ ବୋବାଲ କରିଥିବା ବୀର ହନୁମାନଙ୍କୁ ନେଇ ଏବେ ସାରା ଦେଶରେ ବୋବାଲ । ରାମ ଜନ୍ମଭୂମି ବିବାଦ ବର୍ଷ ବର୍ଷ ଧରି ଲାଗି ରହିଥିବା ବେଳେ ଏବେ ରାମଙ୍କ ଭକ୍ତ ହନୁମାନଙ୍କ ପଛରେ ପଡ଼ି ଯାଇଛନ୍ତି ଭାରତ ଭୂଖଣ୍ଡର ନେତାମାନେ । କିଏ କହିଲାଣି ସେ ଜାଠ୍‌ ଆଉ କିଏ କହୁଛି ସେ ମୁସଲମାନ ତ ପୁଣି କିଏ କହୁଛି ସେ ଜୈନ । ଏବେ ସମାଜବାଦୀ ପାର୍ଟି କହିଛି ହନୁମାନ ଗୋଣ୍ଡ ଜାତିର ବୋଲି ।
ବିଶ୍ୱ ବ୍ରହ୍ମାଣ୍ଡରେ ୭ ଜଣ ଚିରଞ୍ଜୀବୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହନୁମାନ । ଦେଶରେ ତାଙ୍କର କୋଟି କୋଟି ଭକ୍ତ ରହିଛନ୍ତି । ଭକ୍ତଙ୍କ ଭାବାବେଗ ସହ ଖେଳିବାକୁ ପଛାଉ ନାହାନ୍ତି । ନେତାମାନେ । ସଉତୁଣୀ ଭଳି ଦାଣ୍ଡରେ ଘାଟରେ କଳି କରୁଛନ୍ତି କେବଳ ସ୍ୱାର୍ଥ ସାଧନ ଓ ତୁଚ୍ଛ ରାଜନୀତି ପାଇଁ । ଏମାନେ ଭଗବାନଙ୍କୁ ବି ଛାଡ଼ିଲେ ନାହିଁ । ଚିରଞ୍ଜୀବୀ ହନୁମାନ ତାଙ୍କ ସମୟରେ କଣ କଣ କରିଛନ୍ତି ଟିକେ ଏଇ ନେତାମାନେ ମନେ ପକାଇବା ଉଚିତ । ଗଦା ପ୍ରହାରରେ ଶତ୍ରୁଙ୍କ ସଂହର, ଲଙ୍କା ଦହନ, ଗନ୍ଧମାର୍ଦନ ପର୍ବତ ଉଠାଇ ଆଣିବା ଭଳି ଅନେକ ଚମତ୍କାର କରିଛନ୍ତି । ହେଲେ ଏମାନେ ତାଙ୍କ ଜାତି ଗୋତ୍ର କଥା ଉଠାଇ ଅଯଥା ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି । ଏମାନଙ୍କୁ ମହାବୀର କ୍ଷମା ଦେବେ ତ ? ନା ନିଜେ ଆଧାର କାର୍ଡ଼, ଭୋଟର ପରିଚୟପତ୍ର ଓ ଜାତିଗତ ପ୍ରମାଣପତ୍ର ଧରି ଆସି ଦେଖାଇବେ ?

HANUMAN-2

ଦେଶର ରାସ୍ତା ପାର୍ଶ୍ୱ ହେଉ କି ମନ୍ଦିର ବେଢ଼ା ସବୁ ଠାରେ ହନୁମନ୍ତ ବୀର ନିଜ ବିରାଟ ଗଦା ସହ ବିରାଜମାନ । ବିଭିନ୍ନ ସ୍ଥାନରେ ହନୁମାନଙ୍କ ମୂର୍ତ୍ତି ତିଆରି ବେଳେ ସବୁ ଜାତିର ଲୋକେ ଚାନ୍ଦା ଦେଇଥାନ୍ତି । ପୂଜାରେ ବି ସାମିଲ ହୁଅନ୍ତି । ଦେଶରୁ ଜାତି ପ୍ରଥା ଉଠାଇବା ପାଇଁ ବର୍ଷ ବର୍ଷ ଧରି ପ୍ରୟାସ ଚାଲିଛି । ସରକାରୀ କାଗଜପତ୍ରରେ ନାମକୁ ମାତ୍ର କାମ ହୋଇଛି । ଏ ଭିତରେ ଜାତୀୟ ସ୍ତରର ନେତା ଉଠାଉଛନ୍ତି ଭଗବାନଙ୍କ ଜାତି କଥା । ହୁଏତ ରାମାୟଣ ବେଳେ ଏକଥା ପ୍ରଭୁ ରାମଚନ୍ଦ୍ର ପଚାରି ନଥିବେ । ନହେଲେ ସେ ବାନର ସେନା ଧରି ବୁଲି ନଥାନ୍ତେ । ବାନର ହୋଇ ସେମାନେ ତ ଭଲ କାମ କରିଥିଲେ । ହେଲେ ଆମର ଏଇ ମଣିଷମାନେ ବାନର ଠାରୁ ହୀନ କାମ କରୁଛନ୍ତି ।
ହୁଏତ ହନୁମାନଙ୍କ ପରେ ଅନ୍ୟ ଠାକୁର ଦେବତାଙ୍କୁ ତାଙ୍କ ଜାତି ଗୋତ୍ରର ପ୍ରମାଣ ଦେବାକୁ ପଡ଼ି ପାରେ । ସତରେ ଲଜ୍ଜା ଥିଲେ ଏସବୁ କଥା ଉଠାନ୍ତେ ନାହିଁ ନେତାମାନେ । କହିବାକୁ ଗଲେ ପରୋକ୍ଷରେ ଏମାନେ ହନୁମାନଙ୍କ ଭଳି ଜଣେ ନିଷ୍ଠାବାନ୍‌ ଓ ବିଶ୍ୱସ୍ତ ଭକ୍ତଙ୍କର ଉପହାସ କରୁଛନ୍ତି । ଯେଉଁ କଥାର କୌଣସି ଆଧାର ନାହିଁ । ଆଉ ଏ କଥାର ସ୍ରଷ୍ଟା ହେଉଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗତ ମାସ ରାଜସ୍ଥାନରେ ଏକ ନିର୍ବାଚନୀ ସଭାରେ ଭାଷଣ ଦେବା ବେଳେ ହନୁମାନ ଦଳିତ ଜାତିର ବୋଲି ସେ କହିଥିଲେ । ତା ପରଠାରୁ ଚାଲିଛି ଏକ ପ୍ରହସନ । ଯାହାକୁ ସୋସିଆଲ ମିଡଆରେ ପ୍ରବଳ ମାତ୍ରାରେ ବିରୋଧ କରାଯାଉଛି । ଧର୍ମକୁ ନେଇ ରାଜନୀତି କରାନଯାଉ । ବିଶେଷ କରି ସର୍ବପୂଜିତ ହନୁମାନଙ୍କର ଅନ୍ତତଃ ମାନ ରଖନ୍ତୁ ମାନନୀୟ ନେତାଗଣ । ନଚେତ ଏମିତି ପରିସ୍ଥିତି ସୃଷ୍ଟି ହେବ ଯାହା ହନୁମାନଙ୍କ ଲଙ୍କାକାଣ୍ଡ ଠାରୁ କିଛି କମ୍‌ ହେବ ନାହିଁ ।

ହିମାଂଶୁ ପତିମିଶ୍ର

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.