BCCIକୁ ଦ୍ୱିତୀୟ ଥର ମିଳିଲା ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ! ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ୧ ଲକ୍ଷରୁ ଅଧିକ ଦର୍ଶକ ଦେଖିଥିଲେ IPL 2022 ଫାଇନାଲ

BCCI ପୁଣିଥରେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି। ଆଇପିଏଲ୍‌ ୨୦୨୨ର ଫାଇନାଲ ମ୍ୟାଚ୍‌ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦର୍ଶକଙ୍କ ମୋଟ ସଂଖ୍ୟା ଥିଲା ୧୦୧,୫୬୬। ପ୍ରଥମ ଥର ବିଶ୍ୱର କୌଣସି ଷ୍ଟାଡିୟମ୍‌ରେ ୧ ଲକ୍ଷରୁ ଅଧିକ ଦର୍ଶକ ଆସି ମ୍ୟାଚ୍‌ ଉପଭୋଗ କରିଥିଲେ, ଯାହାକି ଏକ ବଡ଼ ଉପଲବ୍ଧି। ସେହି ଦୃଷ୍ଟିରୁ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡରେ ରେକର୍ଡଟି ସ୍ଥାନ ପାଇଛି। BCCI ଦ୍ୱିତୀୟ ଥର ପାଇଁ ଓ୍ଵାର୍ଲ୍ଡ ରେକର୍ଡରେ ନିଜ ନାମକୁ ସ୍ଥାନିତ କରାଇଛି।

BCCI ଟ୍ଵିଟ୍‌ କରି ଲେଖିଛି କି, ‘ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ବହୁତ ବଡ଼ ମୁହୂର୍ତ୍ତ। କାହିଁକି ନା, ଭାରତ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡରେ ନିଜ ନାମକୁ ପଞ୍ଜୀକୃତ କରାଯାଇଛି। ଆମର ସମସ୍ତ ପ୍ରଶଂସକ ଓ ଦର୍ଶକଙ୍କ ଜୋସ୍‌ ଏବଂ ଅତୁଟ ସମର୍ଥନ କାରଣରୁ ଏହା ସଫଳ ହୋଇପାରିଛି। ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ ଏବଂ ଆଇପିଏଲ୍‌କୁ ଶୁଭକାମନା’।

BCCI ସଚିବ ଜୟ ଶାହ ଟ୍ଵିଟ୍‌ କରି ଲେଖିଛନ୍ତି, ‘ଟି୨୦ ମ୍ୟାଚ୍‌ରେ ସବୁଠାରୁ ବଡ଼ ଉପସ୍ଥିତି ପାଇଁ ଗିନିଜ୍‌ ଓ୍ଵିର୍ଲ୍ଡ ରେକର୍ଡ ପ୍ରାପ୍ତ ହୋଇଥିବାରୁ ବହୁତ ଖୁସି ଏବଂ ଗର୍ବର କଥା। ଯେତେବେଳେ କି, ୧୦୧,୫୬୬ ଲୋକ ଏକ ସାଥୀରେ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଦେଖିଥିଲେ। ୨୯ ମେ’, ୨୦୨୨ର ଆଇପିଏଲ୍‌ ଫାଇନାଲରେ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ୧ ଲକ୍ଷରୁ ଅଧିକ ଦର୍ଶକ ଏକାଠି ମ୍ୟାଚ୍‌ ଉପଭୋଗ କରିଥିଲେ। ଏହି ସମ୍ଭବ ବନାଇବା ପାଇଁ ଆମ ପ୍ରଶଂସକମାନଙ୍କୁ ବହୁତ ବହୁତ ଧନ୍ୟବାଦ’।

କହି ରଖୁଛୁ, ଆଇପିଏଲ୍‌ ୨୦୨୨ର ଫାଇନାଲ ମ୍ୟାଚ୍‌ ପୂର୍ବରୁ BCCI ଓ୍ଵାର୍ଲ୍ଡ ରେକର୍ଡ କରିଥିଲା। BCCI ସବୁଠାରୁ ବଡ଼ କ୍ରିକେଟ ଜର୍ସି ତିଆରି କରି ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡରେ ନିଜ ନାମ ପଞ୍ଜୀକୃତ କରାଇଥିଲା। ଏହି ଜର୍ସିରେ ସମସ୍ତ ୧୦ ଆଇପିଏଲ୍‌ ଟିମ୍‌ର ଲୋଗୋ ରହିଛି। ଏହି ବିଶାଳକାୟ ଜର୍ସିର ସାଇଜ୍‌ ରହିଛି ୬୬×୪୨।