ଭାରତୀକୃଷ୍ଣ ଓ ଅମୂଲ୍ୟଙ୍କୁ ସହିଦ ସ୍ପୋର୍ଟିଂ କ୍ଳବ କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡ଼ା ପୁରସ୍କାର ପ୍ରଦାନ

ଯୁବା ଖେଳାଳି ସ୍ୱପ୍ନ ଦେଖନ୍ତୁ, ତାକୁ ସାକାର କରନ୍ତୁ : ଭାରତୀକୃଷ୍ଣ

ଭୁବନେଶ୍ୱର (କେନ୍ୟୁଜ୍) ରାଜ୍ୟର ଅନ୍ୟତମ ପ୍ରଗତିଶୀଳ କ୍ରୀଡ଼ା ଅନୁଷ୍ଠାନ ଭୁବନେଶ୍ୱର ସହିଦ ସ୍ପୋର୍ଟିଂ କ୍ଳବ ପକ୍ଷରୁ ରବିବାର ଦିନ କ୍ଳବ ପରିସରରେ ଆୟୋଜିତ ଏକ ଆଡ଼ମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମରେ କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡ଼ା ପୁରସ୍କାର- ୨୦୨୪ ପ୍ରଦାନ କରାଯାଇଛି । ଜୀବନବ୍ୟାପୀ ସାଧନା ସକାଶେ ଏହି ପୁରସ୍କାର ଗ୍ରହଣ କରି ଫୁଟବଲ ଲିଜେଣ୍ଡ ଭାରତୀକୃଷ୍ଣ ମିଶ୍ର କହିଥିଲେ ଯୁବା ଖେଳାଳିମାନେ ସ୍ୱପ୍ନ ଦେଖିବା ଆବଶ୍ୟକ । ଖାଲି ସ୍ୱପ୍ନ ଦେଖି ଅଟକି ଗଲେ ହେବ ନାହିଁ, ତାହା ଯେପରି ସାକାର ହୋଇପାରିବ ସେଥି ସକାଶେ ସାଧନାରତ ରହିବାକୁ ହେବ । ନିଜନିଜ ଖେଳର କୌଶଳ ସମୟକ୍ରମେ ଶିଖିବେ, ହେଲେ ସ୍ୱପ୍ନକୁ ନଛାଡ଼ି ଜୀବନସାରା ସାଧନାରତ ରହିବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ ।

୨୦୨୪ ମସିହା ସକାଶେ ଶ୍ରେଷ୍ଠ କୋଚ ପୁରସ୍କାର ଲାଭ କରିଥିବା ରାଜ୍ୟର ଜଣାଶୁଣା ହକି କୋଚ ଅମୂଲ୍ୟ କୁମାର ବେହେରା ପୁରସ୍କାର ଗ୍ରହଣ କରିବା ପରେ କହିଥିଲେ ଯେ ପ୍ରକୃତ ପ୍ରଶିକ୍ଷକ ହେଉଛି ଯିଏ ଖେଳାଳିର ପ୍ରତିଭାକୁ ଠିକଭାବେ ଚିହ୍ନଟ କରି । ସେ କିପରି ପ୍ରବୋଧ ତିର୍କୀଙ୍କୁ ଡି ଡିଫେନ୍ସରୁ ଉଠାଇ ଲେଫ୍ଟ ହାଫ୍ରେ ଖେଳାଇଥିଲେ ଓ ପରବର୍ତ୍ତୀ ସମୟରେ ସେ ଭାରତୀୟ ଦଳରୁ ମଧ୍ୟ ସେହି ସ୍ଥାନରେ ଖେଳିଲେ ତାହାର ଉଦାହରଣ ଦେଇଥିଲେ ।

