ବିସିସିଆଇ ପାଇଁ ମୁଣ୍ଡ ବିନ୍ଧା, ଖେଳାଳିଙ୍କ ପରିବାର ‘ପିଲାଠୁ ଜେଜେମା ଯାଏ’

ମୁମ୍ବାଇ : ଏବେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ଼/ବିସିସିଆଇ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି ଖେଳାଳିଙ୍କ ପରିବାର । ପୂର୍ବରୁ ଖେଳଳିମାନେ ସେମାନଙ୍କ ପରିବାର ଲୋକଙ୍କୁ ବିଦେଶ ଗସ୍ତରେ ନେଇ ପାରିବେ ବୋଲି ବିସିସିଆଇ ଅନୁମତି ଦେଇଥିଲା । ହେଲେ ଏଇ ଅନୁମତି ଏବେ ବୋର୍ଡ଼ ତଣ୍ଟିରେ କଣ୍ଟା ଭଳି ଲାଗିଛି । ନା ଗିଳି ପାରୁଛି ନା ଢୋକି ପାରୁଛି ।
ଖେଳାଳିଙ୍କ ସହ ସେମାନଙ୍କ ପତ୍ନୀ କେବଳ ନୁହେଁ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ଯାଇଛନ୍ତି । ସେମାନଙ୍କ ଯିବା ଆସିବାର ସମସ୍ତ ଦାୟିତ୍ୱ ବୋର୍ଡ଼ ନେଇଛି । ଏମିତିକି ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତର ବେଳେ ଭୀଷଣ ସମସ୍ୟା ହେଉଛି । ଖେଳାଳିମାନଙ୍କ ପାଇଁ ଗୋଟିଏ ବସ୍‌ ଯଥେଷ୍ଟ ହେଉଥିବା ବେଳେ ସେମାନଙ୍କ ପରିବାର ଲୋକଙ୍କ ପାଇଁ ଦୁଇ ଦୁଇଟି ବସ୍‌ ବି କମ୍‌ ପଡୁଛି । କାରଣ ଖେଳାଳିଙ୍କ ସହ ଟିମ୍‌ର ସପୋର୍ଟ ଷ୍ଟାଫ୍‌ ମଧ୍ୟ ରହିଛନ୍ତି । ଏବେ ଅଷ୍ଟ୍ରେଲିଆ ପରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତ କରୁଛି । ଏହି ଲମ୍ବା ଗସ୍ତରେ ଖେଳାଳିଙ୍କ ପରିବାର ଲୋକେ ମଧ୍ୟ ବୁଲାବୁଲିର ମଜା ଉଠାଉଛନ୍ତି । ଏମାନଙ୍କ ସଂଖ୍ୟା ପ୍ରାୟ ୪୦ ବୋଲି ଜଣାପଡ଼ିଛି । ଯାହା ଭାରତୀୟ ଦଳର ଖେଳାଳି ସଂଖ୍ୟା ଠାରୁ ଦୁଇ ଗୁଣରୁ ଅଧିକ । ଅବଶ୍ୟ ଖେଳାଳିମାନେ ସେମାନଙ୍କ ପରିବାର ଲୋକଙ୍କ ପାଇଁ ହାତରୁ ଖର୍ଚ୍ଚ କରୁଛନ୍ତି । ହେଲେ ସେମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା ବିସିସିଆଇକୁ କରିବାକୁ ପଡୁଛି । ଯେମିତିକି ସେମାନଙ୍କ ଟିକେଟ୍‌ ଠାରୁ ଆରମ୍ଭ କରି ହୋଟେଲରେ ରହିବା ବ୍ୟବସ୍ଥା ଦାୟିତ୍ୱ ନେଇଛି ବୋର୍ଡ଼ ।

PLYERS FAMILY-1
ସିରିଜ୍‌ ପୂର୍ବରୁ ଅଧିନାୟକ ବିରାଟ କୋହଲି ପ୍ରସ୍ତାବ ଦେଇଥିଲେ ଖେଳାଳିମାନଙ୍କୁ ନିଜ ସହ ତାଙ୍କ ପତ୍ନୀଙ୍କୁ ନେବା ଲାଗି ଅନୁମତି ଦିଆଯାଉ । ତେବେ ବିସିସିଆଇ ଓ୍ଵାର୍କିଂ କମିଟି ବିଦେଶ ଗସ୍ତର ପ୍ରଥମ ୧୦ ଦିନ ପତ୍ନୀମାନଙ୍କୁ ସାଙ୍ଗରେ ନେବାକୁ ଅନୁମତି ଦେଇଥିଲା । ପରେ ପରିବାର ଲୋକଙ୍କୁ ସମୟକ୍ରମେ ସାଥୀରେ ରଖିବାକୁ ମଧ୍ୟ ଅନୁମତି ଦିଆଯାଇଥିଲା । ହେଲେ ସେମାନଙ୍କ ପାଇଁ ବ୍ୟବସ୍ଥା କରିବା, ସେମାନଙ୍‌କ ଜିନିଷପତ୍ର ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେବା, ରୁମ୍‌ବୁକ୍‌ ଆଦି କରିବା ବିସିସିଆଇକୁ ଅଡୁଆରେ ପକାଇ ଦେଇଛି । ତେବେ ଏଥିପାଇଁ ଖେଳାଳି ନିଜେ ସଚେତନ ହେବା ଦରକାର ବୋଲି ନାମ ପ୍ରକାଶ ନକରି ଜଣେ ବୋର୍ଡ଼ ସଦସ୍ୟ କହିଛନ୍ତି । ଏମିତିକି ନିୟମିତ ସଦସ୍ୟ ନଥିବା ଦଳର କିଛି ଖେଳାଳି ମଧ୍ୟ ନିଜ ସହ ପରିବାର ଲୋକଙ୍କୁ ନେବା ଯୋଗୁଁ ବୋର୍ଡ଼ କର୍ମକର୍ତ୍ତା ଓ କର୍ମଚାରୀ ହଇରାଣ ହେଉଥିବା ସେ କହିଛନ୍ତି । ସେମାନେ ସ୍ତ୍ରୀ, ପିଲା ଏମିତିକି ଜେଜେମା ଓ ଆଈମାନଙ୍କୁ ମଧ୍ୟ ସାଙ୍ଗରେ ନେଇଛନ୍ତି ।
ଅନ୍ୟପକ୍ଷରେ ଏହି ଧାରା ଇଂଲଣ୍ଡରେ ହେବାକୁ ଥିବା ବିଶ୍ୱକପ୍‌ରେ ମଧ୍ୟ ଜାରି ରହିବ ବୋଲି ଜଣାପଡ଼ିଛି । ଯାହା ଦଳ ପାଇଁ ଏକ ଲମ୍ବା ଗସ୍ତ ହେବ । ସେହି ଗସ୍ତରେ ମଧ୍ୟ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍‌ ବୋର୍ଡ଼ ବିସିସିଆଇକୁ ସମାନ ପରିସ୍ଥିତିର ସାମନ କରିବାକୁ ପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.