ମାତ୍ର ୧ ଟଙ୍କାରେ ପେଟପୂରା ଖାଇବାକୁ ଦେଉଛନ୍ତି ଗୌତମ ଗମ୍ଭୀର, ‘ଜନ ରୋଷେଇ’ରେ ପ୍ରତିଦିନ ଲାଗୁଛି ୧୦୦୦ ଲୋକଙ୍କ ଭିଡ଼

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତମ ଖେଳାଳି ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ‘ଜନ ରୋଷେଇ’ ଭୋଜନାଳୟର ଆରମ୍ଭ କରିଛନ୍ତି। ଜନ ରୋଷେଇରେ ତାଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀ ପୂର୍ବ ଦିଲ୍ଲୀର ଅସହାୟ ଲୋକଙ୍କୁ ମାତ୍ର ୧ ଟଙ୍କାରେ ଦ୍ୱିପ୍ରହରରେ ଖାଇବାକୁ ଦିଆଯାଉଛି। ଏହି ଜନ ରୋଷେଇ କାର୍ଯ୍ୟକ୍ରମରେ ଗୁରୁବାରଠାରୁ ଲୋକଙ୍କୁ ଖାଇବାକୁ ଦେବା ଆରମ୍ଭ ହୋଇଛି। ଏଠାରେ ଖାଦ୍ୟ ଖାଇବାକୁ ଶହ ଶହ ଲୋକଙ୍କ ଭିଡ଼ ଜମୁଛି।

Gambhir

ସୂଚନାଯୋଗ୍ୟ ଯେ, ଗୌତମ ଗମ୍ଭୀର ଫାଉଣ୍ଡେସନ୍‌ଙ୍କ ଭଲ୍ୟୁଣ୍ଟିୟର ପ୍ରଥମେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲୋକଙ୍କୁ ଖାଦ୍ୟର ଟୋକନ୍‌ ବାଣ୍ଟୁଛନ୍ତି। ତା’ପରେ ୫୦-୫୦ ଲୋକ ଜନ ରୋଷେଇକୁ ଯାଇ ଖାଦ୍ୟ ଖାଉଛନ୍ତି। ଏଠାରେ କରୋନା ଗାଇଡ୍‌ଲାଇନ୍‌ର ବିଶେଷ ଧ୍ୟାନ ରଖାଯାଉଛି। ଏଠାରେ ଲାଗିଥିବା ବୋର୍ଡରେ ମଧ୍ୟ ବିନା ମାସ୍କରେ ପ୍ରବେଶ ନିଷେଧ ବୋଲି ଲେଖାଯାଇଛି। ଲୋକମାନେ କେବଳ ଖାଇବା ସମୟରେ ମୁହଁରୁ ମାସ୍କ କାଢ଼ିପାରିବେ। ଖାଇସାରିବା ପରେ ମୁହଁ ଧୋଇ ପୁଣିଥରେ ମାସ୍କ ପିନ୍ଧିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। କେବଳ ମାସ୍କ ନୁହେଁ ସାମାଜିକ ଦୂରତ୍ୱକୁ ମଧ୍ୟ ଏଠାରେ କଡ଼ା କଡ଼ି ପାଳନ କରାଯାଉଛି।

gambhir

ଜନ ରୋଷେଇ କାର୍ଯ୍ୟକ୍ରମକୁ ନେଇ ଗୌତମ ଗମ୍ଭୀର ଫାଉଣ୍ଡେସନ୍‌ର ସିଇଓ ଅପରାଜିତା କହିଛନ୍ତି, ଆମର ଲକ୍ଷ୍ୟ ଥିଲା ଯେପରି କେହି ବି ଉପାସରେ ନ ଶୋଇବେ। ଯଦି କାହା ପାଖରେ ୧ ଟଙ୍କା ବି ନାହିଁ ତେବେ ବି ଆମେ ତାକୁ ଖାଇବାକୁ ଦେଉଛୁ। ଏହା ସମସ୍ତଙ୍କ ପାଇଁ। ଏଠାରେ ଧନୀ ଗରିବ କିଛି ବି ଦେଖାଯାଏନାହିଁ। ଏଠାରେ ଦିନକୁ ପ୍ରାୟ ୫୦୦ରୁ ୧୦୦୦ ଲୋକ ଖାଉଛନ୍ତି। ଲୋକମାନେ ଯେଭଳି କରୋନା ନିୟମ ପାଳନ କରିବେ ସେଥିପାଇଁ ୧୦-୨୫ ଜଣ ସ୍ୱେଚ୍ଛାସେବୀ ମଧ୍ୟ ନିଯୁକ୍ତ ହୋଇଛନ୍ତି। ତେବେ ଖାଦ୍ୟର କ୍ୱାଲିଟିକୁ ନେଇ ସେ କହିଛନ୍ତି ଯେଉଁ ଖାଦ୍ୟ ଲୋକଙ୍କୁ ଦିଆଯାଉଛି ଆମେ ବି ସେହି ଖାଦ୍ୟ ଖାଉଛୁ। ବେଳେବେଳେ ଗୌତମ ଗମ୍ଭୀର ମଧ୍ୟ ଏଠାରେ ଆସି ଖାଉଛନ୍ତି। ଏଣୁ ଖାଦ୍ୟର କ୍ୱାଲିଟିରେ ଏପଟ ସେପଟ କରିବା ପ୍ରଶ୍ନ ଉଠୁନି ବୋଲି ସିଇଓ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.