ଏସିଆ କପ୍‌ ୨୦୨୩ ଫାଇନାଲ: ପରସ୍ପରକୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇବେ ଭାରତ ଏବଂ ଶ୍ରୀଲଙ୍କା, ଜାଣନ୍ତୁ କ’ଣ ରହିଛି ପୂର୍ବ ରେକର୍ଡ

ଆସନ୍ତାକାଲି କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ ଏସିଆ କପ୍‌ ୨୦୨୩ ଫାଇନାଲ ମ୍ୟାଚ୍‌ । ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଏବଂ ଶ୍ରୀଲଙ୍କା । ଏସିଆ କପ୍‌ ଫାଇନାଲରେ ଉଭୟ ଦଳ ୮ ଥର ପାଇଁ ପରସ୍ପର ସହିତ ମୁହାଁମୁହିଁ ହେବେ ।

ଆସନ୍ତାକାଲି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏସିଆ କପ୍‌ ୨୦୨୩ ଫାଇନାଲ ମ୍ୟାଚ୍‌ ଖେଳାଯିବ । ଶ୍ରୀଲଙ୍କା କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଆସନ୍ତାକାଲି ଅପରାହ୍ନ ୩ଟାରେ ଖେଳ ଆରମ୍ଭ ହେବ । ୨.୩୦ରେ ଟସ୍‌ ପଡିବ। ରୋହିତ ଶର୍ମା ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇପାରନ୍ତି । ତେବେ ଭାରତୀୟ ଟିମର ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ ମ୍ୟାଚରୁ ବାଦ୍‌ ପଡିଛନ୍ତି । ଆହତ ଜନିତ ସମସ୍ୟା ଯୋଗୁଁ ଅକ୍ଷରଙ୍କ ସ୍ଥାନରେ ଟିମରେ ଓ୍ଵାଶିଂଟନ ସୁନ୍ଦରକୁ ସାମିଲ କରାଯାଇଛି ।

ବାଂଲାଦେଶ ଠାରୁ ୬ ରନ୍‌ରେ ସୁପର ୪ ମ୍ୟାଚ ହାରିଛି ଭାରତୀୟ ଟିମ୍‌ । ଏସିଆ କପରେ ଫାଇନାଲରେ ପ୍ରବେଶ କରିବା ସୁପର-୪ ମ୍ୟାଚରେ ଟିମର ସିନିଅର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିଲା । ଟିମ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବାଂଲାଦେଶ ଠାରୁ ୬ ରନରେ ଟିମ ହାରିଯାଇଛି ।

ସେହିପରି ଶ୍ରୀଲଙ୍କା ଟିମ୍‌ ମଧ୍ୟ ଏସିଆ କପରେ ଭଲ ପ୍ରଦର୍ଶନ କରିଛି । ପାକିସ୍ତାନକୁ ହରାଇବା ପରେ ଶ୍ରୀଲଙ୍କାର ମନୋବଳ ସୁଦୃଢ ରହିଛି । ଭାରତୀୟ ଟିମ୍‌ ପରି ଆହତ ସମସ୍ୟା ଯୋଗୁଁ ଶ୍ରୀଲଙ୍କାର ଷ୍ଟାର ବୋଲର ମହେଶ ତୀକ୍ଷଣା ଟିମରୁ ବାଦ୍‌ ପଡିଛନ୍ତି ।

ତେବେ ଭାରତ ୧୧ ଥର ଏସିଆ କପ ଫାଇନାଲରେ ପ୍ରବେଶ କରିଥିବା ବେଳେ ଶ୍ରୀଲଙ୍କା ୧୨ ଥର ପ୍ରବେଶ କରିଛି । ଦିନିକିଆରେ ଭାରତ ୬ ଥର ଏସିଆ କପ୍‌ ଜିତିଥିବା ବେଳେ ଶ୍ରୀଲଙ୍କା ୫ ଥର ଏସିଆ କପ୍‌ ଜିତିଛି । ଉଭୟ ଟିମ ଟି-୨୦ ଫର୍ମାଟରେ ଥରେ ଥରେ ଜିତିସାରିଛି । ତେବେ ଏସିଆ କପ ଫାଇନାଲରେ ଉଭୟ ଟିମ୍‌ ୮ମ ଥର ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି ।

ସେହିପରି ଦିନିକିଆ ଫର୍ମାଟରେ ଉଭୟ ୧୬୬ ଟି ମ୍ୟାଚ୍‌ ଖେଳିସାରିଛନ୍ତି । ସେଥିମଧ୍ୟରୁ ଭାରତ ୯୭ଟି ଏବଂ ଶ୍ରୀଲଙ୍କା ୫୭ଟି ମ୍ୟାଚ ଜିତିସାରିଛି । ୧୧ ଟି ଅସଂପୂର୍ଣ୍ଣ ରହିଥିବା ବେଳେ ୧ଟି ମ୍ୟାଚ୍‌ ଟାଇ ରହିଛି। ପ୍ରେମଦାସ ଷ୍ଟାଡିୟମରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩୭ଟି ମ୍ୟାଚ ହୋଇଛି । ଯେଉଁଥିରେ ଭାରତ ୧୮ଟି ଏବଂ ଶ୍ରୀଲଙ୍କା ୧୬ଟି ମ୍ୟାଚ ଜିତିଛି ।

ଭାରତ ପ୍ରଥମେ ବ୍ୟାଟିଂ କରି ୧୧ ଥର ଜିତିଥିବା ବେଳେ ଶ୍ରୀଲଙ୍କା ମାତ୍ର ୯ ଥର ଜିତିଛି । ଏହି ଷ୍ଟାଡିୟମରେ ଭାରତର ସ୍କୋର ସର୍ବାଧିକ ୩୭୫ ରନ ରହିଥିବା ବେଳେ ଶ୍ରୀଲଙ୍କାର ୩୨୦ ରନ୍‌ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.