ଭାରତକୁ ୧୮ ରନ୍‌ରେ ହରାଇ ବିଶ୍ୱକପ୍‌ ଫାଇନାଲ୍‌କୁ ଗଲା ନ୍ୟୁଜିଲାଣ୍ଡ

ଲଣ୍ଡନ୍ : ଲକ୍ଷ୍ୟ ବେଶି ବଡ଼ ନଥିଲା । ହେଲେ ଲଢ଼େଇ କରିଥିଲେ ମଧ୍ୟ ପାଖାପାଖି ଯାଇ ମାତ୍ର ୧୮ ରନ୍‌ରେ ହାରିଗଲା ଭାରତ । ଯାହା ଆଦୌ ଆଶା କରାଯାଉ ନଥିଲା ତାହା କରି ଦେଖାଇଲା ଟିମ୍ ଇଣ୍ଡିଆ । ବର୍ଷା ଯୋଗୁଁ ବାଧାପ୍ରାପ୍ତ ଆଇସିସି ବିଶ୍ବକପ୍ ପ୍ରଥମ ସେମିଫାଇନାଲରେ ଏମିତି ଭାବେ ହାରିଲା ଯେ ଯାହାକୁ କେହି ସ୍ବପ୍ନରେ ବି ଭାବି ନଥିଲେ ।
ଦୁଇ ଦିନ ଧରି ଚାଲିଥିବା ଏହି ମ୍ୟାଚରେ ନୁଜିଲାଣ୍ଡକୁ ସିନା ୨୩୯ ରନରେ ସୀମିତ ରଖିଲେ ଭାରତୀୟ ବୋଲର୍ । ହେଲେ ଏହାର ବ୍ୟାଟସମାନ୍ କିନ୍ତୁ ପୂରା ଫେଲ୍ ମାରିଲେ । ୨୪୦ ରନର ଲକ୍ଷ୍ୟ ଭାରତ ଭଳି ଏକ ନମ୍ବର ଟିମ୍ ପାଇଁ କମ୍ ଲାଗୁଥିଲେ ମଧ୍ୟ ପ୍ରମୁଖ ଭାଗ ବ୍ୟାଟସମାନଙ୍କ ବିଫଳତା ଯୋଗୁଁ ଏହା ବିରାଟ ପାହାଡ଼ର ଆକାର ଧାରଣ କରିଥିଲା । ମାତ୍ର ୨୪ ରନ୍ ସ୍କୋରରେ ଦୁଇ ଓପ୍ନର ରୋହିତ ଶର୍ମା, କେଏଲ୍ ରାହୁଲ, ବିରାଟ କୋହଲି ଏବଂ ଦୀନେଶ କାର୍ତ୍ତିକ ଆଉଟ୍ ହୋଇ ସାରିଥିଲେ । ଋଷଭ ପନ୍ତ ୩୨ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩୨ ରନ୍ କରି କିଛି ସମୟ ନ୍ୟୁଜିଲାଣ୍ଡ ବୋଲିଂର ସାମନା କରିଥିଲେ । ହେଲେ ସେତିକି ଯଥେଷ୍ଟ ହୋଇନଥିଲା । ସ୍କୋର ୧୦୦ ରନରେ ପହଞ୍ଚିବା ପୂର୍ବରୁ ୬ ଜଣ ଭାରତୀୟ ବ୍ୟାଟସମ୍ୟାନ୍ ବିଦା ହୋଇ ସାରିଥିଲେ ।

NEW ZEALAND-2
ପରେ ବିଶ୍ବର ବେଷ୍ଟ ଫିନିସର୍ ଧୋନି ଏବଂ ରବୀନ୍ଦ୍ର ଜାଡେଜା ବେଶ୍‌ କିଛି ସମୟ ଲଢ଼େଇ କରି ନ୍ୟୁଜିଲାଣ୍ଡର ଫାଇନାଲ୍ ରାସ୍ତାରେ ଠିଆ ହୋଇଥିଲେ । ସେମାନେ ସପ୍ତମ ଓ୍ଵିକେଟ୍‌ରେ ୧୧୬ ରନ୍‌ ଯୋଡ଼ି ଭାରତ ପାଇଁ ଆଶା ସୃଷ୍ଟି କରିଥିଲେ । ଧୋନି ସତର୍କତାର ସହ ବ୍ୟାଟିଂ କରିଥିବା ବେଳେ ଆକ୍ରମଣ କରୁଥିଲେ ଜାଡେଜା । ତେବେ ସେ ୫୯ ବଲ୍‌ରୁ ୭୭ ରନ୍‌ (୪ ଚୌକା ଓ ୪ ଛକା) କରିଥିଲେ । ଯାହା ଥିଲା ଭାରତୀୟ ଦଳ ପକ୍ଷରୁ ସର୍ବାଧିକ ସ୍କୋର୍‌ ।

