ମା’ ହେବେ ପୂର୍ବତନ ଟେନିସ୍‌ ଷ୍ଟାର୍‌ ମାରିଆ ସାରାପୋଭା; ସମୁଦ୍ର କୂଳରୁ ଫଟୋ ପୋଷ୍ଟ୍‍ କରି ଦେଲେ ଖୁସି ଖବର

ମାରିଆ ସାରାପୋଭା ଟେନିସ୍‌ ଦୁନିଆର ଏକ ବଡ଼ ନାଁ। ନିକଟରେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ୍‍ ସେୟାର କରି ଫ୍ୟାନମାନଙ୍କୁ ଖୁସି ଖବର ଜଣାଇଛନ୍ତି। ଏହି ପୋଷ୍ଟ ଦେଖୁ ଦେଖୁ ଭାଇରାଲ ହୋଇଯାଇଛି। ପ୍ରକୃତ କଥା ହେଲା, ୩୫ ବର୍ଷୀୟା ପୂର୍ବତନ ବିଶ୍ୱ ୧ ନମ୍ବର ଟେନିସ୍‌ ଷ୍ଟାର୍‌ ସାରାପୋଭା ଏହି ପୋଷ୍ଟ ମାଧ୍ୟମରେ ଫ୍ୟାନମାନଙ୍କ ସହ ନିଜ ପ୍ରେଗ୍‌ନାନ୍ସି ବିଷୟରେ ଘୋଷଣା କରିଛନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ସମୁଦ୍ର କୂଳରେ ଛିଡ଼ା ହୋଇଥିବାର ନଜର ଆସୁଛନ୍ତି। ଏହି ପୋଷ୍ଟରେ ସାରାପୋଭା ନିଜ ବେବି ବମ୍ପ୍‌ ଦେଖାଇଛନ୍ତି।

ସାରାପୋଭା ଇନ୍‌ଷ୍ଟାଗ୍ରାମରେ ନିଜର ୪.୨ ମିଲିୟନ ଫଲୋଅର୍ସଙ୍କ ସହିତ ଏହି ଖୁସି ଖବର ସେୟାର କରିଛନ୍ତି। ପୋଷ୍ଟ୍‍ ସହିତ ସେ କ୍ୟାପସନ ଲେଖିଛନ୍ତି, ‘ପ୍ରିସିଅସ୍‌ ବିଗିନିଙ୍ଗ୍‌!!! ଦୁଇଜଣଙ୍କ ପାଇଁ ଜନ୍ମଦିନ କେକ୍‌ ଖାଇବା ସବୁବେଳେ ମୋର ଖାସିୟତ୍‌ ରହି ଆସିଛି’। କହି ରଖୁଛୁ, ସାରାପୋଭା ୧୯ ଏପ୍ରିଲରେ ନିଜ ଜନ୍ମଦିନ ଅବସରରେ ଫ୍ୟାନମାନଙ୍କ ସହିତ ପ୍ରେଗ୍‌ନାନ୍ସି ଖବର ସେୟାର କରିଥିଲେ।

maria22
photo: Zee News

ମାରିଆ ସାରାପୋଭା ୨୦୨୦ରେ ଟେନିସ୍‌ କୋର୍ଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ସେ ୫ ଥର ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ଜିତିଛନ୍ତି। ସାରାପୋଭା ୨୦୨୦ ଡିସେମ୍ବରରେ ବ୍ରିଟିଶ କୋଟିପତି ଆଲେକ୍ସଜାଣ୍ଡର ଗିଲକ୍ସଙ୍କ ସହ ନିର୍ବନ୍ଧ କରିଥିଲେ। ଖବର ମୁତାବକ, ଗିଲକ୍ସଙ୍କର ପ୍ରିନ୍ସ ହ୍ୟାରୀଙ୍କ ସହିତ ଭଲ ସମ୍ପର୍କ ରହିଛି। ସେ ପ୍ରିନ୍ସ ଓ୍ଵିଲିୟମ ଓ କେଟ୍‌ ମିଡଲଟନଙ୍କ ରୟାଲ ବିବାହରେ ଅତିଥି ରୂପେ ଆମନ୍ତ୍ରିତ ହୋଇଥିଲେ।