ଇତିହାସ ରଚିଲେ ରାଫେଲ ନାଡାଲ, ଅଷ୍ଟ୍ରେଲିଆ ଓପନ ଜିତି ହାସିଲ କଲେ ୨୧ ତମ ଗ୍ରାଣ୍ଡସ୍ଲାମ

ପ୍ରଖ୍ୟାତ୍‌ ଟେନିସ ଖେଳାଳି ରାଫେଲ ନାଡାଲ ପୁଣିଥରେ ଇତିହାସ ରିଚଛନ୍ତି। ନାଡାଲ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆ ଓପନ ଜିତିଛନ୍ତି। ଏଥିସହ ସେ ୨୧ତମ ଗ୍ରାଣ୍ଡସ୍ଲାମ ଜିତି ଦୁନିଆର ସର୍ବାଧିକ ଗ୍ରାଣ୍ଡସ୍ଲାମ ଜିତିବାର ରେକର୍ଡ ନିଜ ନାମରେ କରିଛନ୍ତି। ୩୫ ବର୍ଷୀୟ ନାଡାଲ ମେଲବର୍ଣ୍ଣରେ ଖେଳାଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ ରୁଷର ଡାନିଲ ମେଦଭେଦେଭଙ୍କୁ ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ମୁକାବିାଲରେ ୨-୬, ୬-୭, ୬-୪, ୬-୪, ୭-୫ରେ ହରାଇଛନ୍ତି। ଏହି ମୁକାବିଲା ଦୀର୍ଘ ୫ ଘଣ୍ଟା ୨୪ ମିନିଟ୍ ଧରି ଚାଲିଥିଲା।

ନାଡାଲ ଏହି ମ୍ୟାଚ୍ ଜିତିବା ସହ ଟେନିସ୍ ଜଗତରେ ନିଜ ଇତିହାସ ରଚିଛନ୍ତି। ସେ ଦୁନିଆର ସବୁଠୁ ଅଧିକ ୨୧ ଗ୍ରାଣ୍ଡସ୍ଲାମ ଜିତିବାରେ ପ୍ରଥମ ଟେନିସ୍ ଖେଳାଳି ହୋଇଛନ୍ତି। ଏହି ମାମଲାରେ ସେ ଏକ ନମ୍ବର ଟେନିସ୍ ଖେଳାଳି ନୋଭାକ ଜୋକୋଭିକ ଏବଂ ସ୍ଵିଜରଲାଣ୍ଡର ରୋଜର ଫେଡେରରଙ୍କୁ ପଛରେ ପକାଇ ଦେଇଛନ୍ତି। ଫେଡେରର ଏବଂ ଜୋକୋଭିକ୍ ସମାନ ୨୦-୨୦ ଗ୍ରାଣ୍ଡସ୍ଲାମ ଜିତିଛନ୍ତି।

ମେଦଭେଦେଭ ପ୍ରଥମ ଦୁଇଟି ସେଟ୍‌କୁ ୬-୨, ୭-୬ରେ ଜିତି ଅଗ୍ରଣୀ ହାସଲ କରିଥିଲେ। ତେବେ ନାଡାଲ ଦମଦାର ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ଦୁଇଟି ସେଟ୍‌ ୬-୪, ୬-୪ରେ ଜିତି ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ। ଏଥିରେ ନାଡାଲ ନିଜ ଅଭିଜ୍ଞତା ବଳରେ ୭-୫ରେ ଜିତି ଟାଇଟଲ୍ ନିଜ ନାମରେ କରିଛନ୍ତି।