ଭାରତର ଅଧା ବ୍ୟାଟ୍‌ସମ୍ୟାନ୍‌ ଆଉଟ୍‌, ୧୭୫ ରନ୍‌ ହେବ କେମିତି ?

ପର୍ଥ : ଭାରତ ପାଇଁ ପର୍ଥ ଟେଷ୍ଟରେ ପରାଜୟର ଡର । ଦ୍ୱିତୀୟ ଟେଷ୍ଟ ଜିତିବା ପାଇଁ ଭାରତକୁ ୨୮୭ ରନ୍‌ର ଟାର୍ଗେଟ୍‌ ଦେଇଛି ଆଷ୍ଟ୍ରେଲିଆ ଦଳ । ଏହାର ପିଛା କରି ଟିମ୍‌ ଇଣ୍ଡିଆ ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ୫ ଓ୍ଵିକେଟ୍‌ ହରାଇ ୧୧୨ ରନ୍‌ କରିଛି । ଶେଷ ଦିନରେ ଜିତିବା ପାଇଁ ଆହୁରି ୧୭୫ ରନ୍‌ କରିବାକୁ ହେବ । ତେବେ ଭାରତୀୟ ଦଳ ହାତରେ ମାତ୍ର ୫ଟି ଓ୍ଵିକେଟ୍‌ ବାକି ଅଛି । ବର୍ତ୍ତମାନର ସ୍ଥିତି ଭାରତ ବିପକ୍ଷରେ ରହିଛି । କାରଣ ଏହାର ୫ ଜଣ ପ୍ରମୁଖ ବ୍ୟାଟ୍‌ସମ୍ୟାନ୍‌ ଏବେ ପାଭିଲିଆନ୍‌ରେ ।

INDIA-2
ଦୁଇ ଓପ୍ନର ଲୋକେଶ ରାହୁଲ (୦), ମୁରଲୀ ବିଜୟ (୨୦), ପୂଜାରା (୪) ଏପରିକି ଅଧିନାୟକ ବିରାଟ କୋହଲି (୧୭) ମଧ୍ୟ ଫେଲ୍‌ ମାରିଥିଲେ । ରାହାଣେ କିଛି ସମୟ ଲଢ଼େଇ କରି ୩୦ ରନ୍‌ କରିଥିଲେ । ଖେଳ ଶେଷ ବେଳକୁ ହନୁମା ବିହାରୀ ୨୪ ଏବଂ ୠଷଭ ପନ୍ତ ୯ ରନ୍‌ କରି ଅପରାଜିତ ଅଛନ୍ତି । ଏହି ଯୋଡ଼ି ପରେ ବାକି ଅଛନ୍ତି କେବଳ ବୋଲରମାନେ । ପର୍ଥରେ ବୋଲରମାନେ ଯେଭଳି ବୋଲିଂ କରୁଛନ୍ତି ସେଥିରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ତିଷ୍ଠି ରହିବା କଷ୍ଟକର ହେବ । ଚଳିତ ସିରିଜ୍‌ରେ ପ୍ରଥମ ଟେଷ୍ଟ ଜିତି ଭାରତ ୧-୦ରେ ଆଗୁଆ ରହିଛି । ଏହି ମ୍ୟାଚ୍‌ ଜିତିଲେ ୨-୦ ସ୍ଥିତିକୁ ଆସିବ । ହେଲେ ଅଷ୍ଟ୍ରେଲିଆ ପୂରା ଦମ୍‌ରେ ଲାଗିଛି ଏହି ମ୍ୟାଚ୍‌ ଜିତି ୧-୧ ସ୍ଥିତିକୁ ଆସିବା ପାଇଁ । ବର୍ତ୍ତମାନ ମ୍ୟାଚ୍‌ ଘରୋଇ ଦଳ ନିୟନ୍ତ୍ରଣରେ ରହିଛି ।
ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟ ଇନିଂସ୍‌ରେ ୨୪୩ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା । ପେସ୍‌ ବୋଲର ମହମ୍ମଦ ସାମିଙ୍କ ଦମ୍‌ଦାର ବୋଲିଂ ଫଳରେ ଭାରତ ଆଜି ଖୁବ୍‌ ଶୀଘ୍ର ଘରୋଇ ଦଳର ଓ୍ଵିକେଟ୍‌ଗୁଡ଼ିକୁ ଦଖଲ କରି ପାରିଥିଲା । ସାମି ୫୬ ରନ୍‌ ଦେଇ ୬ ଓ୍ଵିକେଟ୍‌ ଦଖଲ କରିଛନ୍ତି । ଯଶପ୍ରୀତ ବୁମରା ୩୯ ରନ୍‌ରେ ୩ଟି ଓ୍ଵିକେଟ୍‌ ଦଖଲ କରିଛନ୍ତି ।

ସ୍କୋର : ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌-୩୨୬ । ଦ୍ୱିତୀୟ ଇନିଂସ୍‌-୨୪୩, ୯୩.୨ ଓଭର (ଉସମାନ ଖ୍ଵାଜା ୭୨ଟିମ୍‌, ପାଇନ୍‌ ୩୭ । ସାମି ୨୪-୮-୫୬-୬, ବୁମରା ୨୫.୨-୧୦-୩୯-୩) ।
ଭାରତ ପ୍ରଥମ ଇନିଂସ୍‌-୨୮୩ । ଦ୍ୱିତୀୟ ଇନିଂସ୍‌-୧୧୨/୫, ୪୧ ଓଭର (ରାହୁଲ ୦, ମୁରଲୀ ବିଜୟ ୨୦, ପୂଜାରା ୪, କୋହଲି ୧୭, ରାହାଣେ ୩୦, ବିହାରୀ ଅପରାଜିତ ୨୪, ପନ୍ତ ଅପରାଜିତ ୯ । ହାଜେଲଉଡ୍‌ ୨/୨୪, ଲାୟନ୍‌ ୨/୩୦) ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.