କିଟ୍ ରଣଜୀ ମ୍ୟାଚ୍ : ହିମାଂଶୁ ରାଣାଙ୍କ ଅପରାଜିତ ଶତକ, ହରିଆଣା ୨୩୯/୩

ଭୁବନେଶ୍ବର (କେନ୍ୟୁଜ୍) : କିଟ୍ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ବନାମ ହରିଆଣା ରଣଜୀ ଟ୍ରଫି ମ୍ୟାଚର ଆଜି ହେଉଛି ଦ୍ବିତୀୟ ଦିବସ । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ହରିଆଣା ଦଳ ୩ ୱିକେଟରେ ୨୩୯ ରନ୍ କରିଛି । ହିମାଂଶୁ ରାଣା ଅପରାଜିତ ଶତକ ହାସଲ କରିଛନ୍ତି । ତଥାପି ଭ୍ରମଣକାରୀ ଦଳ ଓଡ଼ିଶା ଠାରୁ ୮୫ ରନ୍ ପଛରେ ରହିଛି ।

ପୂର୍ବରୁ ଓଡ଼ିଶା ପ୍ରଥମ ପାଳିରେ ୩୨୪ ରନ୍ କରି ଅଲଆଉଟ୍ ହୋଇଥିଲା । ଶେଷ ଭାଗରେ ଶାନ୍ତନୁ ମିଶ୍ର (୭୧), ଦେବବ୍ରତ ପ୍ରଧାନ (୩୬) ଏବଂ ରାଜେଶ ମହାନ୍ତି (୧୬)ଙ୍କ ଯୋଗୁଁ ଘରୋଇ ଦଳ ୩୦୦ ରନ୍ ଟପି ପାରିଥିଲା ।

ପରେ ତାର ପାଳି ଆରମ୍ଭ କରିଥିଲା ହରିଆଣା ଦଳ । ମାତ୍ର ୧୮ ରନରେ ଦୁଇ ଓପ୍ନରଙ୍କୁ ହରାଇଥିଲା । ତେବେ ଚୈତନ୍ୟ ବିଷ୍ଣୋଇ ଏବଂ ହିମାଂଶୁ ରାଣା ଭଲ ବ୍ୟାଟିଂ କରି ୩ୟ ୱିକେଟରେ ୧୭୮ ରନ୍ ଯୋଡ଼ିଥିଲେ । ଏମାନଙ୍କ ଭାଗିଦାରୀ ଦଳ ପାଇଁ ଭଲ ମୂଳଦୂଆ ପକାଇଛି । ବିଷ୍ଣୋଇ ୭୫ ରନ୍ କରି ଆଉଟ୍ ହେବା ପରେ ହିମାଂଶୁ ଏବଂ ପ୍ରମୋଦ ଚାଣ୍ଡିଲା (ଅପରାଜିତ ୩୪ ରନ୍)ଙ୍କ ଯୋଡ଼ି ଆରମ୍ଭ ହୋଇଛି । ଏମାନେ ଅସମାପ୍ତ ଚତୁର୍ଥ ୱିକେଟରୁ ୪୩ ରନ୍ ସଂଗ୍ରହ କରିଛନ୍ତି । ହିମାଂଶୁ ୬୨ ବଲ୍ ଖେଳି ୧୭ଟି ଚେକା ସହାୟତାରେ ଅପରାଜିତ ୧୧୩ ରନ୍ କରିଛନ୍ତି । ଏହା ତାଙ୍କର ୩ୟ ପ୍ରଥମ ଶ୍ରେଣୀ ଶତକ ।

ଓଡ଼ିଶା ପକ୍ଷରୁ ବୋଲର ରାଜେଶ ମହାନ୍ତିଙ୍କୁ ୩୬ ରନରେ ୨ଟି ୱିକେଟ୍ ମିଳିଛି । ତେବେ ସମସ୍ତଙ୍କ ନଜର ରହିଥିବା ସ୍ପିନର ପପୁ ରାୟ ୱିକେଟ ପାଇ ନଥିଲେ ମଧ୍ୟ ୧୬ ଓଭର ବୋଲିଂ କରି ମାତ୍ର ୪୭ ରନ୍ ବ୍ୟୟ କରିଛନ୍ତି । ସେହିପରି ଅଧିନାୟକ ବିପ୍ଳବ ସାମନ୍ତରାୟ ୯ ଓଭରରେ ଦେଇଛନ୍ତି ମାତ୍ର ୧୯ ରନ୍ ।

ସ୍କୋର : ଓଡ଼ିଶା ପ୍ରଥମ ଇନିଂସ୍ : ଦିନ -୩୨୪ ଅଲ୍ଆଉଟ୍, ୧୧୨.୨ ଓଭର (ଅନୁରାଗ ଷଡ଼ଙ୍ଗୀ ୧୧୪, ସନ୍ଦୀପ ପଟ୍ଟନାୟକ ୨୦, ଗୋବିନ୍ଦ ପୋଦ୍ଦାର ୧୪, ଶୁଭ୍ରାଂଶୁ ସେନାପତି ୧୧, ବିପ୍ଳବ ସାମନ୍ତରାୟ ୯, ଶାନ୍ତନୁ ମିଶ୍ର ୭୧, ସୁଜିତ ଲେଙ୍କା ୧୩, ଦେବବ୍ରତ ପ୍ରଧାନ ୩୬, ସୂର୍ଯ୍ୟକାନ୍ତ ପ୍ରଧାନ ୧, ରାଜେଶ ମହାନ୍ତି ୧୬, ପପୁ ରାୟ ଅପରାଜିତ ୧  । ମୋହିତ ଶର୍ମା ୧୯-୪-୬୩-୨, ହର୍ଷ ପଟେଲ ୨୪-୩-୭୨-୨, ଟିନୁ କୁଂଡୁ ୨୩.୨-୯-୫୧-୪) ।

ହରିଆଣା ପ୍ରଥମ ଇନିଂସ୍ : ୨୩୯/୩, ୬୫ ଓଭର (ନୀତିନ ସାଇନି ୫, ଶୁଭମ ରୋହିଲା ୯, ଚୈତନ୍ୟ ବିଷ୍ଣୋଇ ୭୫, ହିମାଂଶୁ ରାଣା ଅପରାଜିତ ୧୧୩, ପ୍ରମୋଦ ଚାଣ୍ଡିଲା ଅପରାଜିତ ୩୪ । ରାଜେଶ ମହାନ୍ତି ୧୨-୧-୩୬-୨, ଦେବବ୍ରତ ପ୍ରଧାନ ୮-୦-୪୯-୧) ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.