ରଣଜୀ ମ୍ୟାଚ୍‌ : ରାଜେଶ ମହାନ୍ତିଙ୍କୁ ୬ ଓ୍ଵିକେଟ୍‌, ଛତିଶଗଡ଼କୁ ୧୩୪ ରନ୍‌ରେ ଅଲ୍‌ଆଉଟ୍‌ କଲା ଓଡ଼ିଶା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଚଳିତ ସିଜିନ୍‌ର ପ୍ରଥମ ରଣଜୀ ମ୍ୟାଚ୍‌ରେ ପେସ୍‌ ବୋଲର୍‌ ରାଜେଶ ମହାନ୍ତି ଦମ୍‌ ଦେଖାଇଛନ୍ତି । ସେ ମାତ୍ର ୪୭ ରନ୍‌ ଦେଇ ୬ ଓ୍ଵିକେଟ୍‌ ଦଖଲ କରିବା ଯୋଗୁଁ ଓଡ଼ିଶା ଦଳ ଛତିଶଗଡ଼କୁ ମାତ୍ର ୧୩୪ ରନ୍‌ରେ ଅଲ୍‌ଆଉଟ୍‌ କରି ଦେଇଛି । ଛତିଶଗଡ଼ର ରାୟପୁର ଠାରେ ଚାଲିଥିବା ଏହି ମ୍ୟାଚ୍‌ରେ ରାଜେଶଙ୍କୁ ସହଯୋଗ ଦେଇ ବରିଷ୍ଠ ପେସ୍‌ ବୋଲର୍‌ ବସନ୍ତ ମହାନ୍ତି ୨୪ ରନ୍‌ ଦେଇ ୩ଟି ଓ୍ଵିକେଟ୍‌ ଦଖଲ କରିଥିଲେ ।
ଆଜି ସକାଳେ ଓଡ଼ିଶା ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତି ଟସ୍‌ ଜିତି ପ୍ରଥମେ ବୋଲିଂ ନେଇଥିଲେ । ତେବେ ରାଜେଶ ଓ ବସନ୍ତଙ୍କ ପେସ୍‌ ବୋଲିଂ ଆଗରେ ଦୁର୍ବଳ ଛତିଶଗଡ଼ ଦଳ ମାତ୍ର ୫୨.୨ ଓଭରରେ ୧୩୪ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା । ଆଠ ନମ୍ବର ବ୍ୟାଟ୍ସମ୍ୟାନ୍‌ ମଣ୍ଡଳ ସର୍ବାଧିକ ୪୭ ରନ୍‌ କରିବା ଫଳରେ ଘରୋଇ ଦଳ ୧୦୦ ରନ୍‌ ଟପି ପାରିଥିଲା । ଦଳର ୭ ଜଣ ବ୍ୟାଟ୍‌ସମ୍ୟାନ୍‌ ୯ ରନ୍‌ ତଳକୁ ସ୍କୋର କରିଥିଲେ ।

ଖେଳ ଶେଷ ସୁଦ୍ଧା ଓଡ଼ିଶା ୪୮/୩

ଜବାବରେ ଓଡ଼ିଶା ଦଳ ଆଜି ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୩ ଓ୍ଵିକେଟ୍‌ ହରାଇ ୪୮ ରନ୍‌ କରିଛି । ଓପ୍ନର ଅନୁରାଗ ଷଡ଼ଙ୍ଗୀ ୧୪ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଅନ୍ୟତମ ଓପ୍ନର ସନ୍ଦୀପ ପଟ୍ଟନାୟକ ୭ଟି ବଲ୍‌ ଖେଳି ଆହତ ହେବା ଯୋଗୁଁ ରାଟାୟାର୍ଡ଼ ହର୍ଟ ହୋଇଛନ୍ତି । ଏହାପରେ ଦେବାଶିଷ ସାମନ୍ତରାୟ ୮ ଏବଂ ଅଧିନାୟକ ଶୁଭ୍ରାଂଶୁ ସେନାପତି ୧୬ ରନ୍‌ କରି ଆଉଟ୍‌ ହୋଇଛନ୍ତି । ବରିଷ୍ଠ ଅଲରାଉଣ୍ଡର ବିପ୍ଳବ ସାମନ୍ତରାୟ ୪ ଏବଂ ଗେିବନ୍ଦ ପୋଦ୍ଦାର କୌଣସି ରନ୍‌ କରି ଅପରାଜିତ ଅଛନ୍ତି । ଛତିଶଗଡ଼ ପକ୍ଷରୁ ପୁନିତ ଦାତେ ୨ଟି ଓ୍ଵିକେଟ୍‌ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.