ଭାରତୀୟ ଟିମ୍‌କୁ ଝଟକା, ବିରାଟ କୋହଲିଙ୍କ ପରେ ଟେଷ୍ଟ ସିରିଜରୁ ବାଦ୍‌ ପଡିପାରନ୍ତି ଶ୍ରେୟସ ଆୟର !

ପିଠି ଯନ୍ତ୍ରଣା ଯୋଗୁଁ ବ୍ୟାଟିଂ କରିବାରେ ସମସ୍ୟା ଦେଖାଦେଉଛି । ସେଥିପାଇଁ ଫରଓ୍ଵାଡ ଡିଫେନ୍ସ ଖେଳୁଛନ୍ତି ଆୟର । ପାଖାପାଖି ୩୦ଟି ବଲ ଖେଳିବା ପରେ ଯନ୍ତ୍ରଣା ବଢିଯାଉଛି । ତେଣୁ ଆଗାମୀ ମ୍ୟାଚରେ ହୁଏତ ଶ୍ରେୟସ ଟିମରୁ ବାଦ୍‌ ପଡିପାରନ୍ତି ।

ଭାରତ-ଇଂଲଣ୍ଡ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ ଖେଳ ସରିଥିବା ବେଳେ ଆଉ ୩ଟି ବାକି ରହିଛି । ଆଉ ଏହାରି ମଧ୍ୟରେ ଲଗାତାର ଭାରତୀୟ ଟିମ୍‌ ପାଇଁ ଖରାପ ଖବର ମିଳୁଛି । ପ୍ରଥମ ଦୁଇଟି ଟେଷ୍ଟ ବିରାଟ ଖେଳିନଥିବା ବେଳେ ଅନ୍ୟ ୩ଟିକୁ ନେଇ ସମ୍ଭାବନା କମ୍‌ ରହିଛି । ଏହାରି ମଧ୍ୟରେ ଶ୍ରେୟସ ଆୟର ବାକି ଟେଷ୍ଟ ସିରିଜରୁ ବାଦ୍‌ ପଡିପାରନ୍ତି ବୋଲି ଚର୍ଚ୍ଚା ରହିଛି । ଖବର ମୁତାବକ, ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟର ପିଠି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଯେଉଁଥି ପାଇଁ ସେ ବାକି ମ୍ୟାଚରୁ ବାଦ୍‌ ପଡିପାରନ୍ତି ବୋଲି ଆଶଙ୍କା କରାଯାଉଛି ।

ହାଇଦ୍ରାବାଦ ଏବଂ ବିଶାଖାପାଟଣା ଟେଷ୍ଟରେ ଶ୍ରେୟସ ଆୟର ପ୍ଲେଇଂ-୧୧ରେ ସାମିଲ ଥିଲେ । ତେବେ ଦ୍ୱିତୀୟ ଟେଷ୍ଟ ପରେ ଟିମ୍‌ ମ୍ୟାନେଜମେଣ୍ଟକୁ ପିଠି ଯନ୍ତ୍ରଣା ବିଷୟରେ କହିଛନ୍ତି ଶ୍ରେୟସ । ପିଠି ଯନ୍ତ୍ରଣା ଯୋଗୁଁ ବ୍ୟାଟିଂ କରିବାରେ ସମସ୍ୟା ଦେଖାଦେଉଛି । ସେଥିପାଇଁ ଫରଓ୍ଵାଡ ଡିଫେନ୍ସ ଖେଳୁଛନ୍ତି ଆୟର । ପାଖାପାଖି ୩୦ଟି ବଲ ଖେଳିବା ପରେ ଯନ୍ତ୍ରଣା ବଢିଯାଉଛି । ତେଣୁ ଆଗାମୀ ମ୍ୟାଚରେ ହୁଏତ ଶ୍ରେୟସ ଟିମରୁ ବାଦ୍‌ ପଡିପାରନ୍ତି ।

ତେବେ ଶ୍ରେୟସଙ୍କ ପିଠି ଯନ୍ତ୍ରଣା ନୂଆ ନୁହେଁ, ଗତବର୍ଷ ଜାନୁଆରୀରେ ମଧ୍ୟ ତାଙ୍କର ଯନ୍ତ୍ରଣା ରହିଥିଲା । ସେଥିପାଇଁ କିଛି ମ୍ୟାଚ ସେ ଖେଳିପାରିନଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରୁ ସେଥିପାଇଁ ବାଦ୍‌ ପଡିଥିଲେ । ପିଠି ସର୍ଜରୀ ଯୋଗୁଁ ଆଇପିଏଲ୍‌ ୨୦୨୩ ମଧ୍ୟ ଖେଳିନଥିଲେ ଶ୍ରେୟସ ଆୟର । ତେଣୁ ତାଙ୍କୁ ବିଶ୍ରାମ ପାଇଁ ପରାମର୍ଶ ଦିଆଯାଇଥିଲା ।

ସୂଚନାଯୋଗ୍ୟ, ଇଂଲଣ୍ଡ ବିପକ୍ଷ ୨ଟି ଯାକ ମ୍ୟାଚରେ ଶ୍ରେୟସ ଭଲ ପ୍ରଦର୍ଶନ କରିନଥିଲେ । ସେ ୪ଟି ପାଳିରେ କେବଳ ୧୦୪ ରନ କରିଛନ୍ତି । ତେଣୁ ଭାରତୀୟ ପ୍ଲେଇଂ-୧୧ରେ କିଛି ପରିବର୍ତ୍ତନ ହୋଇପାରେ । ଯଦି ଶ୍ରେୟସ ବାଦ୍‌ ପଡନ୍ତି, ତେବେ ତାଙ୍କ ସ୍ଥାନରେ ନୂଆ ଖେଳାଳିଙ୍କୁ ଖେଳିବାକୁ ସୁଯୋଗ ଦେବ ଚୟନକର୍ତ୍ତା କମିଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.