ଏସିଆନ୍ ଚାମ୍ପିଅନ୍ସ ଟ୍ରଫି: ଜାପାନକୁ ୫-୦ରେ ହରାଇ ଫାଇନାଲରେ ଭାରତ

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ୨୦୨୩ର ଦ୍ବିତୀୟ ସେମିଫାଇନାଲରେ ଭାରତୀୟ ହକି ଦଳ ଶୁକ୍ରବାର ଜାପାନକୁ ୫-୦ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି । ଫାଇନାଲରେ ଭାରତର ମୁକାବିଲା ମାଲେସିଆ ସହ ହେବ ।

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ଫାଇନାଲରେ ଭାରତ । ଆଜି ଟାଇଟଲ୍ ଲଢ଼େଇରେ ମାଲେସିଆ ସହ ମୁକାବିଲା ରହିଛି । ଗତକାଲି ସେମିଫାଇନାଲରେ ଜାପାନକୁ ଏକତରଫା ଭାବରେ ୫-୦ ଗୋଲରେ ପରାସ୍ତ କରିଥିଲା ଭାରତ । ଜାପାନ ଉପରେ ପ୍ରଭାବ ବିସ୍ତାର କରିଥିଲା ଘରୋଇ ଟିମ୍ । ମ୍ୟାଚର ପ୍ରଥମ କ୍ବାଟର ଗୋଲଶୂନ୍ୟ ରହିଥିଲା । ଦ୍ବିତୀୟ କ୍ବାର୍ଟରରେ ଭାରତ ୩ଟି ଗୋଲ ସ୍କୋର କରିଥିଲା । ପରେ ତୃତୀୟ ଓ ଚତୁର୍ଥ କ୍ବାର୍ଟରରେ ଦେଇଥିଲା ଗୋଟିଏ ଲେଖାଏ ଗୋଲ୍ ।

ଭାରତ ଏଯାବତ୍ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ ସହ ଅପରାଜେୟ ରହିଛି। ସେମିଫାଇନାଲରେ ମଧ୍ୟ ଦଳ ଏହାକୁ ବଜାୟ ରଖିଥିଲା। ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ସ୍କୋର କରିପାରି ନଥିଲେ। ଏହା ପରେ ଅର୍ଶଦୀପ ସିଂ ଭାରତ ପାଇଁ ଖାତା ଖୋଲିଥିଲେ। ସେ ୧୯ତମ ମିନିଟରେ ଗୋଲ ଦେଇଥିଲେ। ଏହାପରେ ଅଧିନାୟକ ହରମନପ୍ରୀତ ସିଂ ୨୩ତମ ମିନିଟରେ ଗୋଲ୍ କରି ଅଗ୍ରଣୀକୁ ୨-୦ କରିଦେଇଥିଲେ । ଦଳ ପକ୍ଷରୁ ମନଦୀପ ସିଂ, ସୁମିତ ଏବଂ କାର୍ତ୍ତି ସେଲଭାମ ମଧ୍ୟ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ।

ଚଳିତ ଥରକୁ ମିଶାଇ ଏସିଆନ୍ସ ଟ୍ରଫିରେ ପଞ୍ଚମ ଥର ଫାଇନାଲ୍ ଖେଲିବ ଭାରତ । ସେମିଫାଇନାଲ ମ୍ୟାଚ୍ ଭାରତୀୟ ଗୋଲକିପର ପି.ଶ୍ରୀଜେଶଙ୍କ ପାଇଁ ବେଶ୍ ସ୍ୱତନ୍ତ୍ର ଥିଲା। ଏହା ତାଙ୍କ କ୍ୟାରିୟରର ୩୦୦ତମ ମ୍ୟାଚ୍ ଥିଲା । ମ୍ୟାଚ୍ ପୂର୍ବରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ପୂର୍ବରୁ ୨୦୧୧, ୨୦୧୬, ୨୦୧୮ରେ ଭାରତ ଚାମ୍ପିଅନ୍ ହୋଇଥିଲା । ୨୦୧୨ରେ ହୋଇଥିଲା ରନର୍ସ ଅପ୍ । ଆଜିର ମ୍ୟାଚ୍ ଜିତିଲେ ଭାରତ ଚତୁର୍ଥ ଥର ଚାମ୍ପିଅନ୍ ହେବ । ସେପଟେ ପ୍ରଥମ ଥର ଏସିଆନ୍ ଟ୍ରଫି ଫାଇନାଲ୍ ଖେଳିବ ମାଲେସିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.