୧୨ ଜଣିଆ ଦଳରୁ ଭୁବନେଶ୍ୱର ଓ କୁଲଦୀପ ବାଦ୍, ରୋହିତ ନା ବିହାରୀ କିଏ ଖେଳିବେ ?

ଆଡିଲେଡ୍ : ଗୁରୁବାର ଭୋର ୫ଟାରେ ଆଡିଲେଡ୍ ଓଭାଲରେ ପଡ଼ିବ ଟସ୍ । ଖେଳ ଆରମ୍ଭ ହେବ ସାଢ଼େ ୫ଟାରେ । ଚଳିତ ଭାରତ-ଅଷ୍ଟ୍ରେଲିଆ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଆଜି ଉଭୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଟିମ୍ ପାଇନ୍ ବର୍ଡ଼ର-ଗାଭାସ୍କର ସିରିଜ୍ ଟ୍ରଫି ଉନ୍ମୋଚନ କରିଥିଲେ ।
ଟିମ୍ ଇଣ୍ଡିଆରେ ୪ ବୋଲର୍
ଉଭୟ ଦଳ କାଲିର ମ୍ୟାଚ୍ ପାଇଁ ସେମାନଙ୍କର ୧୨ ଜଣିଆ ଦଳ ଘୋଷଣା କରିଛନ୍ତି । ଭାରତୀୟ ଦଳର ପେସ୍ ବୋଲର ଭୁବନେଶ୍ୱର କୁମାର ଓ କୁଲଦୀପ ଯାଦବ ବାଦ୍ ପଡ଼ିଥିବା ବେଳେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ସୁଯୋଗ ପାଇ ନାହାନ୍ତି । ଚାରି ଜଣ ସ୍ପେସାଲିଷ୍ଟ ବୋଲର ଇଶାନ୍ତ ଶର୍ମା, ଯଶପ୍ରୀତ ବୁମରା, ମହମ୍ମଦ ସାମି ଓ ସ୍ପିନର ରବିଚନ୍ଦ୍ର ଅଶ୍ୱିନ୍ ଖେଳିବେ ।
ବିହାରୀଙ୍କ ପଲ୍ଲା ଭାରୀ
ବ୍ୟାଟିଂ ବିଭାଗରେ ୬ ନମ୍ବର ସ୍ଥାନ ପାଇଁ ଯୁବ ବ୍ୟାଟ୍ସମ୍ୟାନ୍ ହନୁମା ବିହାରୀ ଏବଂ ପୁରୁଖା ଖେଳାଳି ରୋହିତ ଶର୍ମାଙ୍କ ମଧ୍ୟରୁ ଜଣକୁ ବାଛିବାକୁ ପଡ଼ିବ କୋହଲିଙ୍କୁ । କାରଣ ଓପ୍ନ୍ନର ଭାବେ ମୁରଲୀ ବିଜୟ ଓ କେ.ଏଲ୍ ରାହୁଲ ଖେଳିବା ସ୍ପଷ୍ଟ ହୋଇଯାଇଛି । ତେବେ ରୋହିତଙ୍କ ତୁଳନାରେ ବିହାରୀଙ୍କ ପଲ୍ଲା ଭାରୀ । କାରଣ ସେ ଜଣେ ଅଲରାଉଣ୍ଡର ଏବଂ ଅଭ୍ୟାସ ମ୍ୟାଚ୍ରେ ଅର୍ଦ୍ଧଶତକ କରିଛନ୍ତି । ଅବଶ୍ୟ ଏପର୍ଯ୍ୟନ୍ତ ସେ ଗୋଟିଏ ମାତ୍ର ଟେଷ୍ଟ ଖେଳିଛନ୍ତି । ଗତ ସେପଟେମ୍ବରରେ ସେ ଇଂଲଣ୍ଡ ବିପକ୍ଷରେ ଓଭାଲରେ ପଦାର୍ପଣ କରି ଅର୍ଦ୍ଧଶତକ ହାସଲ କରିଥିଲେ । ୠଷଭ ପନ୍ତ ଓ୍ଵିକେଟ୍ କିପିଂ କରିବେ ।
କୋହଲି କରିଛନ୍ତି ୩ ଶତକ
ଆଡିଲେଡ୍ ଓଭାଲରେ ଅଧିନାୟକ ବିରାଟ କୋହଲିଙ୍କ ଭଲ ରେକର୍ଡ଼ ରହିଛି । ତାଙ୍କର ରନ୍ ସ୍କୋର ହାର ୯୮.୫୦ । ଏଠାରେ ସେ ୩ଟି ଶତକ କରିଛନ୍ତି ।
ସେପଟେ ଅଷ୍ଟ୍ରେଲିଆ ଦଳ ପକ୍ଷରୁ ପଦାର୍ପଣ ଟେଷ୍ଟ ଖେଳିବେ ଭିକଟୋରିଆ ବ୍ୟାଟ୍ସମ୍ୟାନ୍ ମାର୍କସ୍ ହ୍ୟାରିସ୍ । ସେହିଭଳି ଅଲ୍ରାଉଣ୍ଡର ମିଚେଲ୍ ମାର୍ଶଙ୍କ ଜାଗାରେ ପିଟର ହାଣ୍ଡସ୍କମ୍ବ ଖେଳିବେ ।