୧୮ରେ ଚେନ୍ନାଇରେ ବସିବ ଆଇପିଏଲ ହାଟ, ନିଲାମରେ ମୋଟ ୨୯୨ ଜଣଙ୍କ ମଧ୍ୟରେ ଅଛନ୍ତି ୧୬୪ ଭାରତୀୟ ଓ ଦୁଇ ଓଡ଼ିଆ ଖେଳାଳି

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ୧୮ରେ ଚେନ୍ନାଇରେ ବସିବ ଆଇପିଏଲ ହାଟ । ଚାଲିବ ଖେଳାଳି ନିଲାମ । ୨୦୨୧ ନିଲାମରେ ଅଛନ୍ତି  ୧୬୪ ଭାରତୀୟ ଓ ୧୨୮ ବିଦେଶୀ ଖେଳାଳି । ୨୯୨ ଖେଳାଳିଙ୍କ ତାଲିକା ପ୍ରକାଶ କରିଛି ଆଇପିଏଲ ପରିଚାଳନା ପରିଷଦ । ନିଲାମ ବେଳେ ଫୋକସରେ ରହିବେ ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକରଙ୍କ ପୁଅ ତଥା ମୁମ୍ବାଇର ଫାଷ୍ଟ ବୋଲର ଅର୍ଜୁନ ତେନ୍ଦୁଲକର । ତାଙ୍କ ବେସ ପ୍ରାଇସ ରହିଛି ୨୦ ଲକ୍ଷ ଟଙ୍କା । ସୟଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫିରେ ମୁମ୍ବାଇ ସିନିୟର ଟିମରୁ ଖେଳିଥିଲେ ସଚିିନଙ୍କ ସୁପୁତ୍ର । ଏ ଯାଏଁ ୨ଟି ଟି-୨୦ ମ୍ୟାଚ ଖେଳିଥିବା ଅର୍ଜୁନଙ୍କୁ ୨ଟି ଓ୍ଵିକେଟ ମିିଳିଛି ।କେଉଁ ଦଳ ଅର୍ଜୁନଙ୍କୁ ନେବେ ତାକୁ ଏବେ ସମସ୍ତଙ୍କ ଅପେକ୍ଷା ।

ipl 3 ସେହିପରି ୧୬୪ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଅଛନ୍ତି ଦୁଇ ଓଡ଼ିଆ । ବ୍ୟାଟସମ୍ୟାନ ଶୁଭ୍ରାଂଶୁ ସେନାପତି ଓ ଅଲରାଉଣ୍ଡର ଗୋବିନ୍ଦ ପୋଦ୍ଦାର ନିଲାମ ହାଟରେ ଭାଗ ନେବେ । ଉଭୟଙ୍କ ମୂଳ ନିଲାମ ମୂଲ୍ୟ ୨୦ ଲକ୍ଷ ଟଙ୍କା ରଖାଯାଇଛି । କେଉଁ ଟିମ୍‌ ଏହି ଦୁଇ ଓଡ଼ିଆ ଖେଳାଳିଙ୍କୁ କିଣୁଛି, ତାରି ଉପରେ ନଜର ରହିଛି । ଗତମାସରେ ଖେଳା ଯାଇଥିବା ସୟଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଉଭୟ ଶୁଭ୍ରାଂଶୁ ଓ ଗୋବିନ୍ଦ ପୋଦ୍ଦାର ଭଲ ପ୍ରଦର୍ଶନ କରିଥିଲେ । ଏଥିପାଇଁ ଚୂଡାନ୍ତ ଆଇପିଏଲ ନିଲାମ ତାଲିକାରେ ଦୁଇ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି ।

