ବିଷ୍ଣୁ ବିଶାଲଙ୍କୁ ବିବାହ କରିବେ ବ୍ଯାଡମିଣ୍ଟନ ଖେଳାଳି ଜ୍ବାଲା ଗୁଟ୍ଟା, ଦୁହେଁ ସେୟାର କଲେ ଟ୍ବିଟ୍

ଭାରତର ଷ୍ଟାର ବ୍ଯାଡମିଣ୍ଟନ ଖେଳାଳି ଜ୍ବାଲା ଗୁଟ୍ଟା ଖୁବଶୀଘ୍ର ତାମିଲ ଫିଲ୍ମ ସୁପରଷ୍ଟାର ବିଷ୍ଣୁ ବିଶାଲ ବିବାହ କରିବାକୁ ଯାଉଛନ୍ତି। ଦୁଇଜଣ ଏହି ମାସ ୨୨ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଉଭୟ ଷ୍ଟାର ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେମାନଙ୍କ ଫ୍ୟାନ୍ସମାନଙ୍କ ସହ ଏହି ସୂଚନା ସେୟାର କରିଛନ୍ତି । ବିଷ୍ଣୁ ହେଉଛନ୍ତି ତାମିଲ ସିନେମା ଇଣ୍ଡଷ୍ଟ୍ରୀର ଜଣେ ଲୋକପ୍ରିୟ ସୁପରଷ୍ଟାର। ଫିଲ୍ମ ଛଡା ନିଜର ବଡି ପାଇଁ ମଧ୍ୟ ବେଶ ଚର୍ଚ୍ଚିତ ବିଷ୍ଣୁ।

ଅଭିନେତା ବିଷ୍ଣୁ ବିଶାଲ ଟ୍ୱିଟରରେ ବିବାହ କାର୍ଡ ସେୟାର କରି ଲେଖିଛନ୍ତି, “ଜୀବନ ହେଉଛି ଏକ ଯାତ୍ରା … ଏହାକୁ ଆଲିଙ୍ଗନ କର … ବିଶ୍ୱାସ ରଖ ଏବଂ ଆଗକୁ ବଢ … ଆପଣଙ୍କ ଭଲପାଇବା ଏବଂ ସମର୍ଥନ ସବୁଥର ପରି ଆବଶ୍ୟକ ।” ଏଥି ସହିତ ଜ୍ୱାଲା ଏବଂ ବିଶାଲ ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ବିବାହ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ସମାରୋହ ହେବ । ଯେଉଁଥିରେ କେବଳ ପରିବାର ଏବଂ ନିକଟତର ସମ୍ପର୍କୀୟଙ୍କୁ ନିମନ୍ତ୍ରଣ କରାଯିବ।

ସୂଚନାଯୋଗ୍ଯ, ବିଷ୍ଣୁ ବିଶାଲ ଏବଂ ଜ୍ୱାଲା ଗୁଟ୍ଟା ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିଲେ । ପୂର୍ବରୁ ଜ୍ବାଲା ଗୁଟ୍ଟା ଚେତନ ଆନନ୍ଦଙ୍କୁ ବିବାହ କରି ୨୦୧୧ରେ ଛାଡପତ୍ର ଦେଇଥିଲେ। ସେହିପରି ବିଷ୍ଣୁ ବିଶାଲ ପୂର୍ବରୁ ରଜନୀଙ୍କୁ ବିବାହ କରିଥିଲେ। ସେମାନଙ୍କର ଏକ ପୁତ୍ର ମଧ୍ୟରହିଛି। କିନ୍ତୁ ଦୁହିଁଙ୍କ ମଧ୍ୟରେ ମତଭେଦ ହେବାରୁ ଏମାନେ ମଧ୍ୟ ୨୦୧୮ରେ ଛାଡପତ୍ର ଦେଇଥିଲେ। ଏବେ କିନ୍ତୁ ଜ୍ବାଲା ଏବଂ ବିଷ୍ଣୁ ଦୁହେଁ ନିଜ ଜୀବନକୁ ପୁଣିଥରେ ଆରମ୍ଭ କରିବାକୁ ଯାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.