Below header

ଚତୁର୍ଥ ଦିନିକିଆରେ ଧୋନି ନଥିଲେ ବୋଲି ବାରି ହୋଇପଡ଼ିଲା

ଗତକାଲି ମୋହାଲିରେ ଭାରତ ବନାମ ଅଷ୍ଟ୍ରେଲିଆ ଚତୁର୍ଥ ଦିନିକିଆରେ କଙ୍ଗାରୁ ଦଳ ଜିତିଲା । ଗୋଟିଏ ସମୟରେ ଭାରତ ଜିତିବ ବୋଲି ଲାଗୁଥିଲା । ହେଲେ ଯୁବ ବ୍ୟାଟ୍‌ସମ୍ୟାନ୍‌ ଆଷ୍ଟନ୍‌ ଟର୍ଣ୍ଣର ଜୋରଦାର ବ୍ୟାଟିଂ କରି ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଲେ । ଆହୁରି ୧୩ଟି ବଲ୍‌ ବାକି ଥାଇ ଅଷ୍ଟ୍ରେଲିଆ ଦଳ ୪ ଓ୍ଵିକେଟ୍‌ରେ ବିଜୟୀ ହେଲା ଏବଂ ସିରିଜ୍‌କୁ ସମାନ ୨-୨ ସ୍ତରକୁ ନେଇ ଆସିଲା ।
ଏହି ମ୍ୟାଚ୍‌ରେ ପରୀକ୍ଷା ମୂଳକ ଭାବେ ୪ ଜଣ ଖେଳାଳିଙ୍କୁ ବିଶ୍ରାମ ଦେଇ ଅନ୍ୟ ୪ ଜଣଙ୍କୁ ଭାରତ ଖେଳାଇଥିଲା । ହେଲେ ସବୁଠାରୁ ବେଶି ଅନୁଭବ ହେଲା ମହେନ୍ଦ୍ର ସିଂହ ଧୋନିଙ୍କ ଅନୁପସ୍ଥିତି । ଅବଶ୍ୟ ବ୍ୟାଟିଂରେ ନୁହେଁ ବୋଲିଂ ବେଳେ ଜଣାପଡ଼ିଲା ଯେ ଅଧିନାୟକ ବିରାଟ କୋହଲିଙ୍କ ରଣନୀତି କାମ ଦେଉ ନାହିଁ ।
ଯଦିଓ ବେଶ୍‌ କିଛି ଦିନ ହେବ ଧୋନିଙ୍କ ଉତ୍ତରାଧିକାରୀ ଭାବେ କୋହଲି ଦଳର ଦାୟିତ୍ୱ ନେଲେଣି ହେଲେ ଏବେବି ସେ ଏତେ ଅଭିଜ୍ଞ କି ପରିପକ୍ୱ ହୋଇ ନାହାନ୍ତି । ତେଣୁ ଓ୍ଵିକେଟ୍‌ ପଛରେ ରହୁଥିବା ଧୋନି ମଝିରେ ମଝିରେ ବୋଲରଙ୍କୁ ପରାମର୍ଶ ଦିଅନ୍ତି ଓ ବୋଲର୍‌ ବଦଳାଇବାକୁ ବି କୁହନ୍ତି । ଯେମିତି ଶେଷ ଓଭରରେ ବିଜୟ ଶଙ୍କରଙ୍କୁ ବୋଲିଂ ଦେବାକୁ ଧୋନି ଓ ରୋହିତ ଶର୍ମା କହିଥିଲେ । ଯାହାଫଳରେ ସେ ଦୁଇଟି ଓ୍ଵିକେଟ୍‌ ନେଇ ଦ୍ୱିତୀୟ ମ୍ୟାଚ୍‌ରେ ଦଳକୁ ଜିତାଇ ଥିଲେ । ଏକଥା ଖୋଲାଖୋଲି ସ୍ୱୀକାର କରିଥିଲେ କୋହଲି । ତେବେ ଗତକାଲି କିନ୍ତୁ କୋହଲିଙ୍କୁ ପରାମର୍ଶ ଦେବାକୁ ପାଖରେ ନଥିଲେ ଧୋନି । ଯାହାଫଳରେ ଟର୍ଣ୍ଣର୍‌ ଭାରତୀୟ ବୋଲରଙ୍କୁ ମନ ଇଚ୍ଛା ପ୍ରହାର କରି ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲେ । ଯଦି ଧୋନି ଥାନ୍ତେ ତେବେ ସେ ନିଶ୍ଚୟ କିଛି ବାଟ କରି ମ୍ୟାଚ୍‌ର ଗତି ବଦଳାଇ ଦେଇଥାନ୍ତେ । ଏବେ ଏଇ ଚର୍ଚ୍ଚା ଚାଲିଛି ।
ଏକଥା ସତ ଯେ ଭାରତୀୟ ଦଳରେ ଭଲ ବ୍ୟାଟ୍‌ସମ୍ୟାନ୍‌ଙ୍କ ଅଭାବ ନାହିଁ । ତେବେ ତାଙ୍କ ଭଳି ରଣନୀତି ପ୍ରସ୍ତୁତ କରୁଥିବା ଅଭିଜ୍ଞ ଖେଳାଳିଙ୍କର ଅଭାବ ରହିଛି । ଖାସ୍‌ ସେଇଥି ପାଇଁ ଧୋନି ଭାରତୀୟ ବିଶ୍ୱକପ୍‌ ଦଳରେ ରହିବା ଅପରିହାର୍ଯ୍ୟ ହୋଇପଡ଼ିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.