ପାକିସ୍ତାନର ଆଶା ଧୂଳିସାତ୍, ଏସିଆ କପ୍ ଫାଇନାଲ୍ ଲଢ଼େଇରେ ଟାଇଟଲ୍ ହାତେଇଲା ଶ୍ରୀଲଙ୍କା

ଶ୍ରୀଲଙ୍କା ଏସିଆ କପ୍ ଚାମ୍ପିଅନ୍ । ପାକିସ୍ତାନର ଆଶା ଧୂଳିସାତ୍ । ଗତକାଲି ଫାଇନାଲ୍ ଲଢ଼େଇରେ ପାକିସ୍ତାନକୁ ୨୩ ରନରେ ହରାଇ ଟାଇଟଲ୍ ହାତେଇଛି ସିଂହଳୀ ଦଳ । ଏଥିସହ ଷଷ୍ଠ ଥର ଏସିଆ କପ୍ ଚାମ୍ପିଅନ୍ ହୋଇଛି ଶ୍ରୀଲଙ୍କା । ଟସ୍ ଜିତି ଫିଲଡିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ପ୍ରାରମ୍ଭିକ ବିପର୍ଯ୍ୟୟର ସାମନା କରିଥିଲା । ମାତ୍ର ୫୮ ରନରେ ହରାଇଥିଲା ୫ଟି ଓ୍ଵିକେଟ । ଷଷ୍ଠ ଓ୍ଵିକେଟ ଯୋଡ଼ିରେ ଭାନୁକା ରାଜପକ୍ଷେ ଓ ଓ୍ଵାନିନ୍ଦୁ ହସାରଙ୍ଗା ପାକିସ୍ତାନ ବୋଲରଙ୍କୁ ପ୍ରହାର କରିଥିଲେ ।
ବିସ୍ଫୋରକ ଇନିଂସ ଖେଳିଥିଲେ ଶ୍ରୀଲଙ୍କାର ଏହି ଦୁଇ କ୍ରିକେଟର । ଭାନୁକା ରାଜପକ୍ଷେ ଅପରାଜିତ ୭୧ ରନ୍ କରିଥିଲେ । ସେହିପରି ୩୬ ରନ୍ କରିଥିଲେ ହସାରଙ୍ଗା । ପାକିସ୍ତାନ ଆଗରେ ୧୭୧ ରନ୍ ଟାର୍ଗେଟ ଦେଇଥିଲା । ଜବାବରେ ୧୪୭ ରନରେ ଅଲଆଉଟ୍ ହୋଇଥିଲା ପାକିସ୍ତାନ । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିଲା । ମହମ୍ମଦ ରିଜଓ୍ଵାନ ୫୫ ଓ ଇଫିତିକାର ଅହମ୍ମଦ କରିଥିଲେ ୩୨ ରନ୍ । ଅନ୍ୟ ଖେଳାଳି ଫେଲ୍ ମାରିଥିଲେ ।
ଶ୍ରୀଲଙ୍କା ପକ୍ଷରୁ ଘାତକ ବୋଲିଂ କରିଥିଲେ ପ୍ରମୋଦ ମଧୁସୂଦନ ଓ ଓ୍ଵାନେନ୍ଦୁ ହସାରଙ୍ଗା । ପ୍ରମୋଦ ମଧୁସୂଦନ ୪ଟି ଓ ହସାରଙ୍ଗା ନେଇଥିଲେ ୩ଟି ଲେଖାଏଁ ଓ୍ଵିକେଟ୍ । ଏହି ପରାଜୟ ସହ ପାକିସ୍ତାନର ୧୦ ବର୍ଷ ପରେ ଏସିଆ କପ୍ ଚାମ୍ପିଅନ୍ ହେବାର ଲକ୍ଷ୍ୟ ଅଧୁରା ରହିଗଲା ।