ମଇଦାନକୁ ଫେରିଲା କ୍ରିକେଟ୍ : କାଲିଠାରୁ ଆରମ୍ଭ ହେବ ଇଂଲଣ୍ଡ-ଇଣ୍ଡିଜ୍ ଟେଷ୍ଟ ସିରିଜ୍‌, ଜାଣନ୍ତୁ କରୋନା ପାଇଁ କଣ ହେଲା ନୂଆ ନିୟମ

ନୂଆଦିଲ୍ଲୀ : କରୋନା କାଳରେ ସବୁ କ୍ଷେତ୍ର ଭଳି କ୍ରିକେଟ୍ ମଇଦାନ ବି ଖାଲି ପଡ଼ିଥିଲା । କ୍ରିକେଟ୍ ଷ୍ଟାର୍‌ମାନେ କେବଳ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଥିଲେ । ହେଲେ ଆସନ୍ତାକାଲି ମଇଦାନକୁ ଫେରିବ କ୍ରିକେଟ୍ । କାଲି ଆରମ୍ଭ ହେଉଛି ଇଂଲଣ୍ଡ ବନାମ େଓ୍ଵଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜ୍ । ତେବେ କିଛି ପରିବର୍ତ୍ତିତ ନିୟମ ଭିତରେ ଏହି ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ ।
କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ଗତ ୪ ମାସ ହେଲା ଅନ୍ତର୍ଜାତୀୟ କ୍ରିକେଟ୍ ପ୍ରତିଯୋଗିତା ପୂରାପୂରି ବନ୍ଦ ହୋଇଯାଇଥିଲା । ଏହା ପରେ ଆସନ୍ତାକାଲି ଇଂଲଣ୍ଡର ସାଉଥମ୍ପଟନ୍‌ରେ ପ୍ରଥମ ମ୍ୟାଚ୍ ଖେଳାଯିବ । ଗତ ମାର୍ଚ୍ଚ ମାସ ୧୩ ତାରିଖ ଦିନ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଦିନିକିଆ ମ୍ୟାଚ୍ କରୋନା ପୂର୍ବର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା । ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୭୧ ରନ୍‌ରେ ବିଜୟୀ ହୋଇଥିଲା । ତେବେ କରୋନା ପାଇଁ ସିରିଜ୍‌ର ଏହି ପ୍ରଥମ ମ୍ୟାଚ୍ ପରେ ଅନ୍ୟ ସବୁ ମ୍ୟାଚ୍‌କୁ ବାତିଲ କରି ଦିଆଯାଇଥିଲା ।

ଖେଳ ବେଳେ କଣ ହେବ ? ଜାଣନ୍ତୁ କରୋନା ପରର ନୂଆ ନିୟମ

୧-ତେବେ ମଇଦାନକୁ ସିନା ଖେଳାଳି ଫେରିବେ ହେଲେ ଷ୍ଟାଡିୟମରେ ଦର୍ଶକ ବସି ପାରିବେ ନାହିଁ । କୌଣସି ସଫଳତା ବେଳେ ଖେଳାଳିମାନେ ହାତକୁ ହାତ ମିଶାଇ ପାରିବେ ନାହିଁ କିମ୍ବା ପରସ୍ପରକୁ ଆଲିଙ୍ଗନ କରିବେ ନାହିଁ । କେବଳ କହୁଣିକୁ କହୁଣି ଲଗାଇ ଖୁସି ହେବେ ।
୨-ସବୁଠାରୁ ବଡ଼ କଥା ହେଉଛି ଆଇସିସିର ନୂଆ ନିୟମ ଅନୁସାରେ ବୋଲର୍ ବଲ୍‌ରେ ଛେପ ଲଗାଇ ବୋଲିଂ କରି ପାରିବେ ନାହିଁ ।
୩- ସେହିପରି ପଡ଼ିଆ ବାହାରେ ବଲ୍ ଗୋଟାଇବା ପାଇଁ ରହୁଥିବା ବଲ୍ ବଏଙ୍କୁ ରଖାଯିବ ନାହିଁ ।
୪-ଯଦି ମ୍ୟାଚ୍ ସମୟରେ କୌଣସି ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୁଅନ୍ତି ତେବେ ତାଙ୍କ ଜାଗାରେ ଜଣେ ବଦଳ ଖେଳାଳି ସଂପୃକ୍ତ ଦଳ ପକ୍ଷରୁ ଖେଳିବେ ।
୫-ଜଣେ ଖେଳାଳି ଅନ୍ୟ ଜଣେ ଖେଳାଳିଙ୍କ କୌଣସି ସାମଗ୍ରୀ ବ୍ୟବହାର କରି ପାରିବେ ନାହିଁ ।
୬-ପୂର୍ବରୁ ବୋଲିଂ ବେଳେ ଅନେକ ସମୟରେ ବୋଲର୍‌ମାନେ ନିଜ ଟୋପି କିମ୍ବା ସ୍ୱେଟର ଆଦିକୁ ଅମ୍ପାୟାରଙ୍କୁ ଧରାଇ ଦେଉଥିଲେ । ହେଲେ ଏବେ ଏସବୁକୁ ସେମାନେ ପଡ଼ିଆ ବାହାରେ ରଖି ଆସିବେ । ଅମ୍ପାୟାରଙ୍କୁ ଦେଇ ପାରିବେ ନାହିଁ ।
୭-ଟସ୍ ବେଳେ ପଡ଼ିଆରେ କେବଳ ରେଫରୀ ଓ ଦୁଇ ଦଳର ଅଧିନାୟକ ରହିବେ । ଅଧିନାୟକମାନେ ହାତ ମିଳାଇ ପାରିବେ ନାହିଁ ।
୬-ସେହିପରି ଟସ୍ ସମୟରେ କୌଣସି ଟେଲିଭିଜନ୍ କ୍ୟାମେରାମ୍ୟାନ୍‌, ଭାଷ୍ୟକାର କିମ୍ବା ଗ୍ରାଉଣ୍ଡ ଷ୍ଟାଫ୍ ପାଖରେ ରହି ପାରିବେ ନାହିଁ । ସେମାନେ ଖେଳାଳିଙ୍କ ଠାରୁ ୨୦ ମିଟର ଦୂରରେ ରହିବେ ।
୭-କରୋନା ଭାଇରସ୍ ପାଇଁ ଓ୍ଵିକେଟ୍‌ର ବେଲ୍‌ଗୁଡ଼ିକୁ ମଧ୍ୟ ସାନିଟାଇଜ୍ କରାଯିବ । ଅମ୍ପାୟାରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।
୮-ଖେଳ ଚାଲିଥିବା ବେଳେ ପଡ଼ିଆରେ ୭୦ଟି ଅଟୋମେଟିକ୍ ସେନ୍‌ସର୍ ଯୁକ୍ତ ହେଡ୍ ସାନିଟାଇଜର୍ ମେସିନ ଲଗାଯାଇଛି । ଏଥିରେ ଆପେ ଆପେ ସାନିଟାଇଜ୍ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.