କିସ୍‌ରେ “ଫୁଟ୍‍ବଲ୍‍ ଫର୍‍ ସ୍କୁଲ୍‍” କାର୍ଯ୍ୟକ୍ରମ, ଉଦ୍‍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଫିଫା ଓ କିସ୍‍ର ମିଳିତ ସହଯୋଗରେ ଆସନ୍ତାକାଲି କିସ୍‌ରେ ଉଦ୍‍ଘାଟିତ ହେବାକୁ ଯାଉଛି ଫୁଟ୍‍ବଲ୍‍ ଫର୍‍ ସ୍କୁଲ୍‍ କାର୍ଯ୍ୟକ୍ରମ। ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲରେ ଉଦ୍‍ଘାଟନ କରିବେ। ଭାରତରେ ଫିଫା ସହଯୋଗରେ ଏହି କାର୍ଯ୍ୟକ୍ରମ ପ୍ରଥମଥର ଲାଗି ଆରମ୍ଭ ହେବାକୁ ଯାଉଛି। କାର୍ଯ୍ୟକ୍ରମରେ ସୁଇଜର୍‍ଲ୍ୟାଣ୍ଡ ସାଂସଦ ଡ. ନିକ୍‍ ଗଗର୍‍, ଫିଫା ସଭାପତି ଜିଏନି ଇନ୍‍ଫାଣ୍ଟିନୋ ଭର୍ଚୁଆଲରେ ଯୋଗ ଦେବେ।

ଏହାଛଡା ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଫିଫା ଫାଉଣ୍ଡେସନ୍‍ କାର୍ଯ୍ୟନିର୍ବାହୀ ଅଧିକାରୀ ୟୁରୀ ଡିଜୋରକେଫ୍‍, ଫିଫା ଫୁଟ୍‍ବଲ୍‍ ଫର୍‍ ସ୍କୁଲ୍‍ର ପ୍ରୋଜେକ୍ଟ ଲିଡର୍‍ ଆଲେକ୍‍ଜେଣ୍ଡ୍ରେ ଗ୍ରସ୍‍, ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ କମିଶନର୍‍ ତଥା ସଚିବ ଆର୍‍. ଭିନିଲ୍‍କ୍ରିଷ୍ନା, ଅଲ୍‍ ଇଣ୍ଡିଆ ଫୁଟ୍‍ବଲ୍‍ ଫେଡେରେସନ୍‍ (ଏଆଇଏଫ୍‍ଏଫ୍‍) ସାଧାରଣ ସମ୍ପାଦକ କୁଶଲ ଦାସ, ଓଡିଶା ଫୁଟ୍‍ବଲ୍‍ ଆସୋସିଏସନ୍‍ ସଭାପତି ଦେବାଶିଷ ସାମନ୍ତରାୟ ଓ ସମ୍ପାଦକ ଆଶୀର୍ବାଦ ବେହେରା, ଫିଫା ପଦାଧିକାରୀ ଆଲେକ୍ସେଣ୍ଡ୍ରା ହୁଟେ, ଆଣ୍ଟୋନିଓ ବୁଏନାନୋ ଏବଂ ଆଲ୍‍ବର୍ଟୋ ଜିଆକୋମିନି ପ୍ରମୁଖ ଉପସ୍ଥିତ ରହିବେ।

ଏହି କାର୍ଯ୍ୟକ୍ରମ ଆରମ୍ଭ ସକାଶେ ଦୀର୍ଘ ଦେଢବର୍ଷ ହେଲା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ଫିଫା ସଭାପତିଙ୍କ ଯୋଗାଯୋଗରେ ଥିଲେ। କରୋନା ମହାମାରୀ ଯୋଗୁଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇପାରି ନଥିଲା। ଶେଷରେ ଫିଫା ଫାଉଣ୍ଡେସନ୍‍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡିଜୋରକେଫ୍‍ ଓ ଫିଫା ଫୁଟ୍‍ବଲ୍‍ ଫର୍‍ ସ୍କୁଲ୍‍ର ପ୍ରୋଜେକ୍ଟ ଲିଡର ଗ୍ରସ୍‍ଙ୍କ ପ୍ରୟାସ କ୍ରମେ ଆସନ୍ତାକାଲି ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମର ଉଦ୍‍ଘାଟନ ପୂର୍ବରୁ କିସରେ ଗତ୨୫ ତାରିଖରୁ ଫିଫା ପକ୍ଷରୁ ଟ୍ରେନିଂ ଫର୍‍ ଟ୍ରେନର ଆରମ୍ଭ ହୋଇଛି। ଏଥିରେ ରାଜ୍ୟର ୧୦୦ଟି ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଏବଂ କିଟ୍‍ ଓ କିସ୍‍ର ୧୦୦ଜଣ ଫୁଟବଲ୍‍ ଖେଳାଳି ଯୋଗ ଦେଇଛନ୍ତି।