କିଟ୍‌ରେ ଜାତୀୟ ଭାରୋତ୍ତୋଳନ ଚାମ୍ପିଅନସିପ୍‌: ସ୍ୱର୍ଣ୍ଣ ପଦକ ଜିତିଲେ ମଣିପୁରର ମାର୍ଟିନା ଦେବୀ

ଭୁବନେଶ୍ୱର (କେନ୍ୟୁଜ): କିଟ୍‌ ବିଶ୍ୱବିଦ୍ୟାଳୟ ଇଣ୍ଡୋର ଷ୍ଟାଡିୟମରେ ଚାଲିଛି ଯୁବ, ଜୁନିୟର ଓ ସିନିୟର ଜାତୀୟ ଭାରୋତ୍ତୋଳନ ଚାମ୍ପିଅନସିପ୍‌ । ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ, ଭାରତୀୟ ଭାରୋତ୍ତୋଳନ ଫେଡରେସନ୍‌ ଓ ଓଡିଶା ଭାରୋତ୍ତୋଳନ ଅସୋସିଏସନ୍‌ ପକ୍ଷରୁ ମିଳିତ ସହଯୋଗରେ ଆୟୋଜନ କରାଯାଇଛି। ଆଜି ଯୁବ ମହିଳା ବର୍ଗରେ ମଣିପୁରର ମାର୍ଟିନା ଦେବୀ ନୂଆ ରେକର୍ଡ କରି ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ତାମିଲନାଡୁର କେ. ଓଭିୟା ବ୍ରୋଞ୍ଜ ପଦକ ଓ ଉତ୍ତର ପ୍ରଦେଶର ଅଦିତି ରୌପ୍ୟ ପଦକ ବିଜେତା ହୋଇଛନ୍ତି ।

ଏହି ୩ ପ୍ରତିଯୋଗୀଙ୍କୁ ୧୦ ହଜାର, ୫ ହଜାର ଓ ୩ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯାଇଥିଲା । ଏହି ବର୍ଗରେ ବହୁ ନୂଆ ରେକର୍ଡ ମଧ୍ୟ ହୋଇଛି । କିଟ୍‌ରେ ଚାଲିଥିବା ଏହି ଭାରୋତ୍ତୋଳନ ଚାମ୍ପିଅନସିପ୍‌ରେ ଗତକାଲି ୧୦୨ କିଲୋ ଯୁବ ବାଳକ ବର୍ଗରେ ବିହାରର ଭୋଳା ସିଂ ଓ ୮୧ କିଲୋ ଯୁବ ବାଳିକା ବର୍ଗରେ ଆନ୍ଧ୍ରପ୍ରଦେଶର ଶ୍ରୀଲକ୍ଷ୍ମୀ ୩ଟି ଯାକ କାଟେଗୋରୀରେ ନୂଆ ରେକର୍ଡ କରିଥିଲେ ।

ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଆସନ୍ତାକାଲି ଶେଷ ହେବ । କିଟ୍‌ର ଇଣ୍ଡୋର ଷ୍ଟାଡିୟମ୍‌ରେ ଏହି ଖେଳ ହେବା ସହ ସମସ୍ତ ଖେଳାଳୀ,କୋଚ୍‌ ,ମ୍ୟାନେଜର୍‌ ଓ ସପୋର୍ଟିଙ୍ଗ ଷ୍ଟାଫ୍‌ଙ୍କର ସମସ୍ତ ରହିବା ଓ ଖାଇବା ବ୍ୟବସ୍ଥା କିଟ୍‌ ପକ୍ଷରୁ କରାଯାଇଛି। ଭାରତର ଇତିହାସରେ ସବୁଠାରୁ ଅଧିକ ଖେଳାଳୀ ଏତେ ଦିନ ଧରି ଏଭଳି ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପ୍ରଥମ ବୋଲି କହିଛନ୍ତି ଭାରୋତ୍ତୋଳନର ଇଣ୍ଟରନ୍ୟାସନାଲ୍‌ ରେଫରୀ । ଏହି ପ୍ରତିଯୋଗିତାରେ ସାରା ଦେଶରୁ ୩୦ ଟିମ୍‌ରେ ପାଖାପାଖି ୯୦୦ ଜଣ ଅଂଶଗ୍ରହଣ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.