ମାଳଦ୍ବୀପରେ ଅଷ୍ଟ୍ରେଲିଆ ଖେଳାଳିଙ୍କ କିଛି ଦୂରରେ ପଡିଥିଲା ଚୀନର ରକେଟ, ୱାର୍ଣ୍ଣର ବଖାଣିଲେ ଅଙ୍ଗେ ନିଭାଇଥିବା କଥା

କରୋନା ଯୋଗୁଁ ଆଇପିଏଲ୍ ୨୦୨୧ ସ୍ଥଗିତ ରହିବା ପରେ ଅଷ୍ଟ୍ରେଲିଆ ଖେଳାଳି ନିଜ ଦେଶରେ କଟକଣା କାରଣରୁ ନିଜ ଦେଶକୁ ଫେରି ପାରିନାହାନ୍ତି। ଏବେ ଖେଳାଳିମାନେ ମାଳଦ୍ଵୀପର ରିସର୍ଟରେ କ୍ଵାରେଣ୍ଟିନରେ ଅଛନ୍ତି। ହେଲେ ଅଷ୍ଟ୍ରେଲିଆ ଖେଳାଳି ଏକ ଘଟଣା କାରଣରୁ ଭୟଭୀତ ହୋଇ ପଡିଥିଲେ। ଚୀନର ଅନିୟନ୍ତ୍ରିତ ରକେଟର ଭଗ୍ନାବଶେଷ ମାଳଦ୍ଵୀପ ନିକଟରେ ଭାରତ ମହାସାଗରରେ ଖସିଥିଲା। ବଡ କଥା ବାୟୁମଣ୍ଡଳରେ ପ୍ରବେଶ କରିବା ମାତ୍ରେ ରକେଟର ଅଧିକାଂଶ ଅଂଶ ଜଳି ଯାଇଥିଲା। ଏହି କାରଣରୁ କୌଣସି ବଡ ଧରଣର କ୍ଷତି ଘଟିନଥିଲା।

ରକେଟ୍ ଯେଉଁଠି ପଡିଥିଲା, ସେଠାରୁ କିଛି ଦୂରରେ ଥିବା ରିସର୍ଟରେ ଅଷ୍ଟ୍ରେଲିଆ ଖେଳାଳି ଓ ସଦସ୍ୟ ରହିଛନ୍ତି। ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ସହିତ ଅନେକ ଖେଳାଳି ରକେଟ୍ ଖସିବାର ଶବ୍ଦ ଶୁଣିଥିଲେ। ସେମାନଙ୍କୁ ଲାଗିଥିଲା ଯେ, କୌଣସି ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ଡେଭିଡ୍ ଓ୍ଵାର୍ଣ୍ଣର ଡରି ଯାଇଥିଲେ।

ୱାର୍ଣ୍ଣର ‘ଦ ଅଷ୍ଟ୍ରେଲିଆନ’ ସହ ଆଲୋଚନା ବେଳେ ଏହି ଘଟଣାର ଉଲ୍ଲେଖ କରି କହିଛନ୍ତି, ଆମେ ରିସର୍ଟରେ ଗଭୀର ନିଦରେ ଶୋଇଥିବା ବେଳେ ସକାଳ ପ୍ରାୟ ୫ଟା ୩୦ରେ ଏକ ବଡ ଧରଣର ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା। ଏଥିରେ ଆମେ ଭୟଭୀତ ହୋଇ ପଡିଥିଲୁ। ବିଶେଷଜ୍ଞ ଜଣାଇଲେ ଯେ, ଏହି ବିସ୍ଫୋରଣ ରକେଟ୍ ବାୟୁମଣ୍ଡଳରେ ପ୍ରବେଶ କରିବା କାରଣରୁ ହୋଇଥିଲା। ଏହି କାରଣରୁ ଜୋରରେ ଶବ୍ଦ ହୋଇଥିଲା।

ସୂଚନାଯୋଗ୍ୟ, ଚୀନର ଅନିୟନ୍ତ୍ରିତ ରକେଟ୍ କୌଣସି କ୍ଷତି ନ ପହଞ୍ଚାଇ ଭାରତ ମହାସାଗରରେ ମାଳଦ୍ଵୀପ ନିକଟରେ ଖସି ପଡିଛି। ମେ ୯ ତାରିଖ ରବିବାର ସକାଳ ପ୍ରାୟ ୮ଟାରେ ରକେଟ୍ ଭାରତ ମହାସାଗରରେ ଖସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.