ବାବର ଆଜମଙ୍କୁ ଶ୍ରେଷ୍ଠ ଦିନିକିଆ କ୍ରିକେଟର ସମ୍ମାନରେ ସମ୍ମାନିତ କଲା ଆଇସିସି

ବାବର ଆଜମଙ୍କୁ ଶ୍ରେଷ୍ଠ ଦିନିକିଆ କ୍ରିକେଟର ସମ୍ମାନରେ ସମ୍ମାନିତ କରିଛି ଆଇସିସି । ସମଗ୍ର ବିଶ୍ୱର ଅନେକ ଶ୍ରେଷ୍ଠ ଖେଳାଳିଙ୍କୁ ପଛରେ ପକାଇ ଏହି ଆଓ୍ଵାର୍ଡ ଜିତିଛନ୍ତି ବାବର । ସେ ୨୦୨୨ ବର୍ଷରେ ପାକିସ୍ତାନ ପାଇଁ ଏକାଧିକ ମ୍ୟାଚ୍ ୱିନିଂ ଇନିଂସ ଖେଳିଥିଲେ। ସେ ୨୦୨୨ରେ ୩ଟି ଶତକ ସହ ୮୪.୮୭ ହାରରେ ମୋଟ ୬୭୯ ରନ କରିଥିଲେ।

ଆଇସିସି ୨୦୨୨ ପାଇଁ ପାକିସ୍ତାନ କ୍ରିକେଟ ଟିମ୍‌ ଅଧିନାୟକ ବାବର ଆଜମଙ୍କୁ ‘କ୍ରିକେଟର ଅଫ ଦ ଇଅର’ ଏବଂ ‘ଦିନିକିଆ କ୍ରିକେଟର ଅଫ ଦ ଇଅର’ ଟ୍ରଫି ପ୍ରଦାନ କରିଛି । ଏଥିପାଇଁ ସେ ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଂର ୧ନଂ ସ୍ଥାନରେ ରହିଛନ୍ତି। ୨୦୨୧ ଜୁଲାଇ ମାସରୁ ସେ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ୨୮ ବର୍ଷୀୟ ବାବର ୯ଟି ଦିନିକିଆ ମ୍ୟାଚ ଖେଳିବା ସହ ୩ଟି ଶତକ ଓ ୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

ବାବର ୨୦୨୨ରେ ୪୪ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେ ୫୪.୧୨ ହାରରେ ମୋଟ ୨୫୯୮ ରନ କରିଛନ୍ତି। ଏଥିରେ ୮ଟି ଶତକ ଓ ୧୭ଅର୍ଦ୍ଧଶତକ ରହିଛି। ଏହି ବର୍ଷରେ ବାବର ଏକାଧିକ ରେକର୍ଡ ଭାଙ୍ଗିବା ସହ ଭଲ ପ୍ରଦର୍ଶନ କରିଥିଲେ। ପାକିସ୍ତାନ ଲାହୋରରେ ଖେଳିଥିବା ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ଦିନିକିଆ ସିରିଜ ୨୦୨୨ରେ ହାରିଛି। ବାକି ସବୁ ସିରିଜରେ ପାକିସ୍ତାନ ଜିତିଥିଲା। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ହାରିଥିଲେ ମଧ୍ୟ ବାବର ଦମଦାର ବ୍ୟାଟିଂ କରିଥିଲେ। ତେବେ ବାବରଙ୍କୁ ଏହି ଆଓ୍ଵାର୍ଡ ମିଳିବା ପରେ ଟ୍ଵିଟରରେ ଟ୍ରେଣ୍ଡ କରୁଥିଲେ । ପାକିସ୍ତାନୀ ଫ୍ୟାନ୍ସ ବାବରଙ୍କୁ ପ୍ରଶଂସା କରୁଛନ୍ତି ।

ଏହାପୂର୍ବରୁ ଆଇସିସି ୨୦୨୨ରେ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଶ୍ରେଷ୍ଠ ଦିନିକିଆ ଟିମ ଗଠନ କରିଥିଲା। ଏହାର ଅଧିନାୟକ ଭାବେ ବାବର ଆଜାମଙ୍କୁ ଚୟନ କରାଯାଇଥିଲା। ଏହି ଟିମରେ ଭାରତର ଶ୍ରେୟସ ଆୟର ଓ ମହମ୍ମଦ ସିରାଜ ରହିଥିଲେ। ଏମାନଙ୍କ ବ୍ୟତୀତ ଟ୍ରାଭିସ ହେଡ୍, ଶାଇ ହୋପ୍, ଟମ ଲାଥମ, ଶିକନ୍ଦର ରାଜା, ମେହଦି ହାସନ ମିର୍ଜା, ଅଲଜାରି ଯୋଶେଫ, ଟ୍ରେଣ୍ଟ ବୋଲ୍ଟ ଓ ଆଡାମ ଜାମ୍ପା ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.