ଇଗ୍ନେସ ଓ ପ୍ରବୋଧ ତିର୍କୀ ଏବଂ ଜ୍ୟୋତି ସୁନିତା କୁଲୁଙ୍କ ପରି ବହୁ ସଫଳ ଖେଳାଳି ଭାରତୀୟ ପୁରୁଷ ଓ ମହିଳା ଦଳକୁ ପ୍ରଦାନ କରିଥିବା ଅମୂଲ୍ୟ ବେହେରାଙ୍କୁ ଶ୍ରେଷ୍ଠ କୋଚ ପୁରସ୍କାର ଆକାରରେ ଉତ୍ତରୀୟ, ବିଶେଷ ଟ୍ରଫି, ପ୍ରଶସ୍ତି ପତ୍ର ଏବଂ ନଗଦ ୧୫ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ସେହିପରି ୧୯୬୫ ଏସିଆନ ୟୁଥ୍ ଚାମ୍ପିଅନସିପରେ ଭାରତୀୟ ଦଳରୁ ଖେଳିଥିବା ଏବଂ ସନ୍ତୋଷ ଟ୍ରଫି ଓ ସୁବ୍ରତ କପର ସେମିଫାଇନାଲରେ ଖେଳିବା ସହ ଭାରତୀୟ ସିନିଅର ଫୁଟବଲ ଦଳର ଚୟନକର୍ତ୍ତା ଦାୟିତ୍ୱ ତୁଲାଇଥିବା ଲିଜେଣ୍ଡ ଗୋଲକିପର ଭାରତୀକୃଷ୍ଣ ମିଶ୍ରଙ୍କୁ ଲାଇଫ୍ ଟାଇମ ପୁରସ୍କାର ଆକାରରେ ଉତ୍ତରୀୟ, ବିଶେଷ ଟ୍ରଫି, ପ୍ରଶସ୍ତି ପତ୍ର, ଉପହାର ଏବଂ ନଗଦ ୨୦ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।

ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ବିଶେଷ ସମାରୋହରେ ଅଧ୍ୟକ୍ଷତା କରିଥିଲେ ସହିଦ ସ୍ପୋର୍ଟିଂର ସମ୍ପାଦକ ପଙ୍କଜ ପଟ୍ଟନାୟକ । ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଓଡ଼ିଶା କ୍ରିକେଟ ଆସୋସିଏସନର ଉପସଭାପତି ପଙ୍କଜ ଲୋଚନ ମହାନ୍ତି କ୍ରୀଡ଼ା ପୁରସ୍କାରର ଗୁରୁତ୍ୱ ବାବଦରେ ବତାଇ ଥିଲେ । ସେ କହିଥିଲେ, ଆଗାମୀ ଦିନରେ ଓସିଏ ୪୦ରୁ ଅଧିକ ସ୍ଥାନରେ ଟର୍ଫ ୱିକେଟ ସହ ଏକାଡେମୀ ସ୍ଥାପନ କରିବାକୁ ଯାଉଛି । ବାରବାଟୀ ଷ୍ଟାଡିୟମ ସମ୍ପୂର୍ଣ୍ଣ ଭଙ୍ଗାଯିବ ନାହିଁ, କେବଳ କିଛିଟା ନବୀକରଣ ହେବ । ନିର୍ବାଚନ ପ୍ରକ୍ରିୟା ସରିବା ପରେ ବାରବାଟୀର ନବୀକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଥିଲେ ।

ଏହି ଉତ୍ସବରେ ସାମିଲ ହୋଇଥିଲେ ଓଡ଼ିଶାର କିମ୍ବଦନ୍ତୀ କ୍ରିକେଟର ଦେବାଶିଷ ମହାନ୍ତି ଏବଂ ରଶ୍ମିରଞ୍ଜନ ପରିଡ଼ା । କମଲ ଗାଙ୍ଗୁଲୀଙ୍କ କୋଚିଂ ଜୀବନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । କମଲ ଗାଙ୍ଗୁଲୀ ପୁରସ୍କାର କମିଟିର ଅନ୍ୟତମ ସଦସ୍ୟ କ୍ରୀଡ଼ା ସାମ୍ବାଦିକ ଶକ୍ତି ପ୍ରକାଶ ନନ୍ଦ ପୁରସ୍କାରର ମହତ୍ତ୍ୱ ବାବଦରେ କହିଥିଲେ ।
ପୁରସ୍କାରର ପ୍ରାୟୋଜକ ତଥା ମାରୁତି ଇଷ୍ଟେଟ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂହ, ଭୁବନେଶ୍ୱର ଆଥଲେଟିକ୍ସ ସଂଘର ସମ୍ପାଦକ ଡ. ଶୌର୍ଯ୍ୟ ରଞ୍ଜନ ପରିଜା ଏବଂ ସହିଦ ସ୍ପୋର୍ଟିଂର କୋଷାଧ୍ୟକ୍ଷ ନିକୁଞ୍ଜ ମହାନ୍ତିଙ୍କ ସମେତ ରାଜ୍ୟର ବହୁ କ୍ରିକେଟର, ଅଭିଭାବକ ଏବଂ ମିଡିଆ କର୍ମୀମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

You might also like