ପାକିସ୍ତାନକୁ ୧୦ ଓ୍ଵିକେଟ୍‌ରେ ହରାଇ ୧୯ ବର୍ଷରୁ କମ୍‌ ବିଶ୍ୱ କପ୍‌ କ୍ରିକେଟ୍‌ ଫାଇନାଲ୍‌ରେ ଭାରତ

ପୋଚେଫଷ୍ଟ୍ରମ୍‌ (ଦକ୍ଷିଣ ଆଫ୍ରିକା): ପାକିସ୍ତାନ ଟାର୍ଗେଟ୍‌ ଦେଇଥିଲା ମାତ୍ର ୧୭୩ ରନ୍‌ । ଯାହା ଭାରତ ପାଇଁ ଅତି ଛୋଟିଆ ଥିଲା । ତେଣୁ ଦୁଇ ଓପ୍ନର୍‌ ହିଁ କାମ ସାରିଦେଲେ । ଆଉ ନିଜର ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀକୁ ଶୋଚନୀୟ ଭାବେ ୧୦ ଓ୍ଵିକେଟ୍‌ରେ ହରାଇ ଆଇସିସି ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ୍‌ ଫାଇନାଲ୍‌ରେ ପହଞ୍ଚିଛି । ଓପ୍ନର ଯଶସ୍ୱୀ ଜୟସ୍ୱାଲ ଶତକ ହାସଲ କରି ୧୦୫ ରନ୍‌ରେ ଅପରାଜିତ ରହିଥିବା ବେଳେ ଦିବ୍ୟାଂଶ ସକ୍ସେନା ୫୯ ରନ୍‌ କରି ଅପରାଜିତ ଥିଲେ । କ୍ରମାଗତ ତୃତୀୟଥର ପାଇଁ ଭାରତୀୟ ଜୁନିୟର ଦଳ ବିଶ୍ୱକପ୍‌ ଫାଇନାଲ୍‌ରେ ଖେଳିବ । ଗତଥର ଚାମ୍ପିଅନ୍‌ ଭାରତ ପୂର୍ବରୁ ଚାରିଥର ବିଶ୍ୱକପ୍‌ ଜିତି ସାରିଛି ।

U-19_1ଏହି ମ୍ୟାଚ୍‌ରେ ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା । ଭାରତ ପକ୍ଷରୁ ପ୍ରଥମ ତିନି ବୋଲର କାର୍ତ୍ତିକ ତ୍ୟାଗୀ, ସୁଶାନ୍ତ ମିଶ୍ରା ଓ ରବି ବିଷ୍ଣୋଇ ନିଜ ଭିତରେ ୭ଟି ଓ୍ଵିକେଟ୍‌ ନେଇ ପାକିସ୍ତାନକୁ ମାତ୍ର ୧୭୨ ରନ୍‌ରେ ଅଲ୍‌ଆଉଟ୍‌ କରି ଦେଇଥିଲେ । ଜବାବର ଭାରତ ମାତ୍ର ୩୫.୨ ଓଭରରେ କୌଣସି ଓ୍ଵିକେଟ୍‌ ନହରାଇ ୧୭୬ ରନ୍‌ କରି ଫାଇନାଲ୍‌ରେ ପ୍ରବେଶ କରିଥିଲା । ଜୟସ୍ୱାଲ ୧୧୩ ବଲ୍‌ ଖେଳି ତାଙ୍କ ଅପରାଜିତ ୧୦୫ ରନ୍‌ ଭିତରେ ୮ଟି ଚୌକା ଓ ୪ଟି ଛକା ମାରିଥିଲେ । ତାଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ମିଳିଛି ।

ସ୍କୋର୍‌ : ପାକିସ୍ତାନ-୧୭୨, ଅଲ୍‌ଆଉଟ୍‌, ୪୩.୧ ଓଭର (ହାଇଦର ଅଲୀ ୫୬, ରୋହିଲ ନାଜିର ୬୨ । ତ୍ୟାଗୀ ୨/୩୨, ମିଶ୍ରା ୩/୨୮, ବିଷ୍ଣୋଇ ୨/୪୬) ।
ଭାରତ-୧୭୬/୦, ୩୫.୨ ଓଭର (ଯଶସ୍ୱୀ ଜୟସ୍ୱାଲ ଅପରାଜିତ ୧୦୫, ଦିବ୍ୟାଂଶ ସକ୍ସେନା ଅପରାଜିତ ୫୯) ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.