ଠିକଣା ସମୟରେ ଠିକଣା ଜବାବ ଦେଲା ଭାରତ, ଶେଷ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ହରାଇ ୨-୧ରେ ଜିତିଲା ଦିନିକିଆ ସିରିଜ୍‌

ବେଙ୍ଗାଲୁରୁ : ବିରାଟ କୋହଲିଙ୍କ ଟିମ୍‌ ପୁଣି ଥରେ ଦେଖାଇ ଦେଇଛି ଯେ ଭାରତକୁ ଭାରତରେ ହରାଇବା ଆଦୌ ସହଜ ନୁହେଁ । ଓପ୍ନର ରୋହିତ ଶର୍ମାଙ୍କ ଶତକ ଏବଂ ଅଧିନାୟକ ବିରାଟ କୋହଲିଙ୍କ ୮୯ ରନ୍‌ର ଚମତ୍କାର ଇନିଂସ୍‌ ଭାରତରକୁ ଶେଷ ଦିନିକିଆରେ ଜିତାଇ ଦେଇଛି । ଏଠାକାର ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୭ ଓ୍ଵିକେଟ୍‌ରେ ହରାଇ ତିନି ମ୍ୟାଚ୍‌ର ସିରିଜ୍‌କୁ ୨-୧ରେ ଜିତି ନେଇଛି ।
୨୨୪ତମ ଦିନିକିଆରେ ରୋହିତଙ୍କର ଇଏ ହେଉଛି ୨୯ତମ ଶତକ । ଏହି ଇନିଂସ୍‌ ବେଳେ ସେ ଦିନିକିଆ କ୍ରିକେଟ୍‌ରେ ୯ ହଜାର ରନ୍‌ ମଧ୍ୟ ପୂରଣ କରିଛନ୍ତି । ସେ ୧୨୮ ବଲ୍‌ରେ ୧୧୯ ରନ୍‌ କରି ଜାମ୍ପାଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ତାଙ୍କ ଇନିଂସ୍‌ ଭିତରେ ଥିଲା ୮ ଚୌକା ଓ ୬ଟି ଛକା । ରୋହିତ ପ୍ରଥମ ଓ୍ଵିକେଟ୍‌ରେ କେ.ଏଲ୍‌ ରାହୁଲ (୧୯ ରନ୍‌)ଙ୍କ ସହ ୬୯ ଏବଂ ବିରାଟ କୋହଲିଙ୍କ ସହିତ ଦ୍ୱିତୀୟ ଓ୍ଵିକେଟ୍‌ରେ ୧୩୭ ରନ୍‌ ଯୋଡ଼ିଥିଲେ ।

ROHITକୋହଲି ତାଙ୍କର ୨୪୫ତମ ମ୍ୟାଚ୍‌ରେ ୫୭ତମ ଅର୍ଦ୍ଧଶତକ ହାସଲ କରି ୮୯ ରନ୍‌ରେ ଆଉଟ୍‌ ହୋଇଛନ୍ତି । ତାଙ୍କୁ ହାଜେଲଉଡ୍‌ କ୍ଲିନ୍‌ ବୋଲଡ୍‌ କରି ଦେଇଥିଲେ । ସେ ୯୧ ବଲ୍‌ ଖେଳି ୮ଟି ଚୌକା ମାରିଥିଲେ । ତେବେ ଏହି ଇନିଂସ୍‌ ବେଳେ ସେ ଅଧିନାୟକ ଭାବେ ଦିନିକିଆରେ ୫ ହଜାର ରନ୍‌ ମଧ୍ୟ ପୂରଣ କରିଥିଲେ ।
କୋହଲି ଆଉଟ୍‌ ହେଲା ବେଳକୁ ଭାରତର ସ୍କୋର ଥିଲା ୨୭୪ ରନ୍‌ । ଏହା ପରେ ଶ୍ରେୟସ ଆୟର ଏବଂ ମନୀଷ ପାଣ୍ଡେ ଅପରାଜିତ ରହି ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇ ଦେଇଥିଲେ । ୪୭.୩ ଓଭର୍‌ରେ ଖେଳ ଶେଷ ହୋଇଥିଲା । ଆୟର ୩୫ ବଲ୍‌ରେ ୪୪ ରନ୍‌ (୬ ଚୌକା ଓ ୧ ଛକା) ଏବଂ ହାଜେଲଉଡ୍‌ଙ୍କ ବଲ୍‌ରେ ବିଜୟସୂଚକ ଚୌକା ମାରିଥିବା ପାଣ୍ଡେ ୮ ରନ୍‌ କରି ଅପରାଜିତ ଥିଲେ ।
ସ୍କୋର : ଅଷ୍ଟ୍ରେଲିଆ-୨୮୬/୯ । ଭାରତ-୨୮୯/୩ ।

Leave A Reply

Your email address will not be published.