ଗତମାସରେ ୬ ଖେଳାଳିଙ୍କ ନାଁ ସୁପାରିଶ କରିଥିଲା ଓସିଏ । ରାକେଶ ଧୂପର, ପପୁ ରାୟ, ଗୌରବ ଚୌଧୁରୀ, ରାକେଶ ମହାନ୍ତି ଓ ତାରିଣୀ ସାଙ୍କ ନାଁ ଚୂଡାନ୍ତ ତାଲିକାରେ ନାହିଁ । ପୂର୍ବ ଆଇପିଏଲ୍‌ ଅକ୍ସନ୍‌ରେ ବହୁ ଓଡ଼ିଆ ଖେଳାଳିଙ୍କୁ ମନୋନୀତ କରାଯାଇଛି । ଷ୍ଟାର୍‌ ଅଲରାଉଣ୍ଡର ବିପ୍ଳବ ସାମନ୍ତରାୟ, ୱିକେଟକିପର ହଳଧର ଦାସଙ୍କ ଭଳି ଖେଳାଳି ଆଇପିଏଲ୍‌ରେ ଦମ ଦେଖାଇଛନ୍ତି । ବିପ୍ଳବ ସନରାଇଜର୍ସ ହାଇଦ୍ରାବାଦ ଓ ହଳଧର ଡେକାନ୍‌ ଚାର୍ଜର୍ସ ଟିମ୍‌ ପକ୍ଷରୁ ଖେଳଛନ୍ତି ।

ipl 2

ଅକ୍ସନରେ ଦୁଇ ଭାରତୀୟ ଖେଳାଳୀ ହରଭଜନ ସିଂ, କେଦାର ଯାଦବଙ୍କ ବ୍ରେସ୍‌ ପ୍ରାଇସ୍‌ ସର୍ବାଧିକ ୨ କୋଟି ଟଙ୍କା ରହିଛି । ୮ ବିଦେଶୀ ଖେଳାଳିଙ୍କ ବେସ୍‌ ପ୍ରାଇସ୍‌ ରହିଛି ୨ କୋଟି ଟଙ୍କା । ସେହିପରି ୧୨ଜଣ ବିଦେଶୀ ଖେଳାଳିଙ୍କର ବେସ୍‌ ପ୍ରାଇସ୍‌ ଦେଢ କୋଟି ଟଙ୍କା ରହିଥିବା ବେଳେ ୨ ଭାରତୀୟ ଓ ୯ ବିଦେଶୀଙ୍କର ବେସ୍‌ ପ୍ରାଇସ୍‌ ୧ କୋଟି, ୧୫ ବିଦେଶୀଙ୍କର ୭୫ ଲକ୍ଷ ଏବଂ ୧୩ ଭାରତୀୟ ଓ ୫୨ ବିଦେଶୀଙ୍କର ବେସ୍‌ ପ୍ରାଇସ୍‌ ୫୦ ଲକ୍ଷ ରହିଛି । ବାକି ଖେଳାଳିମାନଙ୍କର ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କା ରହିଛି ।

ଫେବୃଆରୀ ୪ ତାରିଖ ସୁଦ୍ଧା ଆଇପିଏଲ୍‌ ଅକ୍ସନ ପାଇଁ ୧ ହଜାର ୧୧୪ ଖେଳାଳି ପଞ୍ଜିକରଣ କରିଥିଲେ । ଅକ୍ସନ୍‌ ପାଇଁ ମୋଟ ୨୯୨ ଜଣ ଖେଳାଳିଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି । ଏମାନଙ୍କ ମଧ୍ୟରେ ୧୬୪ ଭାରତୀୟ ଖେଳାଳି ଥିବା ବେଳେ ବିଦେଶୀ ଖେଳାଳିଙ୍କ ସଂଖ୍ୟା ରହିଛି ୧୨୮ ।

 

ଆଇପିଏଲ ସିଜିନ ୧୪ ପାଇଁ ଆସନ୍ତା ୧୮ ତାରିଖରେ ଚେନ୍ନାଇରେ ବସିବ ହାଟ । ଚୁଡାନ୍ତ ନିଲାମରେ ମୋଟ ୨୯୨ ଜଣଙ୍କ ମଧ୍ୟରେ ଅଛନ୍ତି ୧୬୪ ଭାରତୀୟ ଖେଳାଳି । ତାଲିକାରେ ଦୁଇ ଓଡ଼ିଆ ଶୁଭ୍ରାଂଶୁ ସେନାପତି ଓ ଗୋବିନ୍ଦ ପୋଦ୍ଦାର ସ୍ଥାନ ପାଇଛନ୍ତି । ଫୋକସରେ ଅଛନ୍ତି ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.