ମନସ୍କାମନା ପୂରଣ ପରେ ଦ୍ୱାରିକାଧୀଶଙ୍କ ଦର୍ଶନ ପାଇଁ ୪୫୦ କିଲୋମିଟର ଚାଲିକରି ଆସିଲେ ୨୫ ଗାଈ

ଦ୍ୱାରକା : ହିନ୍ଦୁ ଧର୍ମରେ କୌଣସି କାର୍ଯ୍ୟ ପାଇଁ ଦେବାଦେବୀଙ୍କ ନିକଟରେ ମାନସିକ କରାଯାଇଥାଏ । ଏବଂ ଏହି ମାନସିକ ପୂରଣ ହେଲେ ଦେବତାଙ୍କୁ ଦର୍ଶନ କରିବାର ବିଧି ରହିଛି । ଏହିପରି ଏକ ମାନସିକ କରିଥିଲେ ଗୁଜରାଟ କୁଚ ଅଂଚଳର ମହାଦେବ ଦେଶାଇ । ତାଙ୍କର ରୋଗାଗ୍ରସ୍ତ ଗାଈଗୁଡିକଙ୍କର ଦେହ ସୁସ୍ଥ ନେଇ ସେ ଦ୍ୱାରିକାଧୀଶଙ୍କ ନିକଟରେ ମାନସିକ କରିଥିଲେ ।
ଯଦି ତାଙ୍କ ଗାଈ ସବୁ ରୋଗରୁ ଭଲ ହୋଇଯାନ୍ତି, ସେ ଗାଈଙ୍କ ସହ ଦ୍ୱାରିକାଧୀଶଙ୍କ ଦର୍ଶନ କରିବାକୁ ଆସିବେ । ତାଙ୍କର ଗାଈଗୁଡିକ ଏକ ପ୍ରକାର ଚର୍ମ ରୋଗ (ଭାତୁଡି)ରେ ଆକ୍ରାନ୍ତ ହୋଇଥିଲେ । ଏହି ରୋଗରେ ଆକ୍ରାନ୍ତ ହେଲେ ଗାଈସବୁ ସାଧାରଣତଃ ମରି ଯାଇଥାନ୍ତି ।
ତାଙ୍କର ମାନସିକ ମୁତାବକ ଗାଈସବୁ ଏହି ରୋଗରୁ ଭଲ ହୋଇଯାଇଥିଲେ । ତାଙ୍କର କୌଣସି ଗାଈ ବି ମରି ନଥିଲେ । ଫଳରେ ସେ ନିଜର ମାନସିକ ପୂରଣ ପାଇଁ ତାଙ୍କର ୨୫ ଟି ଗାଈକୁ ଧରି ଦ୍ୱାରିକାଧୀଶଙ୍କ ଦର୍ଶନ ନିମନ୍ତେ ପ୍ରାୟ ୪୫୦ କିଲୋମିଟର ଚାଲି ଚାଲି ଆସିଥିଲେ । ଗାଈଙ୍କ ଦେଖାଶୁଣା କରିବା ପାଇଁ ତାଙ୍କ ସହ ୫ ଜଣ ସହକର୍ମୀ ମଧ୍ୟ ଆସିଥିଲେ । ଏଥିପାଇଁ ତାଙ୍କୁ ୧୭ ଦିନ ସମୟ ଲାଗିଥିଲା । ସେ ଗତ ୨୧ ତାରିଖରେ ପହଞ୍ଚିଥିଲେ ଦ୍ୱାରିକାରେ ।
ମନ୍ଦିର ପ୍ରଶାସନ ଗାଈଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଭାବେ ରାତିରେ ମନ୍ଦିର ଖୋଲିଥିଲେ । ୨୫ ଗାଇ ସହ ମାଲିକ ମହାଦେବ ଦେଶାଇ ମନ୍ଦିର ଭିତରକୁ ଯାଇ ଦ୍ୱାରିକାଧୀଶଙ୍କ ଦର୍ଶନ କରିଥିଲେ । ଦ୍ୱାରିକାଧୀଶଙ୍କ ଉପରେ ଥିବା ତାଙ୍କର ବିଶ୍ୱାସ ପୂରଣ ହୋଇଥିଲା ।