ଇଂଲଣ୍ଡର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ୍‌ଙ୍କର ଭୟଙ୍କର ଦୁର୍ଘଟଣା; ଏୟାରଲିଫ୍ଟ କରି ନିଆଗଲା ହସ୍ପିଟାଲ

ଇଂଲଣ୍ଡର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ୍‌ ଭୟଙ୍କର କାର୍‌ ଦୁର୍ଘଟଣାର ଶିକାର ହୋଇଛନ୍ତି। ସେ ଏକ ଟେଲିଭିଜନ ଶୋ’ ‘ଟପ୍‌ ଗିୟର’ ପାଇଁ ଶୁଟିଂ କରୁଥିବା ବେଳେ ତାଙ୍କ କାର୍‌ ଦୁର୍ଘଟଣାର ଶିକାର ହୋଇଥିଲା। ଏହାପରେ ତାଙ୍କୁ ଏୟାରଲିଫ୍ଟ କରାଯାଇ ହସ୍ପିଟାଲ ନିଆଯାଇଥିଲା। ବ୍ରିଟିଶ ମିଡିଆ ରିପୋର୍ଟ ମୁତାବକ, ୪୫ ବର୍ଷୀୟ ଫ୍ଲିଣ୍ଟଫ୍‌ଙ୍କୁ ହସ୍ପିଟାଲ ନେବା ପୂର୍ବରୁ ପ୍ରଥମେ ଘଟଣାସ୍ଥଳରେ ହିଁ ପ୍ରାଥମିକ ଚିକିତ୍ସା କରାଯାଇଥିଲା।

କହି ରଖୁଛୁ, ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ୍‌ଙ୍କୁ ଗଭୀର ଆଘାତ ଲାଗିଥିଲେ ମଧ୍ୟ ସେ ବିପଦମୁକ୍ତ ଅଛନ୍ତି। ମଙ୍ଗଳବାର ଦକ୍ଷିଣ ଲଣ୍ଡନର ଡନଫୋଲ୍ଡ ପାର୍କ ଏରୋଡ୍ରମରେ ଇଭେଣ୍ଟ୍‌ର ଟେଷ୍ଟ୍‍ ଟ୍ରାକରେ ଫ୍ଲିଣ୍ଟଫ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଫ୍ଲିଣ୍ଟଫ୍‌, ଇଂଲଣ୍ଡର ସବୁଠାରୁ ଜଣାଶୁଣା ଅଲରାଉଣ୍ଡରଙ୍କ ମଧ୍ୟରୁ ଜଣେ। ତାଙ୍କୁ ‘ଫ୍ରେଡି’ ନାମରେ ବି ଜଣାଯାଇଥାଏ।

ଫ୍ଲିଣ୍ଟଫ୍‌ ୩୨ ବର୍ଷ ବୟସରେ କ୍ରିକେଟକୁ ଅଲ୍‌ବିଦା କହିଥିଲେ। ସେ ଇଂଲଣ୍ଡ ପାଇଁ ୭୯ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ନିଜ କ୍ରିକେଟ୍‌ କ୍ୟାରିୟର ଭିତରେ ଫ୍ଲିଣ୍ଟଫ୍‌ ୨୦୦୫ ଏବଂ ୨୦୦୯ରେ ଇଂଲଣ୍ଡର ଆସେସ୍‌ ଜିତିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଫ୍ଲିଣ୍ଟଫ୍‌ ହିଟ୍‌ ମୋଟର ଶୋ’ ‘ଟପ୍‌ ଗିୟର’ରେ କାମ ଆରମ୍ଭ କରିଥିଲେ। ଏଠାରେ ମଧ୍ୟ ସେ ବହୁତ ଲୋକପ୍ରିୟ ରହିଛନ୍ତି।

ସୂଚନା ଅନୁସାରେ, ଫ୍ରେଡି ମଙ୍ଗଳବାର ସକାଳେ ଟପ୍‌ ଗିୟର ଟେଷ୍ଟ୍‍ ଟ୍ରାକ୍‌ ଉପରେ ଦୁର୍ଘଟଣାର ଶିକାର ହୋଇଥିଲେ, ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ। ଖବର ପାଇ କ୍ରୁ ମେଡିକ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେଇଥିଲେ।

ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ୍‌ ୭୯ଟି ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ପାଇଁ ୩୮୪୫ ରନ୍‌ କରିଛନ୍ତି ଏବଂ ୨୨୬ ଓ୍ଵିକେଟ୍‌ ହାସଲ କରିଛନ୍ତି। ସେହିପରି ସେ ୫ ଶତକ ସହ ତିନିଥର ୫ଟି ଲେଖାଏ ଓ୍ଵିକେଟ୍‌ ନେବାରେ ବି ସଫଳ ହୋଇଛନ୍ତି। ୭ ଟି-୨୦ ମ୍ୟାଚ୍‌ ଖେଳି ଫ୍ଲିଣ୍ଟଫ୍‌ ୫ ଓ୍ଵିକେଟ୍‌ ନେବା ସହ ୭୬ ରନ୍‌ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.