ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ, ନାପିୟରରେ ପ୍ରଥମ ମୁକାବିଲା

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ। ନାପିୟର ମ୍ୟାକଲିନ୍ ପାର୍କରେ ପ୍ରଥମ ମୁକାବିଲା। ଭାରତୀୟ ସମୟ ସକାଳ ସାଢ଼େ ୭ଟାରେ ମ୍ୟାଚ ଖେଳାଯିବ। ନ୍ୟୁଜିଲାଣ୍ଡ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଅଷ୍ଟ୍ରେଲିଆକୁ ନିଜ ମାଟିରେ ହରାଇ ଭାରତ ଦିନିକିଆ ସିରିଜ କବଜା କରିଥିବାରୁ ଖେଳାଳିଙ୍କ ମନୋବଳ ଦୃଢ଼ ରହିଛି। ରୋହିତ ଶର୍ମା, ବିରାଟ କୋହଲି ଭଲ ଖେଳୁଛନ୍ତି। ମହେନ୍ଦ୍ର ସିଂ ଧୋନି ଫର୍ମକୁ ଫେରିଥିବାରୁ ଭାରତ ପାଇଁ ବଡ଼ ପ୍ଲସ ପଏଣ୍ଟ। ଫାଷ୍ଟ ବୋଲିଂ ଦାୟିତ୍ୱ ଭୁବନେଶ୍ୱର କୁମାର, ମହମ୍ମଦ ସାମିଙ୍କ କାନ୍ଧରେ ଥିବା ବେଳେ ସ୍ପିନ ବିଭାଗ ସମ୍ଭାଳିବେ କୁଳଦୀପ ଯାଦବ ଓ ଯୁଜବେନ୍ଦର ଚହଲ। ସେପଟେ ଘରୋଇ ମାଟିରେ ଟିମ୍ ଇଣ୍ଡିଆକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ କିଓ୍ଵି ଦଳ।
କଲିନ୍ ମୁନରୋ, ମାର୍ଟିନ୍ ଗପଟିଲ, କେନ୍ ଓ୍ଵିଲିୟମସନ୍, ରସ୍ ଟେଲରଙ୍କ ଭଳି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଅଛନ୍ତି। ବୋଲିଂରେ ଘାତକ ହୋଇପାରନ୍ତି ଟିମ୍ ସାଉଦି ଓ ଟ୍ରେଣ୍ଟ ବୋଲଟ୍। କିଓ୍ଵି ମାଟିରେ ଭାରତ ୩୫ଟି ମ୍ୟାଚ ଖେଳିଥିବା ବେଳେ ୧୦ଟିରେ ଜିତିଛି। ୨୦୧୪ରେ ୦-୪ରେ ସିରିଜ ପରାଜୟ ବରଣ କରିଥିଲା ଭାରତ। ସେହିପରି ଉଭୟ ଦଳ ଏପର୍ୟ୍ୟନ୍ତ ୧୦୧ଟି ଓ୍ଵାନ୍ ଡେ ଖେଳିଛନ୍ତି । ଭାରତ ଜିତିଛି ୫୧ଟି ମ୍ୟାଚ୍। ତେଣୁ ୫ଟିକିଆ ଦିନିକିଆ ସିରିଜରେ ନ୍ୟୁଜିଲାଣ୍ଡକୁ ନିଜ ମାଟିରେ ହରାଇବା ଭାରତ ପାଇଁ ଏତେ ସହଜ ହେବ ନାହିଁ।