ବିଶ୍ୱକପର ୩ ମାସ ପୂର୍ବରୁ ସନ୍ନ୍ୟାସ ନେଲେ ଏହି ଟିମର ଅଧିନାୟକ, ସାମ୍ବାଦିକ ସମ୍ମିଳନୀ କରି କାନ୍ଦିଲେ

ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଲେ ବାଂଲାଦେଶ ଦିନିକିଆ ଟିମର ଅଧିନାୟକ ତାମିମ ଇକବାଲ । ସାମ୍ବାଦିକ ସମ୍ମିଳନୀ କରି ଏହା ଘୋଷଣା କରିବା ବେଳେ ନିଜ କୋହକୁ ସମ୍ଭାଳିପାରିନଥିଲେ ତାମିମ ।

ବାଂଲାଦେଶ ଦିନିକିଆ ଟିମର ଅଧିନାୟକ ତାମିମ ଇକବାଲ ଆନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ତାମିମ । ଆଉ ସନ୍ନ୍ୟାସ ଘୋଷଣା କରିବା ପରେ କାନ୍ଦି ପକାଇଛନ୍ତି ତାମିମ । ଭାରତରେ ହେବାକୁ ଥିବା ବିଶ୍ୱକପ ତିନି ମାସ ପୂର୍ବରୁ ତାଙ୍କର ଏହି ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଏହା ମୋ ପାଇଁ ଶେଷ ସମୟ । ମୁଁ ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଛି । ମୁଁ ଏହି ସମୟରେ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନାସ ନେଉଛି । ମୋ ଟିମର ସମସ୍ତ ସାଥି, କୋଚ, ବିସିବି ଅଧିକାରୀ ଏବଂ ପରିବାରର ସଦସ୍ୟଙ୍କୁ ଧନ୍ୟବାଦ, ମୋ ଲମ୍ବା ଯାତ୍ରାରେ ସେମାନେ ସମସ୍ତେ ମୋତେ ସହଯୋଗ କରିଛନ୍ତି । ସେମାନେ ମୋ ଉପରେ ବିଶ୍ୱାସ ରଖିଛନ୍ତି । ତେଣୁ ସମସ୍ତଙ୍କୁ ଧନ୍ୟବାଦ ।

ବାଂଲାଦେଶ ଗୋଟେ ଦିନ ପୂର୍ବରୁ ଆଫଗାନିସ୍ତାନ ଠାରୁ ଦିନିକିଆ ମ୍ୟାଚ୍‌ ହାରିଥିଲା । ଆଉ ଏହି ହାର ପରେ ତାମିମଙ୍କ ସନ୍ନ୍ୟାସ ନେବା ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ମ୍ୟାଚରେ ହାରିବା ପରେ ତାଙ୍କ ଅଧିନାୟକତ୍ୱ ଦାୟିତ୍ୱକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା । ଫ୍ୟାନ୍ସ ତାଙ୍କୁ ବହୁତ ଗାଳି କରୁଥିଲେ ।

ତାମିମ ୨୦୦୭ରେ ବାଂଲାଦେଶ ପାଇଁ ଦିନିକିଆରେ ଡେବ୍ୟୁ କରିଥିଲେ । ଦିନିକିଆ କ୍ୟାରିୟରରେ ସେ ବାଂଲାଦେଶ ପାଇଁ ସର୍ବାଧିକ ୮୩୧୩ ରନ୍ ସ୍କୋର କରିଛନ୍ତି, ଯେଉଁଥିରେ ୧୪ଟି ଶତକ ସାମିଲ ଅଛି । ସକ୍ରିୟ ଖେଳାଳିଙ୍କ ତାଲିକାରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପରେ ସେ ସର୍ବାଧିକ ରନ୍ ସ୍କୋର କରିଥିବା ଖେଳାଳି ।

ତାମିମ ୭୦ ଟେଷ୍ଟ୍ ମ୍ୟାଚ୍ରେ ୩୮.୮୯ ହାରରେ ୫୧୩୪ ରନ୍ ସ୍କୋର କରିଛନ୍ତି, ଯେଉଁଥିରେ ୧୦ଟି ଶତକ ସାମିଲ ଅଛି । ଗତବର୍ଷ ସେ ଟି-୨୦ ରୁ ଅବସର ଘୋଷଣା କରିଥିଲେ । ଚଳିତ ବର୍ଷ ଏପ୍ରିଲ ମାସରେ ଆୟରଲ୍ୟାଣ୍ଡ ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ।

ତେବେ ତାଙ୍କ ସନ୍ନ୍ୟାସ ଘୋଷଣା କରିବା ପରେ ବାଂଲାଦେଶ କ୍ରିକେଟ ବୋର୍ଡ ଟିମର ଅଧିନାୟକ ଦାୟିତ୍ୱ କାହାକୁ ଦିଆଯିବ ତାହା ଘୋଷଣା କରାଯାଇନାହିଁ । କିନ୍ତୁ ଶାକିବ ଅଲ ହସନ ଟି୨୦ ଏବଂ ଲିଟନ ଦାସ ଟେଷ୍ଟ ଟିମର ଦାୟିତ୍ୱ ସମ୍ଭାଳୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.