ଆଇପିଏଲରୁ ଭୁବନେଶ୍ୱର କୁମାର ଓହରିବା ପରେ ଏବେ ତାଙ୍କ ସ୍ଥାନ ନେବେ ପୃଥ୍ଵୀରାଜ ୟାରା

ସନରାଇଜର୍ସ ହାଇଦ୍ରାବାଦର ଦ୍ରୁତ ବୋଲର ଭୁବନେଶ୍ବର କୁମାର ଆହତ ହୋଇ ଆଇପିଏଲରୁ ସଂପୂର୍ଣ୍ଣ ବାଦ୍ ପଡ଼ିବା ପରେ ଏବେ ତାଙ୍କ ସ୍ଥାନ ନେବେ ନବାଗତ ବାମହାତୀ ଦ୍ରୁତ ବୋଲର ପୃଥ୍ବୀରାଜ ୟାରା। ଅକ୍ଟୋବର ୨ ତାରିଖରେ ଚେନ୍ନାଇ ସୁପର୍ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ବେଳେ ଭୁବନେଶ୍ୱର କୁମାର ଆହତ ହେବା କାରଣରୁ ୧୯ତମ ଓଭରରେ ଗୋଟିଏ ବଲ୍ ପକାଇ ଓହରି ଯାଇଥିଲେ। ୨୨ ବର୍ଷୀୟ ଆନ୍ଧ୍ରପ୍ରଦେଶ ଖେଳାଳି ପୃଥ୍ବୀରାଜ ତାଙ୍କ ବଦଳ ଖେଳାଳି ଭାବେ ମନୋନୀତ ହୋଇଥିବା ମଙ୍ଗଳବାର ସନରାଇଜର୍ସ ହାଇଦ୍ରାବାଦ ଏହାର ଟ୍ବିଟର୍ ହ୍ୟାଣ୍ଡଲରେ ସୂଚନା ଦେଇଛି।

୧୧ ପ୍ରଥମ ଶ୍ରେଣୀ ମ୍ୟାଚ୍ରୁ ୩୯ ୱିକେଟ୍ ନେଇଥିବା ପୃଥ୍ବୀରାଜ ଗତବର୍ଷ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳିଥିଲେ। ଖୁବ୍ଶୀଘ୍ର ସେ ୟୁଏଇରେ ସନରାଇଜର୍ସ ଶିବିରରେ ଯୋଗଦେବେ ବୋଲି ବିଶ୍ବାସ କରାଯାଉଛି। ଅନ୍ୟପକ୍ଷରେ ଭୁବିଙ୍କ ଆହତ ସମସ୍ୟା ଗ୍ରେଡ୍ ୨ କିମ୍ବା ୩ ହୋଇଥିବାରୁ ସୁସ୍ଥ ହେବାଲାଗି ୬/୮ ସପ୍ତାହ ଲାଗିଯିବ ବୋଲି ବିସିସିଆଇ ଆଶଙ୍କା କରିଛି।