ବିଶ୍ୱ ହକି ର୍ୟାଙ୍କିଙ୍ଗରେ ଉପରକୁ ଉଠିଲା ଭାରତ : ଜର୍ମାନୀକୁ ପଛକୁ ଠେଲି ପଞ୍ଚମକୁ ଗଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ : ବିଶ୍ୱ ହକିରେ ଆଉ ପାଦେ ଆଗେଇଛି ଭାରତ । ଶକ୍ତିଶାଳୀ ଜର୍ମାନୀକୁ ପଛକୁ ଠେଲି ର୍ୟାଙ୍କିଂରେ ଉପରକୁ ଉଠିଛି । ଅନ୍ତର୍ଜାତୀୟ ହକି ଫେଡେରେସନ୍ର ଜାରି କରିଥିବା ତାଲିକାରେ ପଞ୍ଚମ ସ୍ଥାନ ଅଧିକାର କରିଛି ମେନ୍ ଇନ୍ ବ୍ଲୁ । ବିଶ୍ୱ ର୍ୟାଙ୍କିଂରେ ଗୋଟିଏ ସ୍ଥାନ ଉପରକୁ ଉଠିଛି । ଭାରତକୁ ମିଳିିଛି ମୋଟ୍ ୧୪ ଶହ ୮୪ ପଏଣ୍ଟ । ପୂର୍ବରୁ ପଞ୍ଚମ ସ୍ଥାନରେ ଥିବା ଜର୍ମାନୀ ଖସିଛି ୬ ନମ୍ବରକୁ । ପ୍ରଥମ ସ୍ଥାନରେ ଅଷ୍ଟ୍ରେଲିଆ, ଦ୍ୱିତୀୟରେ ଆର୍ଜେଣ୍ଟିନା ଥିବା ବେଳେ ତୃତୀୟ ସ୍ଥାନ ଅଧିକାର କରିିଛି ବେଲଜିୟମ୍ ।
ନିକଟରେ ନେଦରଲାଣ୍ଡରେ ଶେଷ ହୋଇଥିବା ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତ ଦମଦାର ପ୍ରଦର୍ଶନ ପରେ ର୍ୟାଙ୍କିଙ୍ଗରେ ପଦୋନ୍ନତି ହୋଇଛି । ଫାଇନାଲ୍ରେ ଅଷ୍ଟ୍ରେଲିଆଠାରୁ ହାରି ରନର୍ସ ଅପ୍ରେ ସନ୍ତୁଷ୍ଟ ହୋଇଥିଲା ଟିମ୍ ଇଣ୍ଡିଆ । ତେବେ ପୂରା ଟୁର୍ଣ୍ଣାମେଣ୍ଟରେ ଦଳର ପ୍ରଦର୍ଶନ ବେଶ ଉଚ୍ଚକୋଟୀର ଥିଲା । ବର୍ତ୍ତମାନ ଭାରତୀୟ ହକି ଟିମ୍ର ପ୍ରୟୋଜକ ଅଛି ଓଡ଼ିଶା । ଆସନ୍ତା ନଭେମ୍ବର ମାସରେ ଭୁବନେଶ୍ୱରରେ ହେବେ ପୁରୁଷ ବିଶ୍ୱକପ୍ ହକି । ତା ପୂର୍ବରୁ ଏହି ସଫଳତା ଉଭୟ ଟିମ୍ ଓ ଖେଳାଳିଙ୍କୁ ଉତ୍ସାହିତ କରିବ । କଳିଙ୍ଗ ମାଟିରେ ବିଶ୍ୱକପ୍ ଟାଇଟଲ୍ ପାଇଁ ଲଢ଼ିବାକୁ ପ୍ରସ୍ତୁତ ହେଉଛି ଟିମ୍ ଇଣ୍ଡିଆ ।