ଆଇସିସି ହଲ୍‌ ଅଫ ଫେମ୍‌ ଲିଷ୍ଟରେ ସାମିଲ ହେଲେ ଜ୍ୟାକ କାଲିସ, ଜାହିର ଆବାସ ଏବଂ ଲିସା ସ୍ଥାଲେକର

ପୂର୍ବତନ ତିନି ଲୋକପ୍ରିୟ ଖେଳାଳିଙ୍କୁ ଆଇସିସି ହଲ୍‌ ଅଫ ଫେମ୍‌ ତାଲିକାରେ ସାମିଲ କରାଯାଇଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲ୍ରାଉଣ୍ଡର ଜ୍ୟାକ୍ କାଲିସ୍, ଅଷ୍ଟ୍ରେଲିଆ ମହିଳା ବିଶ୍ବକପ୍ ବିଜେତା ଦଳର ସଦସ୍ୟା ଲିସା ସ୍ଥାଲେକର ଏବଂ ପାକିସ୍ତାନ କିଂବଦନ୍ତି ବ୍ୟାଟ୍ସମ୍ୟାନ୍ ଜାହିର ଆବାସ ଆଇସିସି କ୍ରିକେଟ୍ ହଲ୍ ଅଫ୍ ଫେମରେ ସଦ୍ୟ ଯୋଡ଼ି ହୋଇଛନ୍ତି।

ଆଇସିସି ଦ୍ୱାରା ଆୟୋଜିତ ଅନ୍ଲାଇନ୍ କାର୍ଯ୍ୟକ୍ରମ ଜରିଆରେ ବିଦ୍ଧିବଦ୍ଧ ଭାବେ ଏହି ତିନିଜଣଙ୍କୁ ସାମିଲ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସୁନୀଲ ଗାଭାସ୍କର, ଶନ ପୋଲକ ଭଳି ଜଣାଶୁଣା ଖେଳାଳି ସାମିଲ ଥିଲେ। ଅନ୍ୟତମ ମହାନ୍ ଅଲ୍ରାଉଣ୍ଡର ଭାବେ ପରିଗଣିତ କାଲିସ୍ ଏକମାତ୍ର କ୍ରିକେଟର୍ ଭାବେ ଉଭୟ ଟେଷ୍ଟ୍ ଏବଂ ଦିନିକିଆ ଆନ୍ତର୍ଜାତିକରେ ୧୦,୦୦୦ ରନ୍ ଏବଂ ୨୦୦ ୱିକେଟ୍ ଦଖଲର ‘ଯୁଗଳ’ ସଫଳତା ହାସଲ କରିଛନ୍ତି। ସେହିପରି ଦିନିକିଆ ଆନ୍ତର୍ଜାତିକରେ ୧୦୦୦ ରନ୍ ଏବଂ ୧୦୦ ୱିକେଟ୍ ଦଖଲର ‘ଯୁଗଳ’ ସଫଳତା ହାସଲ କରିବାରେ ସ୍ଥାଲେକର ଥିଲେ ପ୍ରଥମ ମହିଳା କ୍ରିକେଟର୍।

ଜ୍ୟାକ କାଲିସଙ୍କ ପୂର୍ବରୁ ଦକ୍ଷିଣ ଆଫ୍ରିକାର ୩ଜଣ କ୍ରିକେଟର ଏହି ଲିଷ୍ଟରେ ସାମିଲ ହୋଇସାରିଛନ୍ତି। ସେହିପଳି ପାକିସ୍ତାନର ଜାହିର ଆବାସଙ୍କ ପୂର୍ବରୁ ୫ ଜଣ ପାକିସ୍ତାନୀ ଖେଳାଳି ହଲ୍‌ ଅଫ ଫେମ୍‌ ସୂଚୀରେ ନିଜ ନାମ ସାମିଲ କରିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.