Below header

ଦଶଜଣଙ୍କୁ ଭାରୀ ପଡ଼ିଲେ ଜଣେ : ଗୋଟିଏ ଇନିଂସ୍‌ରେ ୧୦ ଓ୍ଵିକେଟ୍‌ ନେଲେ ମଣିପୁର ବୋଲର୍‌

ତ୍ରିପୁରା : କୁଚ୍‌ ବେହରା ଟ୍ରଫି ୧୯ ବର୍ଷରୁ କମ୍‌ ଜାତୀୟ ସ୍ତରୀୟ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଚମତ୍କାର । ମଣିପୁର ବୋଲର ରେକ୍ସ ସିଂହ ଗୋଟିଏ ଇନିଂସ୍‌ରେ ନେଲେ ସବୁଯାକ ୧୦ଟି ଓ୍ଵିକେଟ୍‌ । ମାତ୍ର ୧୧ ରନ୍‌ ଦେଇ ରେକ୍ସ ଏହି ସଫଳତା ପାଛନ୍ତି ଅରୁଣାଚଳ ପ୍ରଦେଶ ବିପକ୍ଷରେ । ତିନି ତିନିଥର ହ୍ୟାଟ୍ରିକ୍‌ ଅର୍ଜନ କରିବାର ସୁଯୋଗ ମଧ୍ୟ ପାଇଥିଲେ । ଅବଶ୍ୟ ହ୍ୟାଟ୍ରିକ୍‌ କରିବାରେ ସଫଳ ହୋଇ ନଥିଲେ ମଧ୍ୟ ମାତ୍ର ୧୧ ରନ୍‌ ଦେଇ ସବୁଯାକ ଓ୍ଵିକେଟ୍‌ ଦଖଲ କରି ନେଇଥିଲେ । ଯାହାଫଳରେ ଅରୁଣାଚଳ ପ୍ରଦେଶ ମାତ୍ର ୩୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ତାଙ୍କର ୯.୫ ଓଭର ବୋଲିଂରେ ରେକ୍ସ ୬ ଓଭର ମେଡେନ୍‌ ପାଇଥିଲେ । ତାଙ୍କର ଚମତ୍କାର ସୁଇଂ ବୋଲିଂ ବିପକ୍ଷର ବ୍ୟାଟିଂ ଦୁର୍ଗକୁ କିଛି କ୍ଷଣ ମଧ୍ୟରେ ଧ୍ୱସ୍ତ କରି ଦେଇଥିଲା । ଯାହାଫଳରେ ମଣିପୁର ଏହି ମ୍ୟାଚ୍‌ରେ ବିଜୟୀ ହୋଇଥିଲା ।
ଚଳିତ ବର୍ଷ ରେକ୍ସ ସିଂହ ରଣଜୀ ଟ୍ରଫିରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ତେବେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ତାଙ୍କ ସୁଇଂ ବୋଲିଂ ଷ୍ଟାଇଲ୍‌ ଇରଫାନ୍‌ ପଠାନ୍‌ ଓ ଓ୍ଵାସିମ ଆକ୍ରାମ୍‌ଙ୍କ ଭଳି ଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ ଓ କ୍ରିକେଟ୍‌ ବିଶେଷଜ୍ଞ କହିଛନ୍ତି । ଦେଖନ୍ତୁ ରେକ୍ସଙ୍କ ବୋଲିଂର ଭିଡିଓ ।

ଦେବାଶିଷଙ୍କ ପରେ ରେକ୍ସ

DESHISH MOHANTY

ଘରୋଇ କ୍ରିକେଟ୍‌ରେ ଓଡ଼ିଶାର ଦେବାଶିଷ ମହାନ୍ତିଙ୍କ ପରେ ରେକ୍ସ ଗୋଟିଏ ଇନିଂସ୍‌ରେ ୧୦ଟି ଓ୍ଵିକେଟ୍‌ ନେଇଛନ୍ତି । ଦେବାଶିଷ ୨୦୦୦-୨୦୦୧ରେ ଦଲୀପ ଟ୍ରଫିରେ ପୂର୍ବାଞ୍ଚଳ ପକ୍ଷରୁ ଖେଳି ଦକ୍ଷିଣାଞ୍ଚଳର ୧୦ଟି ଯାକ ଓ୍ଵିକେଟ୍‌ ଦଖଲ କରିଥିଲେ । ଏହି ମ୍ୟାଚ୍‌ ଅଗରତାଲାରେ ଖେଳା ଯାଇଥିଲା । ପୂର୍ବରୁ ୧୯୫୪/୫୫ରେ ଏସ୍‌. ଗୁପ୍ତେ ପାକିସ୍ତାନ ସର୍ଭିସେସ୍‌ ଏକାଦଶ ବିରୋଧରେ, ୧୯୫୬/୫୭ରେ ଆସାମ ବିପକ୍ଷରେ ପଶ୍ଚିମବଙ୍ଗର ପିଏମ୍‌ ଚାଟ୍ଟାର୍ଜୀ ୧୦ ଓ୍ଵିକେଟ୍‌ ନେବାର ରେକର୍ଡ଼ କରିଛନ୍ତି ।

ଟେଷ୍ଟ କ୍ରିକେଟ୍‌ରେ ଲାକର ଓ କୁମ୍ବଲେ

ANIL KUMBLE

ଟେଷ୍ଟ କ୍ରିକେଟ୍‌ରେ ମାତ୍ର ଦୁଇଜଣ ଖେଳାଳି ଗୋଟିଏ ଇନିଂସ୍‌ରେ ୧୦ଟି ଓ୍ଵିକେଟ୍‌ ନେବାର ଇତିହାସ ରଚିଛନ୍ତି । ୧୯୫୬ରେ ଇଂଲଣ୍ଡର ଜିମ୍‌ ଲାକର ପ୍ରଥମ ବୋଲର୍‌ ଭାବେ ଏହି ସଫଳତା ପାଇଥିଲେ । ଏହା ପରେ ୧୯୯୯ରେ ପାକିସ୍ତାନ ବିପକ୍ଷରେ ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ରେକର୍ଡ଼କୁ ଦୋହରାଇଥିଲେ ଭାରତୀୟ ସ୍ପିନର ଅନୀଲ କୁମ୍ବଲେ । ସେ ୭୪ ରନ୍‌ ଦେଇ ୧୦ ଜଣ ପାକ୍‌ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଆଉଟ୍‌ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.