ଟିମ୍‌ ଇଣ୍ଡିଆ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ମଇଦାନରେ ବ୍ୟାଟିଂ କଲେ ଷ୍ଟାର ଖେଳାଳି ରିଷଭ ପନ୍ତ

ସଡ଼କ ଦୁର୍ଘଟଣାର ୮ ମାସ ପରେ ପ୍ରଥମ ଥର ମଇଦାନକୁ ଓହ୍ଲାଇଲେ ରିଷଭ ପନ୍ତ । ସ୍ୱାଧୀନତା ଦିବସ ଅବସରରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ବ୍ୟାଟିଂ କରିଥିଲେ । ପନ୍ତ ମଇଦାନକୁ ଓହ୍ଲାଇବା ବେଳେ ପ୍ରଥମ ଭୂମିକୁ ଛୁଇଁ ପ୍ରଣାମ କରିଥିଲେ । ଆଉ ଏହି ଭିଡିଓ ଏବେ ଫ୍ୟାନ୍ସଙ୍କ ହୃଦୟ ଜିତୁଛି ।

ଟିମ୍‌ ଇଣ୍ଡିଆ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ସଡ଼କ ଦୁର୍ଘଟଣା ପରେ ପ୍ରଥମ ଥର ପଡିଆରେ ନଜର ଆସିଛନ୍ତି କ୍ରିକେଟର ରିଷଭ ପନ୍ତ । ମଇଦାନରେ ପୁରୁଣା ଅନ୍ଦାଜରେ ବ୍ୟାଟିଂ କରି ଫ୍ୟାନ୍ସଙ୍କ ହୃଦୟ ଜିତିନେଇଛନ୍ତି । ଯାହାର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ରିଷଭ ବ୍ୟାଟିଂ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛନ୍ତି । ଆଉ ଏହାକୁ ଦେଖି ଫ୍ୟାନ୍ସ ଖୁସି ହୋଇଯାଇଛନ୍ତି ।

ସ୍ୱାଧୀନତା ଦିବସ ପାଇଁ ଗୋଟିଏ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ରିଷଭ ବ୍ୟାଟିଂ କରୁଥିବାର ଦେଖିବାକୁ ମିଳିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସର କୋ ୱନର ପାର୍ଥ ଜିନ୍ଦଲଙ୍କ ଜେଏସଡବ୍ଲ୍ୟୁ ପକ୍ଷରୁ ଏହି ମ୍ୟାଚକୁ ଆୟୋଜନ କରାଯାଇଥିଲା। ଏହି ମ୍ୟାଚରେ ପନ୍ତ ବ୍ୟାଟିଂ କରିବା ସହ ସଟ୍‌ ମଧ୍ୟ ମାରିଛନ୍ତି। ଏହି ମ୍ୟାଚ ଖେଳିବାକୁ ଆସିଥିବା ବେଳେ ପନ୍ତ ପ୍ରଥମ ଭୂମିକୁ ଛୁଇଁ ପ୍ରଣାମ କରିବା ପରେ ବ୍ୟାଟିଂ କରିଥିଲେ ।

ଗତବର୍ଷ ଡିସେମ୍ବର ମାସରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟର ରିଷଭ ପନ୍ତଙ୍କୁ ନେଇ ଫ୍ୟାନ୍ସ ଚିନ୍ତିତ ରହିଥିଲେ । ଦୁର୍ଘଟଣା ପରେ ଆଣ୍ଠୁ ସର୍ଜରୀ ହୋଇଥିଲା । ଡାକ୍ତର ତାଙ୍କୁ ୬ ମାସ ବିଶ୍ରାମ ନେବା ପାଇଁ କହିଥିଲେ । ପୂର୍ବରୁ ନିଜ ଫିଟନେସକୁ ନେଇ କାମ କରୁଥିବା ବେଳେ ଏବେ ମଇଦାନରେ ବ୍ୟାଟିଂ ଉପରେ ଧ୍ୟାନ ଦେଉଛନ୍ତି । ବର୍ତ୍ତମାନ ଏନଏସଏରେ ରହିଛନ୍ତି । ଟିମରୁ ପନ୍ତ ବାଦ୍‌ ପଡିବା ପରେ ତାଙ୍କ ସ୍ଥାନରେ ଈଶାନ କିଶନ ଖେଳୁଛନ୍ତି ।

ସୂଚନାଯୋଗ୍ୟ, ରିଷଭ ପନ୍ତ ୩୦ ଡିସେମ୍ବରରେ ନିଜ ମା’ଙ୍କୁ ସରପ୍ରାଇଜ ଦେବା ପାଇଁ ଦିଲ୍ଲୀରୁ ରୁଡକୀ ଯାଉଥିଲେ। ଡେରାଡୁନରେ ଏକ ଡିଭାଇଡରରେ ପିଟି ହୋଇଥିଲେ। ତେବେ ବଡ଼ ଅଘଟଣ ପୂର୍ବରୁ ପନ୍ତ କାରର କାଚ ଭାଙ୍ଗି ଏହା ମଧ୍ୟରୁ ଡେଇଁ ପଡ଼ିଥିଲେ। ଫଳରେ ସେ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ରିଷଭ କିନ୍ତୁ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ଡାହାଣ ଗୋଡ ଆଣ୍ଠୁର ଲିଗାମେଣ୍ଟ ଭାଙ୍ଗିଯାଇଥିଲା। ଡାହାଣ ହାତ କହୁଣୀ, ପାପୁଲି ଏବଂ ଆଙ୍ଗୁଠିରେ ଆଘାତ ଲାଗିଥିଲା। ପିଠିରେ ଅନେକ ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ତେବେ ଉତ୍ତରାଖଣ୍ଡର ମ୍ୟାକ୍ସ ହସ୍ପିଟାଲରେ ପନ୍ତଙ୍କ ପ୍ଲାଷ୍ଟିକ ସର୍ଜରୀ ସଫଳତାର ଶେଷ ହୋଇଥିଲା।। ହରିୟାଣା ରୋଡେଓ୍ଵଜର ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ଦୁର୍ଘଟଣାରେ ପନ୍ତଙ୍କ କାର ଜଳିପୋଡି ପାଉଁଶ ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.