ଜେଲରେ ଅସୁସ୍ଥ ହେଲେ ସିଦ୍ଧୁ : ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ଜେଲରେ ଦିଆଗଲା ଖଟ, ଓଜନ କମାଇବା ପାଇଁ ପରାମର୍ଶ ଦେଲେ ଡାକ୍ତର

ରୋଡ଼ ରେଜ ମାମଲାରେ ଏକ ବର୍ଷ ଜେଲଦଣ୍ଡ ଭୋଗୁଥିବା ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଦ୍ଧୁଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଛି। ତାଙ୍କ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଥିବା ଜଣାଯାଇଛି। ଏହା ଜାଣିବା ପରେ ଡାକ୍ତରୀ ଟିମ ପଟିଆଲା ସେଣ୍ଟ୍ରାଲ ଜେଲରେ ପହଞ୍ଚିଥିଲେ। ଯେଉଁଠାରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଡାକ୍ତରଙ୍କ ପରାମର୍ଶ ପରେ ସିଦ୍ଧୁଙ୍କ ପାଇଁ ଜେଲରେ ଏକ ଉଚ୍ଚା ଓ କଠିନ ବେଡ୍ ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ତାଙ୍କ ଟଏଲେଟ୍ ସିଟ୍ ମଧ୍ୟ ଉଚ୍ଚା କରିବା ପାଇଁ କହିଥିଲେ । ସିଦ୍ଧୁଙ୍କୁ ଓଜନ କମାଇବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ସୂଚନା ଅନୁଯାୟୀ ନବଜୋତ ସିଦ୍ଧୁ ପଟିଆଲା ଜେଲର ବ୍ୟାରେକ ନମ୍ବର ୧୦ରେ ରହିଛନ୍ତି। ଯେଉଁଠାରେ ସେ ଚଟାଣରେ ଶୋଇଥିଲେ ଫଳରେ ସେ ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରୁଥିଲେ। ଅର୍ଥୋପେଡିକ୍ ସର୍ଜନ ଶନିବାର ସିଦ୍ଧୁଙ୍କ ଡାକ୍ତରୀ ପରୀକ୍ଷା କରିଥିଲେ ଏବଂ ସିଦ୍ଧୁଙ୍କୁ ଓଜନ ହ୍ରାସ କରିବାକୁ ପରାମର୍ଶ ଦେଇଥିଲେ। ସିଦ୍ଧୁଙ୍କୁ ଖଟ ଉପରେ ଶୋଇବାକୁ ପରାମର୍ଶ ଦିଆଯାଇଥିଲା। ଏହା ବ୍ୟତୀତ ଆଣ୍ଠୁକୁ ମଜବୁତ କରିବା ପାଇଁ ତାଙ୍କୁ କିଛି ବ୍ୟାୟାମ କରିବାକୁ ମଧ୍ୟ କୁହାଯାଇଛି। ଯାହା ପରେ ଜେଲ ପ୍ରଶାସନ ସେମାନଙ୍କୁ ହାର୍ଡ ବୋର୍ଡ ବେଡ୍ ଯୋଗାଇଛି।

ଦିନେ ଅଏସ ଆରାମରେ ଜୀବନ ବିତାଉଥିଲେ ସିଦ୍ଧୁ । ଦାମୀ ଖଟରେ ଶୋଉଥିଲେ । ତଳେ ଶୋଇବା କ’ଣ ଜାଣିନଥିଲେ । ହେଲେ ଜେଲ ଯିବା ପରେ ତଳେ ଶୋଇବାକୁ ପଡ଼ୁଥିଲା । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଜେଲରେ ତାଙ୍କର ମେଡିକାଲ ଚେକ୍ଅପ୍ କରାଯାଇଥିଲା ।

ସୂଚନା ଯୋଗ୍ୟ ନବଜୋତ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ, ସେତେବେଳେ ସେ ଏହି ରୋଗ ବିଷୟରେ ସୂଚନା ଦେଇଥିଲେ। ରୋଗ ବିଷୟରେ ଦର୍ଶାଇ ସିଦ୍ଧୁ ଏକ ସ୍ୱତନ୍ତ୍ର ଡାଏଟ୍ ମାଗିଥିଲେ। ତାଙ୍କର ଯକୃତ ସମସ୍ୟା ରହିଛି ବୋଲି ସେ କହିଛନ୍ତି। ଏଥିପାଇଁ PGI ଚଣ୍ଡିଗଡ଼ରେ ତାଙ୍କର ଚେକଅପ୍ କରାଯାଇଥିଲା ଯେଉଁଠାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.