ଜାଡେଜା ଆଉଟ୍‌ ହେବା ପରେ ଧୋନି ଆକ୍ରମଣ ଆରମ୍ଭ କରିଥିଲେ । ତେବେ ୪୯ ତମ ଓଭରରେ ପ୍ରଥମ ବଲ୍‌କୁ ଛକା ମାରିବା ପରେ ତୃତୀୟ ବଲ୍‌ରେ ରନ୍‌ ନେଉ ନେଉ ରନ୍‌ଆଉଟ୍‌ ହେଲେ । ଆଉ ଭାରତର ସବୁ ଆଶା ଧୂଳିସାତ୍‌ ହୋଇଗଲା । ଧୋନି ୫୦ ରନ୍‌ କରିଥିଲେ । ଆଉ ପୂରା ଟିମ୍‌ ୨୨୧ ରନ୍‌ କରି ୪୯.୩ ଓଭର୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା ।
ନୁଜିଲାଣ୍ଡ ପେସ୍ ବୋଲର୍ ମାଥ୍ୟୁ ହେନରୀ ପ୍ରମୁଖ ୩ଟି ୱିକେଟ୍ ଗୁଡ଼ିକ ନେଇ ଆରମ୍ଭରୁ ଭାରତକୁ ଝଟକା ପରେ ଝଟକା ଦେଇ ଚାଲିଥିଲେ । ତାଙ୍କୁ ସାଥ୍ ଦେଇ ବୋଲଟ୍ ୨ ଓ ସାଣ୍ଟନର୍ ୨ଟି ଓ୍ଵିକେଟ୍‌ ଦଖଲ କରିଥିଲେ । ହେନରୀଙ୍କୁ ମିଳିଛି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ।
ଚାରି ବର୍ଷକୁ ଥରେ ବିଶ୍ବକପ୍ । ଲିଗରେ ସର୍ବାଧିକ ପଏଣ୍ଟ ପାଇ ଭାରତୀୟ ଦଳ ଶ୍ରେଷ୍ଠ ଟିମ୍ ଭାବେ ଯେଉଁ ମାନ୍ୟତା ଲାଭ କରିଥିଲା ସେହି ଅନୁସାରେ ସେମିଫାଇନାଲରେ ଖେଳ ଦେଖାଇ ପାରିଲା ନାହିଁ । ଯାହା ଫଳରେ କୋଟି କୋଟି ଭାରତୀୟ କ୍ରିକେଟ୍‌ ପ୍ରେମୀ ନିରାଶ ହୋଇଛନ୍ତି ।

ଆସନ୍ତାକାଲି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାନାଲ୍‌ ମ୍ୟାଚ୍‌ ଖେଳାଯିବ । ଯିଏ ଜିତିବ ଫାଇନାଲ୍‌ରେ ତାକୁ ଭେଟିବ ନ୍ୟୁଜିଲାଣ୍ଡ । ୨୦୧୫ ପରେ ନ୍ୟୁଜିଲାଣ୍ଡ ଦଳ ଦ୍ୱିତୀୟଥର ପାଇଁ ବିଶ୍ୱକପ୍‌ ଫାଇନାଲ୍‌ରେ ପ୍ରବେଶ କରିଛି ।
ସ୍କୋର : ନ୍ୟୁଜିଲାଣ୍ଡ-୨୩୯/୮ (୫୦ ଓଭର) । ଭାରତ-୨୨୧/୧୦ (୪୯.୩ ଓଭର) ।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧି ଭାରତର ପରାଜୟରେ ଦୁଃଖ ପ୍ରକାଶ କଲେ ସାବାସୀ ବି ଦେଲେ…


 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.