କାଲି ସକାଳ ୭ଟା ୫୦ରେ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ

ସିଡନୀ : ଆସନ୍ତାକାଲି ସିଡନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ଦଳ ଚଳିତ ସିରିଜ୍‌ର ପ୍ରଥମ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବେ । ଟେଷ୍ଟ ସିରିଜ୍‌ ଜିତିବା ପରେ ଏବେ ଜୋରଦାର ଉତସାହରେ ରହିଛି ବିରାଟ ବାହିନୀ । ତେଣୁ ଦିନିକିଆ ସିରିଜ୍‌ ଜିତି ଆଉ ଏକ ରେକର୍ଡ଼ କରିବା ଲକ୍ଷ୍ୟରେ ଅଛନ୍ତି ଅଧିନାୟକ ବିରାଟ କୋହଲି । ଅନ୍ୟପକ୍ଷରେ ଆଇସିସି ବିଶ୍ୱ କପ୍‌ ଆଉ ଅଳ୍ପ ଦିନ ବାକି ଥିବାରୁ ଏହି ସିରିଜ୍‌ ଉଭୟ ଦଳ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ।

PRACTICE-1

ଏହି ସିରିଜ୍‌ରେ ୩ଟି ଦିନିକିଆ ମ୍ୟାଚ୍‌ ଖେଳାଯିବ । ଆସନ୍ତାକାଲି ସକାଳ ୭ଟା ୫୦ରେ ଖେଳ ଆରମ୍ଭ ହେବ । ତେବେ ସିଡନୀରେ ବର୍ଷାର ସମ୍ଭାବନା ଅଛି । ତେଣୁ ଶେଷ ଟେଷ୍ଟ ମ୍ୟାଚ୍‌ର ଅନ୍ତିମ ଦୁଇ ଦିନ ଭଳି ପ୍ରଥମ ଦିନିକିଆ ମଧ୍ୟ ଧୋଇଯିବାର ଆଶଙ୍କା ରହିଛି । ତଥାପି ଉଭୟ ଦଳ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି । ଆଜି ଉଭୟ ଦଳର ଅଧିନାୟକ ଦିନିକିଆ ସିରିଜ୍‌ର ଟ୍ରଫିକୁ ପ୍ରଦର୍ଶନ କରିଥିଲେ ।
ଏପଟେ ବିବାଦୀୟ ସ୍ଥିତିରେ ଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ୍‌ ରାହୁଲଙ୍କୁ ନେଇ ଅନିଶ୍ଚିତତା ଲାଗି ରହିଛି । ସେମାନଙ୍କୁ କାଲି ୧୧ ଜଣିଆ ଦଳରୁ ବାଦ୍‌ ଦିଆଯାଇ ପାରେ ବୋଲି ସୂଚନା ମିଳୁଛି । ଏମାନଙ୍କ ଜାଗାରେ କେଦାର ଯାଦବ ଖେଳିବାର ସମ୍ଭାବନା ରହିଛି । ସେହିପରି ଯଶପ୍ରୀତ ବୁମରା ଦିନିକିଆ ଦଳରୁ ବାଦ୍‌ ପଡ଼ିବା ପରେ ତାଙ୍କ ସ୍ଥାନ ନେଇଛନ୍ତି ଭୁବନେଶ୍ୱର କୁମାର । ତେବେ ପୁଣି ଦଳକୁ ଫେରିଥିବା ଓ୍ଵିକେଟ୍‌ କିପର ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ସମସ୍ତଙ୍କର ନଜର ରହିବ । ଗତ ମ୍ୟାଚ୍‌ଗୁଡ଼ିକରେ ଭଲ ବ୍ୟାଟିଂ କରି ନଥିବାରୁ ଏଥର ସେ ସ୍କାନର୍‌ରେ ରହିବେ ।
ଅଷ୍ଟ୍ରେଲିଆ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଉପଅଧିନାୟକ ମିଚେଲ ମାର୍ଶ ଅସୁସ୍ଥ ଥିବାରୁ ତାଙ୍କ ଜାଗାରେ ଖେଳିବେ ଆଷ୍ଟନ୍‌ ଟର୍ଣ୍ଣର୍‌ ।

ଆଜି ସିଡନୀରେ ଭାରତୀୟ ଦଳର ଅଧିନାୟକ କୋହଲି ଏବଂ କୋଚ୍‌ ରବି ଶାସ୍ତ୍ରୀଙ୍କୁ ସମ୍ମାନିତ କରାଯାଇଛି । ସେମାନଙ୍କୁ ସିଡନୀ କ୍ରିକେଟ୍‌ ଗ୍ରାଉଣ୍ଡର ଆଜୀବନ ସଦସ୍ୟ ଭାବେ ଗ୍ରହଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.