ବାରବାଟୀରେ ଓଡ଼ିଶା-ଝାଡ଼ଖଣ୍ଡ ମ୍ୟାଚ୍‌ ଡ୍ର, ଗ୍ରୁପ୍‌ର ଦ୍ୱିତୀୟ ଦଳ ଭାବେ ପରବର୍ତ୍ତୀ ରାଉଣ୍ଡକୁ ଯୋଗ୍ୟତା ଲାଭ କଲା ଓଡ଼ିଶା

କଟକ (କେ ନ୍ୟୁଜ୍‌) : ବାରବାଟୀ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ଓଡ଼ିଶା ବନାମ ଝାଡ଼ଖଣ୍ଡ ରଣଜୀ ଟ୍ରଫି ମ୍ୟାଚ୍‌ ଆଜି ଡ୍ର’ରେ ଶେଷ ହୋଇଛି । ଏହି ମ୍ୟାଚ୍‌ରୁ ୩ ପଏଣ୍ଟ ପାଇଁ ତାଲିକାର ଦ୍ୱିତୀୟ ସ୍ଥାନରେ ରହି ଓଡ଼ିଶା ଦଳ କ୍ୱାର୍ଟରଫାଇନାଲ୍‌ରେ ପ୍ରବେଶ କରିଛି । ଏହି ମ୍ୟାଚ୍‌ ସହିତ ଏଲିଟ୍‌ ଗ୍ରୁପ୍‌ ‘ସି’ ଲିଗ୍‌ ଖେଳ ଶେଷ ହୋଇଛି । ଆଜି ଅନ୍ୟ ମ୍ୟାଚ୍‌ରେ ଜମ୍ମୁ କଶ୍ମୀର ହାରି ଯାଇଥିଲେ ମଧ୍ୟ ସର୍ବାଧିକ ୩୯ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ଓଡ଼ିଶା ୩୮ ପଏଣ୍ଟ ପାଇଁ ଦ୍ୱିତୀୟ ସ୍ଥାନରେ ଅଛି । ଗ୍ରୁପ୍‌ରୁ ପ୍ରଥମ ଦୁଇଟି ଦଳ ଭାବେ ଜମ୍ମୁ କଶ୍ମୀର ଏବଂ ଓଡ଼ିଶା କ୍ୱାର୍ଟର ଫାଇନାଲ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ODISHA IN QURTER-1ଏହି ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ୪୩୬ ରନ୍‌ କରିଥିବା ଓଡ଼ିଶା ଦଳ ଝାଡ଼ଖଣ୍ଡକୁ ୩୫୬ ରନ୍‌ରେ ଅଲ୍‌ଆଉଟ୍‌ କରି ୮୦ ରନ୍‌ରେ ଆଗୁଆ ରହିଥିଲା । ଏହା ପରେ ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରି ଗୋଟିଏ ଓ୍ଵିକେଟ୍‌ ବିନିମୟରେ ୧୮୭ ରନ୍‌ କରି ପାଳି ଘୋଷଣା କରିଥିଲା । ଘରୋଇ ଦଳ ମୋଟ୍‌ ୨୬୭ ରନ୍‌ରେ ଆଗୁଆ ଥିବା ବେଳେ ଅଧିନାୟକ ଶୁଭ୍ରାଂଶୁ ପାଳି ଘୋଷଣା କରିଥିଲେ । ତେବେ ମ୍ୟାଚ୍‌ରେ କୌଣସି ଫଳାଫଳ ଆସିବାର ନଥିବାରୁ ସମୟ ପୂର୍ବରୁ ଖେଳ ଶେଷ କରି ଦିଆଯାଇଛି ।
ଓଡ଼ିଶା ଦ୍ୱିତୀୟ ଇନିଂସ୍‌ରେ ଅଧିନାୟକ ଶୁଭ୍ରାଂଶୁ ସେନାପତି ଅପରାଜିତ ୧୦୦ ରନ୍‌ ଏବଂ ପ୍ରଥମ ଇନିଂସ୍‌ରେ ଶତକ କରିଥିବା ଦେବାଶିଷ ସାମନ୍ତରାୟ ୬୪ ରନ୍‌ କରି ଅପରାଜିତ ଥିଲେ । ଅନ୍ୟତମ ଓପ୍ନର ଶାନ୍ତନୁ ମିଶ୍ର ୧୪ ରନ୍‌ କରି ଆଉଟ୍‌ ହୋଇଥିଲେ । ଦେବାଶିଷଙ୍କୁ ‘ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌’ ବିବେଚିତ କରାଯାଇଛି ।
ତେବେ ପ୍ରଥମ ଇନିଂସ୍‌ ଅଗ୍ରଣୀ ଭିତ୍ତିରେ ଓଡ଼ିଶା ଦଳ ଏହି ମ୍ୟାଚ୍‌ରୁ ୩ ପଏଣ୍ଟ ହାସଲ କରିଛି । ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌ ‘ସି’ରେ ଓଡ଼ିଶା ଦଳ ଏପର୍ଯ୍ୟନ୍ତ ୯ଟି ମ୍ୟାଚ୍‌ ଖେଳି ୫ଟି ବିଜୟ, ୨ଟି ପରାଜୟ ଏବଂ ୨ଟି ମ୍ୟାଚ୍‌ ଡ୍ର ରଖି ମୋଟ୍‌ ୩୮ ପଏଣ୍ଟ ପାଇଛି ।

ସ୍କୋର : ଓଡ଼ିଶା-୪୩୬ ଓ ୧୮୭/୧ ପାଳି ଘୋଷଣା । ଝାଡ଼ଖଣ୍ଡ-୩୫୬ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.