ଖେଲୋ ଇଣ୍ଡିଆରେ ଭାଇ ଭାଇର ଲଢ଼େଇ, ବକ୍ସିଂ ରିଙ୍ଗରେ ଦେଖିବାକୁ ମିଳିଲା ‘ଇମୋସନ୍‌ ଓ ଆକସନ୍‌’

ଭୁବନେଶ୍ୱର (କେ ନ୍ୟୁଜ୍‌) : ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପାଇଁ ।ନୀୟ କିଟ୍‌ ବିଶ୍ୱବିଦ୍ୟାଳୟ ପରିସର ପାଲଟି ଯାଇଛି ମିନି ଇଣ୍ଡିଆ । ସାରା ଦେଶର ଯୁବ ପିଢ଼ିର କ୍ରୀଡ଼ାବିତ୍‌ମାନେ ଏଠି ଏକାଠି ହୋଇଛନ୍ତି । ଅନେକ ଘଟଣା ବହୁଳ ହୋଇଛି ଏହି ପ୍ରତିଯୋଗିତା । ପୂର୍ବରୁ ଆମେ କହିଥିଲୁ ଦୁଇ ଭାଇ ଭଉଣୀଙ୍କ ବିଷୟରେ । ଯେଉଁମାନେ ଏଠି ପ୍ରତିଯୋଗିତାରେ ଭାଗ ନେଇ ସଫଳ ହୋଇଛନ୍ତି । ଆଜି ଆଉ ଏକ ପାରିବାରିକ ଘଟଣା ସାମନାକୁ ଆସିଛି । ହେଲେ ଟିକେ ଭିନ୍ନ ଢଙ୍ଗରେ । ପାତିଆଲାର ଦୁଇ ଭାଇଙ୍କୁ ଏଠାରେ ଦେଖିବାକୁ ମିଳିଥିଲା ବକ୍ସିଂ ରିଙ୍ଗରେ । ଦୁଇ ଭାଇ ଦୁଇଟି ଅଲଗା ବିଶ୍ୱବିଦ୍ୟାଳୟ ତରଫରୁ ଖେଳୁଥିଲେ ଏବଂ ଯୋଗ ଏମିତି ଘଟିଲା ଯେ ଦୁଇଜଣ ଯାକ ପରସ୍ପରର ମୁହାଁମୁହିଁ ହେଲେ । ସେମାନେ ହେଲେ ପାତିଆଲାର ଗୁରବିନ୍ଦର ସିଂହ ଓ ହରବିନ୍ଦର ସିଂହ ।
ଏମାନେ ଗୋଟିଏ ମା ପେଟର ଭାଇ । ତେବେ ଭାଗ୍ୟ ସେମାନଙ୍କୁ ଗୋଟିଏ ବକ୍ସିଂହ ରିଙ୍ଗ୍‌କୁ ଟାଣି ଆଣିଥିଲା । ୪୯ କିଲୋ ବର୍ଗର ଫାଇନାଲ୍‌ରେ ମୁହାଁମୁହିଁ ହୋଇଥିଲେ ଦୁଇ ଭାଇ । ଉଭୟଙ୍କ ଭିତରେ ଥିଲା ଭାବପ୍ରବଣତା । କାରଣ ରକ୍ତର ଭାଇ ସେମାନେ । କିଭଳି ଭାବେ ପରସ୍ପରକୁ ସାମନା କରିବେ ଏଇ ଚିନ୍ତା ନେଇ ରିଙ୍ଗରେ ପ୍ରବେଶ କରିଥିଲେ । ଅବଶ୍ୟ ପ୍ରତିଯୋଗିତା ବେଳେ ସେମାନଙ୍କ ମନରେ କେବଳ ଥିଲା ପ୍ରତିଦ୍ୱନ୍ଦ୍ୱିତାର ଭାବନା । ନିଜ ଦଳକୁ ପଦକ ଦେବାର ସ୍ୱପ୍ନ । ଭୁଲି ଯାଇଥିଲେ ସେମାନେ ଭାଇ ଭାଇ ବୋଲି । ପରସ୍ପରକୁ ଖୁବ୍‌ ଆକ୍ରମଣ କରିଥିଲେ । ଭାଇର ମୁଥରେ ଭାଇ ଆହତ ମଧ୍ୟ ହୋଇଛି । ତେବେ ଶେଷରେ ବଡ଼ ଭାଇ ଗୁରବିନ୍ଦର ଏହି ଫାଇନାଲ୍‌ ମ୍ୟାଚ୍‌କୁ ୨-୧ରେ ଜିତି ସ୍ୱର୍ଣ୍ଣ ପଦକ ଜିତିଲେ ଓ ହରବିନ୍ଦରଙ୍କୁ ମିଳିଲା ରୌପ୍ୟ ପଦକ । ଗୁରବିନ୍ଦର ପଞ୍ଜାବର ପାତିଆଲା ବିଶ୍ୱବିଦ୍ୟାଳୟ ଏବଂ ହରବିନ୍ଦର ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ତରଫରୁ ଖେଳୁଛନ୍ତି ।
ଆଉ ଏକ କଥାରେ ମଧ୍ୟ ଏମାନଙ୍କର ସମାନତା ରହିଛି । ସେମାନଙ୍କର କୋଚ୍‌ ହେଉଛନ୍ତି ଜଣେ । ବିଜେନ୍ଦର ସିଂହ ଓ ମେରୀକମ୍‌ଙ୍କ ଭଳି ଷ୍ଟାର୍‌ ବକ୍ସର ସୃଷ୍ଟି କରିଥିବା କ୍ୟୁବାର କୋଚ୍‌ ବେରଣ୍ଡେଜ୍‌ ସେମାନଙ୍କୁ ତାଲିମ ଦେଉଛନ୍ତି । ବକ୍ସିଂରେ ଦୁଇ ଭାଇଙ୍କ ଭବିଷ୍ୟତ ଖୁବ୍‌ ଉଜ୍ଜ୍ୱଳ ବୋଲି ମଧ୍ୟ ସେ କହିଛନ୍ତି । ବେରଣ୍ଡେଜ୍‌ଙ୍କୁ ପ୍ରଥମ ଅଣଭାରତୀୟ ଭାବେ ୨୦୧୨ରେ ‘ଦ୍ରୋଣାଚାର୍ଯ୍ୟ’ ପୁରସ୍କାର ମିଳିଥିଲା । ଯାହା ଶ୍ରେଷ୍ଠ କୋଚ୍‌ଙ୍କୁ ଦିଆଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.