ସହିପାରିଲେନି ଖେଳରେ ପରାଜୟ, ଗୁଳି ଚଳାଇ ନେଲେ ୭ ଜଣଙ୍କ ଜୀବନ

ପୁଲ୍‌ ଗେମରେ ହାରିଯିବାର ପାଖରେ ଥିବା ଲୋକେ ହସିଦେଲେ । ଆଉ ପରାଜୟ ସହିପାରିଲେନି ବ୍ୟକ୍ତି । ଖେଳ ଓ ପଇସା ହାରିଯିବାରୁ ଗୁଳିକାଣ୍ଡ କରି ନେଲେ ୭ ଜଣଙ୍କ ଜୀବନ । ବ୍ରାଜିଲର ସିନୋପରେ ଘଟିଛି ଏମିତି ଘଟଣା ।

ଖେଳରେ ହାରି ଯାଇ ରାଗରେ ଗୁଳି ଚଳାଇ ଦେଲେ ଦୁଇଜଣ ବ୍ୟକ୍ତି । ଆଉ ଚାଲିଗଲା ୭ ଜଣଙ୍କ ଜୀବନ। ବ୍ରାଜିଲର ମାଟୋଗ୍ରୋସୋ ରାଜ୍ୟର ସିନୋପ ସହରରେ ଏମିତି ଘଟଣା ଘଟିଛି । ଏଠାରେ ଏକ ପୁଲ ଗେମ୍ ଚାଲିଥିବା ବେଳେ ଏହି ଗୁଳିକାଣ୍ଡ ଘଟିଛି । ଦୁଇଜଣ ଲୋକ ସେଠାରେ ଉପସ୍ଥିତ ଥିବା ଦର୍ଶକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ଫଳରେ ଘଟଣା ସ୍ଥଳରେ ୬ ଜଣଙ୍କର ଏବଂ ଅନ୍ୟ ଜଣେ ହସପିଟାଲରେ ମୃତ୍ୟୁବରଣ କରିଥିଲେ ।

ସୂଚନା ଅନୁସାରେ, ବିଲିଆର୍ଡ଼ସ ଭଳି ଖେଳା ଯାଉଥିବା ପୁଲ ଗେମ୍ରେ ଏଡଗାର ରିକାର୍ଡ଼ୋ ଡି ଓଲିଭିଏରା ନାମକ ଜଣେ ବ୍ୟକ୍ତି ମ୍ୟାଚ୍ ସହ ବାଜି ଲାଗିଥିବା ପଇସା ବି ହାରିଗଲେ । ଜିତିଥିବା ବ୍ୟକ୍ତି ଜଣକ ତାଙ୍କୁ ଆଉଥରେ ଖେଳିବା ପାଇଁ ଚ୍ୟାଲେଞ୍ଜ ଦେଇ ପୁଣି ହରାଇ ଦେଲେ । ଓଲିଭିଏରା ଦ୍ୱିତୀୟଥର ହାରିବା ଘଟଣାରେ ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କ ଉପରେ ହସି ଦେଲେ ।

ଫଳରେ ପରାଜୟରେ ବିବ୍ରତ ଥିବା ଓଲିଭିଏରା ଏବଂ ତାଙ୍କର ଜଣେ ବନ୍ଧୁ ମିଶି ବନ୍ଧୁକ ବାହାର କରି ଗୁଳି ଚଳାଇ ଥିଲେ । ତାଙ୍କ ସହ ଖେଳୁଥିବା ବ୍ୟକ୍ତି, ପୁଲର ମାଲିକ ଏବଂ ଖେଳ ଦେଖୁଥିବା ଲୋକଙ୍କ ଉପରକୁ ଗୁଳି କରିଥିଲେ। ଘଟଣା ସ୍ଥଳରେ ଚାଲିଗଲା ୬ଟି ଜୀବନ । ଡାକ୍ତରଖାନାରେ ଆଉ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତକଙ୍କ ମଧ୍ୟରେ ଜଣେ ୧୨ ବର୍ଷର ବାଳିକା ମଧ୍ୟ ଅଛନ୍ତି । ପୂରା ଘଟଣା ସେଠାରେ ଥିବା ସିସିଟିଭିରେ ରେକର୍ଡ଼ିଂ ହୋଇଥିଲା । ଆକ୍ରମଣକାରୀ ଦୁଇ ଜଣ ଫେରାର ଅଛନ୍ତି । ପୋଲିସ୍ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.