Below header

ପୁଣି ଜାତୀୟସ୍ତରରେ ଉଡିଲା ଓଡିଶାର ବିଜୟ ଧ୍ୱଜା, ୧୭ ବର୍ଷରୁ କମ୍ ବାଳିକା ବର୍ଗ କବାଡି ପ୍ରତିଯୋଗିତାରେ ବାଜିମାତ କଲା ଓଡିଶା

ଯାଜପୁର: ପୁଣି ଜାତୀୟସ୍ତରରେ ଚମକିଲେ ଓଡିଆ ବାଳିକା । ଉଡିଲା ଓଡିଶାର ବିଜୟ ଧ୍ୱଜା । ୧୭ବର୍ଷରୁ କମ ବାଳିକା ବର୍ଗ କବାଡି ପ୍ରତିଯୋଗିତାରେ ବାଜିମାତ କଲା ଓଡିଶା । ଉତ୍ତରପ୍ରଦେଶର ମଥୁରାଠାରେ ଚାଲିଥିବା ନ୍ଯାସନାଲ ସ୍ପୋର୍ଟ୍ସ ମିଟରେ ଏହି ସଫଳତା ହାସଲ କରିଛି ଓଡିଶା ବାଳିକା ଦଳ । ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନେ ଯାଜପୁର ଜିଲ୍ଲାରୁ ଯାଇଥିବା ବେଳେ ଏବେ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।

ସ୍କୁଲ ସ୍ପୋର୍ଟ୍ସ ଆକ୍ଟିଭିଟିଜ୍‌ ଫେଡେରେସନ୍‌ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ଉତ୍ତରପ୍ରଦେଶ ମଥୁରାଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ସଫଳତା ହାସଲ କରିଛି ଓଡିଶା କବାଡି ଦଳ । ଗତ ୨୧ ତାରିଖରୁ ୨୩ ତାରିଖ ପର୍ଯ୍ଯନ୍ତ ୩ଦିନ ଧରି ଚାଲିଥିବା ନ୍ଯାସନାଲ ସ୍ପୋର୍ଟ୍ସ ମିଟ୍ର ୧୭ବର୍ଷରୁ କମ କବାଡିରେ ଓଡିଶା ଦଳ ଚାମ୍ପିଅନ ହୋଇଛି । ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ଯାଚରେ ଉତରପ୍ରଦେଶକୁ ୩୫-୩୦ରେ ହରାଇ ପ୍ରଥମ ସ୍ଥାନ ଅଧିକାରୀ କରି ଗୋଲ୍ଡ ମେଡାଲ ହାସଲ କରିଛି । ଏହି ସଫଳତା ପାଇବା ପରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସେମାନେ ଆଗକୁ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ।

odisha winଏହି ବାଳିକା ବର୍ଗ କବାଡି ଦଳରେ ଭାଗ ନେଇଥିବା ୧୨ଜଣଙ୍କ ମଧ୍ୟରୁ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ୧୧ଜଣ ସ୍କୁଲ ଓ କଲେଜ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏମାନେ ଧର୍ମଶାଳା ବ୍ଲକର କୋତପୁର ଖେଳପଡିଆରେ ପ୍ରତ୍ୟହ ଅଭ୍ଯାସ ଜାରି ରଖିଥିଲେ । ଦଳର ଅଧିନାୟକ ରୋଜିରାଣୀ ଦାସଙ୍କ ନେତୃତ୍ୱରେ ସୋନାଲି ରାଉଳ, ଅର୍ପିତା ମାହୁନ୍ତ, ପ୍ରିୟଦର୍ଶିନୀ ଜେନା, ସିପ୍ରା ପରିଡା, ମୋନାଲିସା ବାରିକ, ସୈାମ୍ଯାଶ୍ରୀ ରାୟ ପ୍ରମୁଖ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରିଥିଲେ । ଫଳରେ ଓଡିଶା ଟିମ ବିଜୟୀ ହୋଇଥିଲା ।

ଫାଇନାଲ ମ୍ଯାଚରେ ଶ୍ରେଷ୍ଠ ଖେଳାଳୀ ଭାବେ ଓଡିଶା ଟିମର ଅଧିନାୟକ ରୋଜିରାଣୀ ଦାସଙ୍କୁ ମନୋନୀତ କରାଯାଇଥିଲା । ଏହି ସଫଳତା ପାଇଁ ଦଳର କୋଚ ଓ ମ୍ଯାନେଜରଙ୍କୁ ଶ୍ରେୟ ଦେଇଛନ୍ତି ଖେଳାଳୀମାନେ । ଏପଟେ ସେମାନଙ୍କୁ ଆବଶ୍ଯକୀୟ ପ୍ରୋତ୍ସାହନ ଓ ସହାୟତା ଯୋଗାଇଦେବାକୁ ସ୍କୁଲ ସ୍ପୋର୍ଟ୍ସ ଆକ୍ଟିଭିଟିଜ୍‌ ଫେଡେରେସନ୍‌ ଅଫ ଓଡିଶାର ସଂପାଦକ କହିଛନ୍ତି । ତେବେ ବାଳିକାଙ୍କ ଏହି ବିଜୟ କେବଳ ଯାଜପୁର ଜିଲ୍ଲା ପାଇଁ ନୁହେଁ ସମଗ୍ର ରାଜ୍ଯ ପାଇଁ ଗର୍ବର ବିଷୟ । ଆଗକୁ ସର୍ଭଭାରତୀୟସ୍ତରରେ ଏହି ଖେଳାଳୀମାନେ ଅଂଶଗ୍ରହଣ କରି ସଫଳତା ପାଇବାକୁ ଆଶା ରଖିଛନ୍ତି ।

ଯାଜପୁରରୁ ଅବିନେଶ୍ୱର ଶତପଥୀଙ୍କ ରିପୋର୍ଟ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.