ହୃଦ୍ଘାତରେ ସେନ୍ ଓ୍ଵାର୍ଣ୍ଣଙ୍କ ପରଲୋକ ହୋଇଥିବା ସୂଚନା

ମେଲବର୍ଣ୍ଣ : ଅନ୍ତର୍ଜାତୀୟ କ୍ରିକେଟ୍ ବଡ଼ ଝଟ୍କା । ଅଷ୍ଟ୍ରେଲିଆ କ୍ରିକେଟ୍ ପାଇଁ ଦାରୁଣ ଦୁଃଖ । ମହାନ୍ ସ୍ପିନର୍ ସେନ୍ ଓ୍ଵାର୍ଣ୍ଣଙ୍କର ଅକାଳ ବିୟୋଗ ହୋଇଛି । ମାତ୍ର ୫୨ ବର୍ଷ ବୟସରେ ଓ୍ଵାର୍ଣ୍ଣଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ସନ୍ଦେହ କରାଯାଉଛି କି ତାଙ୍କୁ ହୃଦଘାତ ହୋଇଛି ।
ବିଶ୍ୱ କ୍ରିକେଟ୍ରେ ସେ ହେଉଛନ୍ତି ଦ୍ୱିତୀୟ ସର୍ବାଧିକ ଓ୍ଵିକେଟ୍ ଦଖଲକାରୀ । ଜଣେ ଲେଗସ୍ପିନର ଭାବେ ତାଙ୍କର ଖୁବ୍ ଖ୍ୟାତି ଥିଲା ।
ସେନ୍ ଓ୍ଵାର୍ଣ୍ଣ ଥାଇଲାଣ୍ଡର ସାମୁଇ ଠାରେ ଏକ ଭିଲ୍ଲାରେ ଥିଲେ । ସେଠାରେ ତାଙ୍କୁ ହୃଦଘାତ ହୋଇଥିଲା । ତାଙ୍କୁ ତୁରନ୍ତ ଚିକିତ୍ସା ଦିଆଯାଇଥିଲା । ତେବେ ଡାକ୍ତରଙ୍କ ସବୁ ପ୍ରଚେଷ୍ଟା ସତ୍ତ୍ୱେ ସେ ବଞ୍ଚି ପାରିଲେନି ।
ଓ୍ଵାର୍ଣ୍ଣ ୧୯୯୨ ମସିହାରେ ନିଜର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିଲେ । ତେବେ ପ୍ରଥମ ବର୍ଷ ତାଙ୍କୁ ଖୁବ୍ ସଂଘର୍ଷ କରିବାକୁ ପଡ଼ିଥିଲା । କିନ୍ତୁ ଦ୍ୱିତୀୟ ବର୍ଷରୁ ସେ ନିଜର ବୋଲିଂରେ ଉନ୍ନତି ଆଣି ଅଷ୍ଟ୍ରେଲିଆ ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ନେଲେ । ସେହି ବର୍ଷ ଆସେସ୍ ସିରିଜ୍ରେ ଇଂଳଣ୍ଡ ଖେଳାଳି ମାଇକ୍ ଗ୍ୟାଟିଂଙ୍କୁ ଯେଉଁଭଳି ଭାବେ ଆଉଟ୍ କଲେ ସେହି ବଲ୍କୁ କୁହାଗଲା ‘ବଲ୍ ଅଫ୍ ଦି ସେଞ୍ଚୁରୀ’ । ୧୯୯୬ ଓ ୧୯୯୯ରେ ତାଙ୍କ ବୋଲିଂ ବଳରେ ଅଷ୍ଟ୍ରେଲିଆ ବିଶ୍ୱ ଚାମ୍ପିଅନ୍ ହୋଇ ପାରିଥିଲା ।
ତେବେ ବିଶ୍ୱ କ୍ରିକେଟ୍ରେ ଭାରତର ସଚିନ୍ ତେନ୍ଦୁଲକର ଏବଂ ସେନ୍ ଓ୍ଵାର୍ଣ୍ଣଙ୍କ ଲଢ଼େଇକୁ ସବୁ କ୍ରିକେଟ୍ପ୍ରେମୀ ମନେ ରଖିଛନ୍ତି । ସାରା ବିଶ୍ୱର ବ୍ୟାଟସମ୍ୟାନ୍ ମାନେ ତାଙ୍କର ଶିକାର ହୋଇ ଚାଲିଥିବା ବେଳେ ତେନ୍ଦୁଲକର ତାଙ୍କୁ ଏମିତି ପ୍ରହାର କଲେ ଯେ ଓ୍ଵାର୍ଣ୍ଣ ଡରିବା ଆରମ୍ଭ କଲେ । ଏମିତିକି ସେ ନିଜେ କହିଥିଲେ ଯେ ରାତିରେ ମୋତେ ତେନ୍ଦୁଲକର ଭୂତ ଲାଗୁଛି ।
ଅବଶ୍ୟ ଓ୍ଵାର୍ଣ୍ଣଙ୍କ କ୍ୟାରିୟର ଯେତେ ସଫଳ ଥିଲା ତାଙ୍କ ପଡ଼ିଆ ବାହାର ଜୀବନ ସେତିକି ବିବାଦୀୟ ରହିଥିଲା । ଡ୍ରଗ୍ ମାମଲା ଏବଂ ବିଭିନ୍ନ ନାରୀମାନଙ୍କ ସହ ସମ୍ପର୍କକୁ ନେଇ ସବୁବେଳେ ସେ ଚର୍ଚ୍ଚାରେ ରହୁଥିଲେ । ତେବେ ୨୦୦୩ରେ ଡ୍ରଗ୍ ମାମଲାରେ ତାଙ୍କୁ ଆଇସିସି ଏକ ବର୍ଷ ପାଇଁ କ୍ରିକେଟ୍ ଜଗତରୁ ବାସନ୍ଦ କରିଥିଲା । ଏହାପରେ ସେ ଫେରିଥିଲେ ସତ କିନ୍ତୁ ଆଉ ଆଗ ଭଳି ତାଙ୍କ ବୋଲିଂରେ ଧାର ନଥିଲା । ପରେ ସେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇ ଯାଇଥିଲେ । ଏହାପରେ ସେ ଆଇପିଏଲ୍ରେ ରାଜସ୍ଥାନ ରୟାଲସ ପକ୍ଷରୁ ଖେଳିଥିଲେ ଏବଂ ପରବର୍ତ୍ତୀ ସମୟରେ କୋଚ୍ ଭଳି ପରାମର୍ଶଦାତା ରହିଥିଲେ । ୨୦୧୩ ପର୍ଯ୍ୟନ୍ତ ରାଜସ୍ଥାନ ରୟାଲ୍ସ ସହିତ ରହିବା ପରେ ୨୦୧୮ରୁ କ୍ରିକେଟ୍ କମେଣ୍ଟେଟର ଭାବେ କାର୍ଯ୍ୟ କରୁଥିଲେ ।