ରଣଜୀ ଲଢ଼େଇରେ ଓଡ଼ିଶାର ବିଶାଳ ବିଜୟ, ଗୋଆକୁ ୨୭୬ ରନ୍ରେ ହରାଇଲା

ଭୁବନେଶ୍ୱର (କେ ନ୍ୟୁଜ୍) : ଚଳିତ ରଣଜୀ ସିଜିନ୍ରେ ଓଡ଼ିଶାର ସବୁଠାରୁ ବଡ଼ ବିଜୟ । ୨୭୬ ରନ୍ର ବିଶାଳ ବ୍ୟବଧାନରେ ଆଜି ଗୋଆକୁ ହରାଇଛି । ୩୭୭ ରନ୍ର ପିଛା କରୁଥିବା ଗୋଆ ଦଳ ଦ୍ୱିତୀୟ ଇନିଂସ୍ରେ ମାତ୍ର ୧୧୧ ରନ୍ କରି ପାରିଛି । ରାଜେଶ ମହାନ୍ତି ୫ଟି ଏବଂ ବସନ୍ତ ମହାନ୍ତି ୪ଟି ଓ୍ଵିକେଟ୍ ନେଇ ତୃତୀୟ ଦିନରେ ଖେଳ ସାରି ଦେଇଛନ୍ତି ।
ଓଡ଼ିଶା ଏପର୍ଯ୍ୟନ୍ତ ୯ଟି ମ୍ୟାଚ୍ ଖେଳି ୪ଟି ବିଜୟ ଏବଂ ୩ଟି ପରାଜୟ ଲାଭ କରିଥିବା ବେଳେ ୨ଟି ମ୍ୟାଚ୍ ଡ୍ର ରହିଛି । ଗ୍ରୁପ୍ ‘ସି’ରେ ୨୬ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ରାଜସ୍ଥାନ ୫୧, ଉତ୍ତର ପ୍ରଦେଶ ୩୮ ଏବଂ ଝାଡ଼ଖଣ୍ଡ ୩୩ ପଏଣ୍ଟ ସହ ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି ।
ପୂର୍ବରୁ ଦ୍ୱିତୀୟ ଇନିଂସ୍ରେ ଓଡ଼ିଶା ୧୫୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଦେବାଶିଷ ସାମନ୍ତରାୟ ୩୧ ଏବଂ ସୁଜିତ ଲେଙ୍କା ସର୍ବାଧିକ ୩୯ ରନ୍ ସ୍କୋର କରିଥିଲେ । ଗୋଆ ବୋଲର ଲକ୍ଷ୍ୟ ଗର୍ଗ ୫ଟି ଏବଂ କ୍ରିଷ୍ଣା ଦାସ ୪ଟି ଓ୍ଵିକେଟ୍ ଅକ୍ତିୟାର କରିଥିଲେ । ତେବେ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ୍ କରିଥିବା ସୂର୍ଯ୍ୟକାନ୍ତ ପ୍ରଧାନ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ସ୍କୋର : ଓଡ଼ିଶା ପ୍ରଥମ ଇନିଂସ୍-୩୫୨ । ଦ୍ୱିତୀୟ ଇନିଂସ୍-୧୫୧, ୪୩.୪ ଓଭର (ଅନୁରାଗ ଷଡ଼ଙ୍ଗୀ ୨୩, ଦେବାଶିଷ ସାମନ୍ତରାୟ ୩୧, ସୁଜିତ ଲେଙ୍କା ୩୯ । କ୍ରିଷ୍ଣା ଦାସ ୨୨-୧୦-୫୭-୪, ଲକ୍ଷ୍ୟ ଗର୍ଗ ୨୦-୫-୭୫-୫) । ଗୋଆ ପ୍ରଥମ ଇନିଂସ୍-୧୧୬ । ଦ୍ୱିତୀୟ ଇନିଂସ୍-୧୧୧, ୨୯.୫ ଓଭର ଓଭର (ଅମୋଘ ସୁନୀଲ ଦେଶାଇ ୨୮, ଦର୍ଶନ ମିଶାଲ ୨୦ । ବସନ୍ତ ମହାନ୍ତି ୧୦-୪-୨୧-୪, ୯.୫-୨-୪୯-୫) ।